ପାଣିପାଗ ବିଭାଗର ଅନୁମାନ, ଆସନ୍ତା ୨୭ ତାରିଖ ପରେ ରାଜ୍ୟରୁ ଗାଏବ ହୋଇଯିବ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ପରେ ରାଜ୍ୟରୁ ଗାଏବ ହୋଇଯିବ ବର୍ଷା । ଆରବ ସାଗରରୁ ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଶକ୍ତ ନ ହେବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । କାରଣ କେରଳ ଛୁଇଁବା ପରେ ମୌସୁମୀ ଦୁର୍ବଳ ହୋଇଥିଲା । ଜୁନ୍ ୧୬ ତାରିଖରେ ଦକ୍ଷିଣ ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ୪ ଦିନ ପର୍ଯ୍ୟନ୍ତ ଆଗକୁ ବଢିପାରି ନଥିଲା । ଗତକାଲି ସଂପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିଲା ।

କିନ୍ତୁ ଆଜି ସକାଳୁ ଆକାଶରୁ ଗାଏବ ହୋଇଯାଇଥିଲା ବାଦଲ । ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ କେବଳ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ନବରଙ୍ଗପୁରରେ ବର୍ଷା ହୋଇଛି । ତେବେ ସନ୍ଧ୍ୟା ସମୟରେ ବାୟୁମଣ୍ଡଳରେ ଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ବାଷ୍ପିଭୂତ ହୋଇ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢ଼ିବ । ପରେ ମୌସୁମୀ ଦୁର୍ବଳ ହେବା ସହ ବର୍ଷା ଗାଏବ ହୋଇଯିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରେ ସକ୍ରିୟ ହୋଇ ନଥିବାରୁ ମୌସୁମୀ ଟ୍ରପ ଲାଇନ୍ ଏବେ ସକ୍ରିୟ ନାହିଁ । ତେଣୁ ମୌସୁମୀ ସକ୍ରିୟ ଥିଲେ ମଧ୍ୟ ଓଡ଼ିଶାରେ ଏବେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ ୬୦ ରୁ ୯୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲାରେ ସ୍ଥିତି ସଂଙ୍ଗୀନ ରହିଛି । ପୁରୀରେ ସ୍ୱାଭାବିକଠାରୁ ୯୩ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜଗତସିଂହପୁରରେ ୯୨ ପ୍ରତିଶତ, ଖୋର୍ଦ୍ଧାରେ ୭୯ ପ୍ରତିଶତ, କେନ୍ଦ୍ରାପଡାରେ ୭୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉତ୍ତର ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କିଛି ନିଅଣ୍ଟିଆ ଭରଣ ହେବାର ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । କିନ୍ତୁ ସଂପୂର୍ଣ୍ଣ ଭରଣ ହେବା ଆଶଙ୍କା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।