ଏମପିପିଏସସି ପରୀକ୍ଷା: କାଶ୍ମୀର ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ଘନାଉଛି ବିବାଦ

ଭୋପାଳ: ମଧ୍ୟପ୍ରଦେଶ ଲୋକସେବା ଆୟୋଗ (ଏମପିପିଏସସି) ପରୀକ୍ଷାରେ ଆପତ୍ତିଜନକ ପ୍ରଶ୍ନକୁ ନେଇ ବିବାଦ। କାଶ୍ମୀରକୁ ନେଇ ବିବାଦୀୟ ପ୍ରଶ୍ନ ପଚରାଯିବାକୁ ନେଇ ବିବାଦ ଘନେଇଛି। ସୂଚନା ମୁତାବକ ୧୯ଜୁନରେ ହୋଇଥିବା ମଧ୍ଯପ୍ରଦେଶ ଲୋକସେବା ଆୟୋଗ ପରୀକ୍ଷାରେ ପ୍ରଶ୍ନ ପଚରାଯାଇଥିଲା,  କଣ ଭାରତ ପାକିସ୍ତାନକୁ କାଶ୍ମୀର ଦେଇଦେବା ନିଷ୍ପତ୍ତି ନେବା ଉଚିତ? ବିରୋଧୀ କଂଗ୍ରେସ ଏହି ମାମଲାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛି  । କଂଗ୍ରେସ କହିଛି ରାଜ୍ୟର ସବୁଠୁ ବଡ ପରୀକ୍ଷାରେ ଏପରି ତ୍ରୁଟି ଅତ୍ୟନ୍ତ ଦୁର୍ଭାଗ୍ୟଜନକ  । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ଉପରେ ଦେଶଦ୍ରୋହ ମାମଲା ଲଗାଇବା ପାଇଁ କଂଗ୍ରେସ ଦାବି କରିଛି  ।

ସେହିପରି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି  । ଅନ୍ଯପକ୍ଷରେ ବିବାଧ ଘନେଇବା ପରେ ଏମପିପିଏସସି ଅଧ୍ୟକ୍ଷ ଡା. ରାକେଶ ଲାଲ ମେହରା କହିଛନ୍ତି ବିବାଦୀୟ ପ୍ରଶ୍ନର ନମ୍ବର ଗଣତି ହେବ ନାହିଁ  । ଏମପି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ ଏହି ପ୍ରଶ୍ନକୁ ଆପତ୍ତିଜନକ ସ୍ବୀକାର କରିଛନ୍ତି  । ପେପର ପ୍ରସ୍ତୁତ କରିଥିବା ଦୁଇ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି  । ଅନ୍ୟପକ୍ଷରେ କଂଗ୍ରେସ ନେତା ଭୁପେନ୍ଦ୍ର ଗୁପ୍ତା କହିଛନ୍ତି ସରକାର ଉତ୍ତର ଦିଅନ୍ତୁ ଯେ ଏଭଳି ଦେଶଦ୍ରୋହୀ ପ୍ରଶ୍ନ ପଛରେ ଲୋକସେବା ଆୟୋଗର କଣ ଏଜେଣ୍ଡା ରହିଛି ।

ଏମପିପିଏସସି ଅଧ୍ୟକ୍ଷ କହିଛନ୍ତି ଏହି ଆପତ୍ତିଜନକ ପ୍ରଶ୍ନକୁ ପେପରରୁ ଡିଲେଟ କରିଦିଆଯାଇଛି  । ପେପର ପ୍ରସ୍ତୁତ କରିଥିବା ଏକ୍ସପର୍ଟ ଏବଂ ମଡରେଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ଏମାନଙ୍କୁ ଆଗକୁ କେବେବି କାର୍ଯ୍ୟ କରିବାକୁ ସୁଯୋଗ ମିଳିବ ନାହିଁ  । ଅଧ୍ୟକ୍ଷ ଆଗକୁ ସୂଚନା ଦେଇ କହିଛନ୍ତି ପ୍ରଥମେ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ପେପର ତିଆରି କରିଥାନ୍ତି  । ଏହାପରେ ମଡରେଟର ସେହି ପ୍ରଶ୍ନ ପତ୍ରର ନୀରିକ୍ଷଣ କରିଥାନ୍ତି  । ଏହାପରେ ସିଲ୍ ବନ୍ଦ କରାଯାଇ ପେପରକୁ ସିଧା ପ୍ରିଣ୍ଟିଂ ପାଇଁ ପଠାଯାଇଥାଏ  । ଏଥିରେ ଅଧ୍ୟକ୍ଷ ଏବଂ କଣ୍ଟ୍ରୋଲରଙ୍କ ଦଖଲ ନଥାଏ  । ଏହି ଦୁଇ ଜଣଙ୍କ ନାଁ ଗୋପନ ରଖାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ  । ତେବେ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଜଣଙ୍କ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ମଧ୍ୟପ୍ରଦେଶରେ  ।