spot_img
Home Blog Page 4162

ଆପଣଙ୍କ ଘରର ଛାତ ଉପରେ ପଡ଼ିପାରେ ଚୀନର ୨୧ ଟନ ଓଜନର ରକେଟ୍

ବେଜିଂ: କରୋନା ପରେ ଆଉ ଏକ ବିପଦ ଆଣୁଛି ଚୀନ୍ । ବିଗତ ଦିନରେ ଚୀନ ପୃଥିବୀରେ କରୋନା ମହାମାରୀ ବିସ୍ତାର କରିଥିଲା । ଏହା ପରେ ମଧ୍ୟ ନିଜ ଭୁଲକୁ ଗ୍ରହଣ କରିନଥିଲା ଚୀନ । କିନ୍ତୁ ସାରା ବିଶ୍ୱ ଚୀନର ଏପରି କାର୍ଯ୍ୟ ବିଷୟରେ ଅବଗତ ଥିଲା । କରୋନା ପରେ ବିଶ୍ୱ ପାଇଁ ଆଉ ଏକ ବିପଦ ଆଣିଛି ଚୀନ । ଯାହା ବିଶ୍ୱକୁ ଧ୍ୱଂସ ମୁହଁକୁ ଟାଣି ନେଇପାରେ । ମହାକାଶରେ ଚୀନରେ ଏକ ରକେଟ ଆଉଟ ଅଫ କଣ୍ଟ୍ରୋଲ ହୋଇ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି । ଏହି ୨୧ ଟନ୍ ରକେଟର ଭଗ୍ନାବିଶେଷ କେଉଁଠାରେ ପଡ଼ିବ ଏହାର ସବିଶେଷ ତଥ୍ୟ କାହା ପାଖରେ ନାହିଁ ।

ଜ୍ୟୋତିର୍ବିଜ୍ଞାନୀ ଏହାକୁ ନେଇ ଚେତାବନୀ ଦେଇ କହିଛନ୍ତି କି ଏହି ରକେଟର ୩୦ ମିଟରର ଲମ୍ବା ଏକ ଅଂଶ ପୃଥିବୀର ଯେ କୌଣସି ସ୍ଥାନରେ ପଡ଼ିପାରେ । ଏହା ଏତେ ବଡ଼ ଯେ ଯଦି ଏହା କୌଣସି ସହର ଉପରେ ପଡ଼େ ତେବେ ସେହି ସହର ପୂରାପୁରି ଧ୍ୱଂସ ହୋଇଯିବ । ଏହି ଚାଇନିଜ୍ ରକେଟର ଓଜନ ତିନୋଟି T-Rex ଡାଇନୋସର ସହିତ ସମାନ । ତେବେ ବର୍ତ୍ତମାନ ବିଶେଷଜ୍ଞମାନେ ଏହି ରକେଟର ଦିଗ ଖୋଜିବାକୁ ଚେଷ୍ଟା କରୁଛନ୍ତି । ଯଦି ସମ୍ଭବ ହୁଏ ତେବେ ଏହାର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ବିଶେଷଜ୍ଞ ।

ଚୀନ ଏହି ରକେଟକୁ ରବିବାର ଉତକ୍ଷେପଣ କରିଥିଲା । କକ୍ଷପଥରେ ପହଞ୍ଚିବା ପରେ ଏହା ସ୍ପେସ୍ ଷ୍ଟେସନରୁ ବିଚ୍ଛିନ୍ନ ହୋଇ ମହାକାଶରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଜ୍ୟୋତିର୍ବିଜ୍ଞାନୀ ଜୋନାଥନ ମ୍ୟାକଡୋୱେଲ ଚେତାବନୀ ଦେଇଛନ୍ତି ଯେ ଏହି ରକେଟ କେବେ ଓ କେଉଁଠାରେ ପଡ଼ିବ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କିନ୍ତୁ ଏହା ଯେଉଁଠାରେ ବି ପଡ଼ିବ ସେ ସ୍ଥାନ ସମ୍ପୂର୍ଣ୍ଣ ଧ୍ୱଂସ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ ସାର ଗିରଫ

ନୟାଗଡ଼: ବନ୍ଧା ହେଲେ ଶିକ୍ଷକ । ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ୍ ସାର୍‌ ଗିରଫ । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଅଞ୍ଚଳରେ । କୋଭିଡ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଶିକ୍ଷକ ରାଜେଶ ବେହେରା । ଦୁଷ୍କର୍ମ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ କରି ଭାଇରାଲ କରିଥିଲା ଅଭିଯୁକ୍ତ । ଭାଇରାଲ ପରେ ନାବାଳିକାର ପରିବାର ରଣପୁର ଥାନାରେ ଅଭିଯୋଗ କରିଥିଲେ । ରଣପୁର ପୋଲିସ୍ ୨ଟି ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ଚାଲାଣ କରିଛି ପୋଲିସ ।

