ଇଡି କାର୍ଯ୍ୟାଳୟରେ ସୋନିଆ ଗାନ୍ଧୀ; ସତ୍ୟାଗ୍ରହ ଜାରି ରଖିଛି କଂଗ୍ରେସ

ନୂଆଦିଲ୍ଲୀ: ଇଡି କାର୍ଯ୍ୟାଳୟରେ ହାଜର ହେଲେ ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଆଜି ପୁଣି ସୋନିଆଙ୍କୁ ଜେରା କରିବ ଇଡି ଟିମ୍ ସୋନିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ଓ ଜେରାକୁ ନେଇ ବିଭିନ୍ନ ସ୍ଥାନରେ ସତ୍ୟାଗ୍ରହ ଜାରି ରଖିଛି କଂଗ୍ରେସ । ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ ପାଇଁ ପୋଲିସ ଆଲର୍ଟରେ ରହିଥିବା ବେଳେ ଆଇନଶୃଙ୍ଖଳା ପାଇଁ ପ୍ଲାଟୁନ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଗତ ୨୧ ରେ ଇଡି ସୋନିଆଙ୍କୁ ପ୍ରାୟ ତିନି ଘଣ୍ଟା ଧରି ଜେରା କରିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ପଚରାଉଚରା କରିବ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ଜେରାକୁ ନେଇ ସଡ଼କ ସଂସଦ ବିକ୍ଷୋଭ ଜାରି ରଖିଛି ଦଳ । ପାର୍ଟି ଅଫିସରେ କଂଗ୍ରେସ ଲୋକସଭା ଏମପିଙ୍କ ସହ ବିଭିନ୍ନ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ସାମିଲ ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

ସେପଟେ ରାଜଘାଟ ପାର୍ଶ୍ୱ ଗାନ୍ଧୀ ସମାଧି ନିକଟରେ ସତ୍ୟାଗ୍ରହ ପାଇଁ ଦଳକୁ ଅନୁମତି ନମିଳିବାରୁ କେନ୍ଦ୍ର ଉପରେ ବର୍ଷିଛି ଦଳ । ସଂସଦରୁ ରାଷ୍ଟ୍ରପତି ଭବନ ଯାଏଁ କଂଗ୍ରେସ ସାଂସଦଙ୍କ ପଦଯାତ୍ରା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି । ବିଜୟ ଚୌକଠାରେ ରାହୁଲ ଗାନ୍ଧୀଙ୍କ ସହ ବହୁ ଏମପି ଧାରଣାରେ ବସିଥିବା ବେଳେ କେତେଜଣଙ୍କୁ ଉଠାଇ ନେଇଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ସରକାର ଜାଣନ୍ତିନି ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କେତେ ଟଙ୍କା ରହିଛି