ମୁଖ୍ୟ ସଚେତକ ପଦରୁ ସିନ୍ଦେ ବହିସ୍କୃତ

1 min read

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଛୁଟୁଛି ଘୋଡା  । ଶିବସେନା, କଂଗ୍ରେସ ଏବଂ ଏନସିପି ଦଳ ମେଣ୍ଟରେ ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ଉପରେ ସଙ୍କଟ ଜାରି ରହିଛି  । ସଙ୍କଟ ମଧ୍ୟରେ ବିଦ୍ରୋହୀ ମନ୍ତ୍ରୀ ତଥା ବିଧାୟକ ଏକନାଥ ସିନ୍ଧେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ ଠାକରେ । ବିଧାନସଭାରେ ମୁଖ୍ୟ ସଚେତକ ପଦରୁ ସିନ୍ଦେଙ୍କୁ ବହିସ୍କାର କରାଯାଇଛି  । ସୁରଟ ହୋଟେଲରେ ୨ ଶିବସେନା ନେତା ପହଞ୍ଚିଛନ୍ତି  । ବିଦ୍ରୋହୀ ବିଧାୟକମାନେ ଏହି ହୋଟେଲରେ ଥିବା ସୂଚନା ରହିଥିଲା  । ଏହାପରେ ସେମାନଙ୍କ ସହ ଦୁଇ ଶିବସେନା ନେତା ସୁରଟରେ ପହଞ୍ଚିଛନ୍ତି  ।

ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ବୟାନ ସାମ୍ନାକୁ ଆସିଛି  । ସେ କହିଛନ୍ତି ବାଲାସାହେବଙ୍କ ନୀତିକୁ ଆମେ ସଦା ସର୍ବଦା ମାନିଆସିଛି  । ଆମେ ବାଲାସାହେବଙ୍କ ସଚ୍ଚା ସୈନିକ  । ତେଣୁ କ୍ଷମତା ପାଇଁ କେବେ ବି ଧୋକା ଦେବିନି  । ସୂଚନାଯୋଗ୍ୟ ଏକନାଥ ସିନ୍ଧେଙ୍କ ସହ ୨୧ ବିଦ୍ରୋହୀ ବିଧାୟକ ବିଜେପି ଶାସିତ ଗୁଜୁରାଟ ସୁରଟର ଏକ ହୋଟେଲରେ ଅଛନ୍ତି  । ସେମାନଙ୍କ ମଧ୍ୟରେ ୫ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି  । ସୂଚନା ଥାଉକି ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ  କ୍ରସ ଭୋଟିଂ ପରେ ଏହି ବିଦ୍ରୋହ ଦେଖାଯାଇଛି। ୧୦ ଟି ଆସନରୁ କ୍ରସ ଭୋଟିଂ କାରଣରୁ ବିଜେପି ହାତକୁ ୫ଟି ଚାଲିଯାଇଛି  ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖିଆ ଉଦ୍ଧବ ଠାକରେ ସରକାର ଉପରେ ଛାଇଥିବା ସଙ୍କଟକୁ ନେଇ ବୈଠକ କରିଛନ୍ତି  । ହେଲେ ଏହି ବୈଠକରେ ଶିବସେନାର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୨୦ ଜଣ ଯୋଗଦେଇଛନ୍ତି  । ଅନ୍ୟ ୩୫ ଜଣଙ୍କ ଅନୁପସ୍ଥିତ ବଡ ସଙ୍କଟ ଛିଡା କରିଛି  । ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଠାକରେ ଖୁବ୍ ଶୀଘ୍ର ବିଦ୍ରୋହୀ ବିଧାୟକଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ତ୍ରୁଟି ବିରୋଧୀ ଆଇନ ଲାଗୁ କରିପାରନ୍ତି  ।  ଶିବସେନା ନେତା ସଞ୍ଜୟ ରାଉତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶିବସେନା ସୈନିକ କେବେ ବି ବିଶ୍ବାସଘାତ କରିବେ ନାହିଁ  । ଖୁବ୍ ଶୀଘ୍ର ସ୍ଥିତି ପୂର୍ବଭଳି ଠିକ୍ ହୋଇଯିବ  । ବିଦ୍ରୋହୀ ବିଧାୟକଙ୍କ ସହ ଆମେ ସମ୍ପର୍କ କରୁଛୁ  । ଖୁବ୍ ଶୀଘ୍ର ସେମାନେ ମହାରାଷ୍ଟ୍ର ଫେରବେ  । ସରକାର ଭାଙ୍ଗିବା ପାଇଁ ବିଜେପି ପକ୍ଷରୁ କରାଯାଉଛି ହୀନ ରାଜନୀତି  ।

ସେହିପରି କଂଗ୍ରେସ ଏବଂ ଏନସିପି ଦଳ ପକ୍ଷରୁ ମଧ୍ୟ ବୈଠକ କରାଯାଉଛି  । ଯଦି ମହାରାଷ୍ଟ୍ର ବିଧାନସଭା ସ୍ଥିତି ଉପରେ ନଜର ପକାଇବା ତେବେ ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୮୮  । ବିଜେପି ପାଖରେ ୧୦୬ ଆସନ ରହିଛି ଯେତବେଳେ କି ମେଣ୍ଟ ସରକାର ପାଖରେ (ଶିବସେନା-୫୫, କଂଗ୍ରେସ-୪୪, ଏନସିପି-୫୩) ଆସନ ରହିଛି ଏବଂ ଅନ୍ୟ ୨୯ ଆସନ ରହିଛି  । ଯଦି ବିଦ୍ରୋହୀ ବିଧାୟକ ସିନ୍ଧେ ୨୧ ବିଧାୟକଙ୍କ ସହ ଦଳ ଛାଡି ବିଜେପିରେ ସାମିଲ ହୋଉଛନ୍ତି ତେବେ ମେଣ୍ଟ ସରକାର ବହୁମତ ହରାଇ କ୍ଷମତାଚ୍ୟୁତ ହୋଇଯିବ  ।