ରୋମରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ରୋମ୍: ବିଶ୍ୱର ସର୍ବ ପୂରାତନ ସହର ରୋମରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ନବୀନ ରୋମରେ ମହାତ୍ମାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶାସନ ଓ ପ୍ରଶାସନରେ ଗାନ୍ଧୀବାଦକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ୨୦୧୮ରୁ ସମ୍ବିଧାନର ମୁଖବନ୍ଧରେ ମହାତ୍ମାଙ୍କ ଅହିଂସାକୁ ସ୍ଥାନୀତ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ପ୍ରଥମ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ । ଏହା ଜାତିର ପିତାଙ୍କ ପ୍ରତି ତାଙ୍କ ୧୫୦ ତମ ଜୟନ୍ତୀରେ ଶ୍ରେଷ୍ଠ ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମହାତ୍ମାଙ୍କ ଉକ୍ତିକୁ ଆଧାର କରି ଶାନ୍ତି ବିନା ପ୍ରଗତି ସମ୍ଭବ ନୁହେଁ ବୋଲି କହିଥିଲେ । ସେହିଭଳି ସମାଜର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶୃତିବଦ୍ଧ । ନିସ୍ବାର୍ଥପର ଭାବେ ସମାଜର ଗରିବଗୁରୁବାଙ୍କ ପାଇଁ କାର୍ଯ୍ୟ କରିବାକୁ ଗାନ୍ଧୀଙ୍କ ଏହି ପରଶମଣୀକୁ ନବୀନ ଲୋକସେବା ଭବନରେ ମଧ୍ୟ ସ୍ଥାନୀତ କରିଛନ୍ତି । ଗାନ୍ଧୀ ଜୟନ୍ତୀରେ ରାଜ୍ୟର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀଙ୍କ ଉପସ୍ଥିତିରେ ଏହି ପରଶମଣୀକୁ ଲୋକସେବା ଭବନରେ ସ୍ଥାନୀତ କରାଯାଇଛି । ଏହା ଗରିବଗୁରୁବା ପାଇଁ ନିର୍ସ୍ବାର୍ଥପର ଭାବେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ।