ସରକାର ଜାଣନ୍ତିନି ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କେତେ ଟଙ୍କା ରହିଛି

ନୂଆଦିଲ୍ଲୀ: ଭାରତୀୟ ନାଗରିକ ତଥା କମ୍ପାନୀଗୁଡିକ ଦ୍ୱାରା ସ୍ୱିସ୍ ବ୍ୟାଙ୍କରେ କେତେ ଟଙ୍କା ଜମା କରାଯାଇଛି, ସେ ସମ୍ପର୍କରେ ସରକାରଙ୍କ ନିକଟରେ ନାହିଁ ସୂଚନା । ଏହି ଜମା ଅର୍ଥର ପ୍ରକୃତ ପରିମାଣ ନେଇ କୌଣସି ସରକାରୀ ଆକଳନ କରାଯାଇ ନଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ରଖିଛନ୍ତି ଉତ୍ତର । ସ୍ୱିସ୍‌  ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସୀତାରମଣ କହିଛନ୍ତି ଯେ, ୨୦୨୦ ତୁଳନାରେ ୨୦୨୧ ମସିହାରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ବୃଦ୍ଧି ପାଇଛି ।

ଏହି ଜମା ଅର୍ଥ ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା କଳା ଟଙ୍କା ପରିମାଣକୁ ସୂଚିତ କରେ ନାହିଁ । ସ୍ୱିଜରଲାଣ୍ଡ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଭାରତୀୟଙ୍କ ଦ୍ୱାରା ସ୍ୱିଜରଲାଣ୍ଡରେ ଜମା ହୋଇଥିବା ଅର୍ଥର ବିଶ୍ଲେଷଣ ପାଇଁ ଏସଏନବି ବାର୍ଷିକ ବ୍ୟାଙ୍କିଙ୍ଗ ପରିସଂଖ୍ୟାନ କରାଯିବା ଉଚିତ ନୁହେଁ । ଏହା ବଦଳରେ ଲୋକାଲ ବ୍ୟାଙ୍କିଂ  ପରିସଂଖ୍ୟାନ ଯାହା ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସର ସହଯୋଗରେ ଏସଏନବି ସଂଗ୍ରହ କରିଥାଏ, ତାହାକୁ ବ୍ୟବହାର କରାଯିବା ଉଚିତ୍ । ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସର ଲୋକାଲ ବ୍ୟାଙ୍କିଙ୍ଗ ପରିସଂଖ୍ୟାନ ୨୦୨୧ ମସିହା ରିପୋର୍ଟ ଅନୁସାରେ, ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶିର ୮.୩ ପ୍ରତିଶତ ହ୍ରାସ ପାଇଛି ବୋଲି କହିଛନ୍ତି ସୀତାରମଣ । ଏହାସହ ପୂର୍ବରୁ ଅଘୋଷିତ ବିଦେଶୀ ସମ୍ପତ୍ତି ଓ ଆୟକୁ ଟିକସ ପରିସର କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ସୀତାରମଣ । କଳା ଟଙ୍କା ଓ ଟିକସ ଆଇନ ୨୦୧୫ ଅଣାଯାଇଛି । ଯେଉଁଥିରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ଏହି ଆଇନର କାର୍ଯ୍ୟକାରିତା ପାଇ ସାରା ଦେଶରେ ୨୯ଟି ବିଦେଶୀ ସମ୍ପତ୍ତି ଅନୁସନ୍ଧାନ ୟୁନିଟ୍ ଗଠନ କରାଯାଇଛି ବୋଲି ଗୃହରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏଥିସହିତ ପଢ଼ନ୍ତୁ: ଚେନ୍ନାଇରୁ ଫେରିଲା ଦମନ୍‌ର ପୂରା ଟିମ୍; ବାବୁସାନ୍‌ଙ୍କ ପତ୍ତା ମିଳୁନି