ଆଜି କାରଗିଲ୍ ବିଜୟ ଦିବସ; କୁଣ୍ଢେମୋଟ ହେଇଯାଉଛି ସାରା ଦେଶବାସୀଙ୍କ ହୃଦୟ

ନୂଆଦିଲ୍ଲୀ: ଆଜି କାରଗିଲ୍ ବିଜୟ ଦିବସ । ଯେଉଁ ବିଜୟ କଥା ମନେ ପଡ଼ିଲେ ଭାରତୀୟଙ୍କ ଛାତି କୁଣ୍ଢେମୋଟ ହୋଇଯାଏ, ଆଉ ପାକିସ୍ତାନର ହୋସ୍ ଉଡ଼ିଯାଏ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାରଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା । ୨୩ ବର୍ଷ ପରୁଣା ଏକ ଯୁଦ୍ଧ । ଶତ୍ରୁ କବ୍‌ଜାରେ ଥିଲା କାରଗିଲର ପାହାଡ଼ ।

ପାକିସ୍ତାନୀ ସେନାର ଅନୁପ୍ରବେଶ ପରେ ବଦଳି ଯାଇଥିଲା ସମ୍ପୂର୍ଣ୍ଣ କାରଗିଲର ଚିତ୍ର । ରଣକ୍ଷେତ୍ର ପାଲଟିଥିଲା କାରଗିଲ ବକ୍ଷ । ଗୋଳାବାରୁଦ, ବୋମା ବିସ୍ଫୋରଣରେ କମ୍ପିଥିଲା ସେହି ପାହାଡିଆ ଉପତ୍ୟକା । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ଯବାନ କେମିତି ସମସ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ଦେଶର ସୁରକ୍ଷା ଲାଗି ଲଢୁଛନ୍ତି । ପାକିସ୍ତାନର ମୁଖା ଖୋଲିସାରିଥିଲା ଅନ୍ତର୍ଜାତୀୟ ସମୁଦାୟ ସମ୍ମୁଖରେ କାରଗିଲରେ ଭାରତୀୟ ସେନାର କଡ଼ା ଜବାବରେ ଅସ୍ତବ୍ୟସ୍ତ ପାକିସ୍ତାନ ଅନ୍ତର୍ଜାତୀୟ ସହାୟତା ଲୋଡି ହତାସ ହୋଇଥିଲା ।

ବିମାନ ଆକ୍ରମଣ ବନ୍ଦ କରିବାକୁ ନିବେଦନ କରିଥିଲେ ସରିଫ । ଶେଷରେ କାରଗିଲ ଖାଲି କରି ପଳାୟନ କରିଥିଲେ ପାକିସ୍ତାନୀ ସୈନ୍ୟ । ୧୯୯୯ ଜୁଲାଇ ୨୬ରେ ସମାପ୍ତ ହୋଇଥିଲା ଅପରେସନ ବିଜୟ । ସେହି ଗୌରବମୟ ଦିନକୁ ଆଜି ପୂରିଛି ୨୩ବର୍ଷ । ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଦେଶ ପାଇଁ ଜୀବନ ଦେଇଥିଲେ ଓଡ଼ିଶାର ଅନେକ ଯବାନ । ବୀର ଯବାନମାନଙ୍କୁ ମନେ ପକାଇବା ପାଇଁ ତାଙ୍କର ବୀରଗାଥାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ କାରଗିଲ୍ ବିଜୟ ଦିବସ ପାଳନ କରାଯାଏ ।

ଏଥିସହିତ ପଢ଼ନ୍ତୁ: ଦିନକ ପରେ ରାଜ୍ୟରେ ପାଗ ଶୁଖିଲା ହେବ