ଅଭିଯୁକ୍ତ ଶିକ୍ଷକର ଘର ଓଡ଼ଗାଁ ନନ୍ଦୀଘର କମାର ସାହିରେ । ତଦନ୍ତ ପାଇଁ ୧୫ ଦିନଆ ରିମାଣ୍ଡ  ଆବେଦନ କରିଛି ରଣପୁର ପୋଲିସ । ଅଭିଯୁକ୍ତ ଶିକ୍ଷକ ଜଣକ ଜଣେ ମେଧାବୀ ଛାତ୍ର । କିଛି ମାସ ହେବ ସେ ସରକାରୀ ଶିକ୍ଷକ ଭାବେ ଓଡ଼ଗାଁ ସ୍କୁଲରେ ନିଯୁକ୍ତି ପାଇଥିଲା। ଚାକିରି ପୂର୍ବରୁ ରାଜସୁନାଖଳାରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲା ଅଭିଯୁକ୍ତ ରାଜେଶ । କୋଭିଡ ସମୟରେ ନବମ ଓ ଦଶମ ନାବାଳିକାଙ୍କୁ ଏକାକୀ ଡାକି ସେମାନଙ୍କୁ ବିଭିନ୍ନ ଅଶ୍ଲୀଳ ଭିଡିଓ ଦେଖାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ମୋବାଇଲରେ ସେଭ୍ କରି ରଖୁଥିବା ଅଭିଯୋଗ ରହିଛି । ପୋଲିସ୍ ରାଜେଶର ମୋବାଇଲ ଓ ଲାପଟପ୍ ଜବତ କରିଛି ।

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ଶିବସେନା ବନାମ ଶିବସେନା । ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଠାକରେ । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କୋର୍ଟରେ ଦ୍ୱାରସ୍ଥ ହେଲେ ଉଦ୍ଧବ ଠାକରେ । ଲୋକସଭାରୁ ବେଆଇନ୍ ଭାବେ ଉଦ୍ଧବଙ୍କ ଟିମର ସାଂସଦଙ୍କୁ ପଦରୁ ହଟାଯାଇଛି । ଏହା ସହ ଲୋକସଭାରେ ଏକନାଥ ସିନ୍ଦେଙ୍କ ଟିମର ସାଂସଦଙ୍କୁ ଶିବସେନାର ନେତା ଭାବେ ଅଧିଷ୍ଠିତ କରାଯାଇଛି । ଯାହାକୁ ବିରୋଧ କରିଛନ୍ତି ଉଦ୍ଧବ ଠାକରେ । ଏନେଇ ଦଳର ଅଧ୍ୟକ୍ଷ ଭାବେ କୌଣସି ପ୍ରକାର ଆଲୋଚନା ମଧ୍ୟ ହୋଇନାହିଁ ।

ଓମ୍ ବିର୍ଲା ଖୋଲାଖୋଲି ଭାବେ ଆଇନ୍ ଉଲଘଂନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଉଦ୍ଧବ ଠାକରେ । ଏନେଇ ସୁପ୍ରିମକୋର୍ଟରେ ଅଭିଯୋଗ କରିବା ସହ ନ୍ୟାୟ ଦାବି କରିଛନ୍ତି ଉଦ୍ଧବ । ଗତ ୧୯ ତାରିଖରେ ଶିବସେନାର ବିଦ୍ରୋହୀ ସାଂସଦ ଓମ୍ ବିର୍ଲାଙ୍କୁ ଭେଟିବା ସହ ଲୋକସଭାରେ ଚିଫ୍ ହୁଇପ୍ ପଦର ଦାବି ଉଠାଇଥିଲେ ।

ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀଜିଉଙ୍କ ନିକଟରେ ଲାଗିହେବ ହୀରା ଖଚିତ ଚିତା

ପୁରୀ: ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା । ପତି ମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମହାପ୍ରଭୁଙ୍କୁ ଏହି ଚିତା ଲାଗି କରିବେ । ମହାପ୍ରଭୁ ଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା  ଖଚିତ ରତ୍ନ ଚିତା ଲାଗି କରାଯିବ। ଚିତାଲାଗି ପରେ ମହାପ୍ରଭୁଙ୍କର ମହାସ୍ନାନ କରାଯିବ ।

ସ୍ନାନପୂର୍ଣ୍ଣମୀରେ ସ୍ନାନ ପରେ ମହାପ୍ରଭୁ ଅଣସର ଘରେ ଥିଲେ। ସେହି ସମୟରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ଚିତା ଗୁଡିକୁ କାଢ଼ି ନିଆଯାଇଥିଲା । ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ଆଜି ସେହି ସୋଲ ଚିତାକୁ କଢ଼ାଯାଇ ହୀରା ଖଚିତ ଚିତା ଲାଗି କରାଯିବ । ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିତି ଆୟୋଗର ପ୍ରଶଂସା

ଭୁବନେଶ୍ବର: ଓଡ଼ିଶାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନିତି ଆୟୋଗର ପ୍ରଶଂସା । ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ପଦ୍ଧତି ସମ୍ପୂର୍ଣ୍ଣ କରି ରାଜ୍ୟର ବିଭିନ୍ନ ମହିଳା ଏସଏଚଜି ଟେକ୍ ହୋମ୍ ରାସନ ବା ଟିଏଚଆର କାର୍ଯ୍ୟକ୍ରମକୁ ସମ୍ପାଦନ କରୁଛନ୍ତି । ଗହମ, ଚାଉଳ କିଣିବାଠାରୁ ଆରମ୍ଭ କରି ଏହାକୁ ପ୍ରୋସେସ କରି ଖାଦ୍ୟ ସାମଗ୍ରୀ ଘରେ ପହଞ୍ଚାଇବା ପର୍ଯ୍ୟନ୍ତ ସବୁ କିଛି ସମ୍ପାଦନା କରୁଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ଏସବୁ କାମ ପାଇଁ ସମସ୍ତ ଏସଏଚଜି ପାଖରେ ଆବଶ୍ୟକୀୟ ସରଞ୍ଜାମ ସହିତ ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷଙ୍କ ଠାରୁ ଲାଇସେନ୍ସ ମଧ୍ୟ ରହିଛି । ଏସଏଚଜିର ଏଭଳି କାର୍ଯ୍ୟକୁ ନିତି ଆୟୋଗ ସ୍ବତନ୍ତ୍ର ରିପୋର୍ଟରେ ସ୍ଥାନ ଦେଇଛନ୍ତି  ।

ପ୍ରତିମାସ ୧୦ତାରିଖରେ ଏଫସିଆଇରୁ ଏସଏଚଜି ମାନେ ଚାଉଳ, ଗହମ ସଂଗ୍ରହ କରି ଏଥିରୁ ଛତୁଆ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ସେହିଭଳି ପ୍ରତିମାସ ୧୭ ତାରିଖରେ ପ୍ରସ୍ତୁତି କାମ ସରୁଥିବାବେଳେ ୨୯ ତାରିଖ ସୁଦ୍ଧା ଏହାର ବଣ୍ଟନ ଦାୟିତ୍ବ ମଧ୍ୟ ତୁଲାଇଥାନ୍ତି ।

ବିଏସଏନଏଲ ଓ ବିବିଏନଏଲର ହେବ ମିଶ୍ରଣ

ନୂଆଦିଲ୍ଲୀ: ବିଏସଏନଏଲର ହେବ ପୁନରୁଦ୍ଧାର । ଏଥିସହ ବିଏସଏନଏଲ ଏବଂ ବିବିଏନଏଲ ମଧ୍ୟରେ ହେବ ମିଶ୍ରଣ । ଏନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିସହ ବିଏସଏନଏଲର ୪ଜି ନେଟଓ୍ବାର୍କକୁ ବିସ୍ତାର କରିବା ପାଇଁ ସବୁ ବ୍ୟବସ୍ଥା କରାଯିବ । କେନ୍ଦ୍ର ପକ୍ଷରୁ ଏନେଇ ଏକ ଲକ୍ଷ ୪୬ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି ।

ଗ୍ରାମାଞ୍ଚଳରେ ବିଏସଏନଏଲ ନେଟଓ୍ବାର୍କକୁ ଅଧିକ ସୁଦୃଢ କରାଯିବ । ୪ଜି ସେବାକୁ ବିସ୍ତାର କରିବା ପାଇଁ ବିଏସଏନଏଲକୁ ସ୍ପେକଟ୍ରମ୍ ଆବଣ୍ଟିତ କରାଯିବ । ଏଥିସହ ବିଏସଏନଏଲର ବୈଧାନିକ ୩୩ ହଜାର କୋଟିକୁ ଇକ୍ୟୁଇଟିରେ ପରିଣତ କରାଯିବ । ୩୩ ହଜାର କୋଟି ଟଙ୍କାର ବାକି ସୁଝିବା ପାଇଁ ବଣ୍ଡ ଜାରି କରାଯିବ ଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଅର୍ପିତାଙ୍କ ଘରୁ ମିଳିଲା ଆଉ ୨୦ କୋଟି ଟଙ୍କା ଓ ୩ କେଜି ସୁନା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷା ବିଭାଗ ମହା ଘୋଟାଲାର ତଦନ୍ତରେ ମିଳୁଛି ପୁଳା ପୁଳା ଟଙ୍କା । ଅର୍ପିତା ମୁଖାର୍ଜୀଙ୍କ ଦ୍ବିତୀୟ ଘରୁ ଆଜି ଇଡି ପୁଣି ୨୦ କୋଟି ଟଙ୍କା ସହ ୩ କେଜି ସୁନା ଜବତ କରିଛି । ମେସିନ ଲଗାଇ ଇଡି ପକ୍ଷରୁ ଟଙ୍କା ଗଣା ଚାଲିଛି । ଏହାକୁ ମିଶାଇ ଏହି ମହା ଘୋଟାଲାରେ ୪୨ କୋଟି ଟଙ୍କା ଜବତ କରାଯାଇ ସାରିଛି । ପୂର୍ବରୁ ଅର୍ପିତାଙ୍କ ପ୍ରଥମ ଘରୁ ୨୨ କୋଟି ଟଙ୍କା ଜବତ କରିଥିଲା ଇଡି । ଯେଉଁଥିରେ ଭାରତୀୟ ମୁଦ୍ରା ସହ ବିଦେଶୀ ମୁଦ୍ରା ମିଳିଥିଲା । ଏହି ସମୟରେ ଅର୍ପିତାଙ୍କ ଘରୁ ୨୦ରୁ ଅଧିକ ଫୋନ ଓ ବିଭିନ୍ନ କମ୍ପାନୀର କାଗଜପତ୍ର ଜବତ କରାଯାଇଥିଲା ।

ଅର୍ପିତାଙ୍କ ଦ୍ବିତୀୟ ଘର ବ୍ଲାକ ଟାଉନ ଆପାର୍ଟମେଣ୍ଟରେ ବିପୁଳ ଟଙ୍କା ଲୁଚାଇ ରଖା ଯାଇଥିବା ଇଡିକୁ ସୂଚନା ମିଳିଥିଲା । ଏହାକୁ ଆଧାର କରି ଇଡି ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇଥିଲା । ୪ଟି ମେସିନ ଲଗାଇ ଟଙ୍କା ଗଣା ଚାଲିଛି ।

ଏହି ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ଇଡି ତରଫରୁ ଘଣ୍ଟା ଘଣ୍ଟା ଜେରା କରାଯାଇଛି । ବିଶେଷ କରି ଏକ କଳା ଡାଏରୀକୁ ନେଇ ଇଡି ତାଙ୍କୁ ଗୋଡ଼ାଇ ତୋଡ଼ାଇ ପ୍ରଶ୍ନ କରିଛି । ଏ ହେଉଛି ସେହି ବ୍ଲାକ ଡାଏରୀ ଯାହାକୁ ଚଢାଉ ବେଳେ ଇଡି ଅର୍ପିତାଙ୍କ ଘରୁ ଜବତ କରିଥିଲା ।

ଓଲିଉଡରେ ନିଶା ଲିଙ୍କ !

ଭୁବନେଶ୍ବର: ବଲିଉଡ଼ ପରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଓଲିଉଡରେ ନିଶା ଲିଙ୍କ । ହୋଇପାରେ ଅଧିକ ଖୋଳତାଡ଼ । ଅଧିକ ଅଡୁଆରେ ପଡ଼ି ପାରନ୍ତି ଅଭିନେତା ବାବୁସାନ । ଷ୍ଟାର କଳିର ବ୍ରାଉନ ସୁଗର, ଚରସ ଲିଙ୍କ ନେଇ ଏସଟିଏଫ୍ ବଡ଼ ବୟାନ ପରେ ବାବୁସାନଙ୍କ ଅଡୁଆ ବଢ଼ିପାରେ ।

ଏସଟିଏଫ ପକ୍ଷରୁ କୁହାଯାଇଛି, କମିଶନରେଟ ପୋଲିସ ସହଯୋଗ ଚାହିଁଲେ ଆମେ ତଦନ୍ତ କରିପାରୁ । ଅଧିକ ତଥ୍ୟ ଅନୁସାରେ ଏହି ଲିଙ୍କର ହେବ ତଦନ୍ତ । ଅଭିଯୋଗ ଆସିଲେ ଏହାର ବିଚାର କରାଯିବା ବୋଲି କହିଛି ଏସଟିଏଫ । ଏହି ଅଭିଯୋଗର ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ଅଭିନେତା ଓ ଅଭିନେତ୍ରୀ । ଏ ନେଇ ସୂଚନା ଦେଇଛନ୍ତି ଏସଟିଏଫ୍ ଡିଏସପି ସଚ୍ଚିଦାନନ୍ଦ ରଥ ।

ନବ ନିଯୁକ୍ତ ଓକିଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ

ଭୁବନେଶ୍ବର: ନବ ନିଯୁକ୍ତ ୪୧ ଜଣ ସରକାରୀ ଓକିଲଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନବ ନିଯୁକ୍ତ ଓକିଲଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ‘ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କ ପଦକ୍ଷେପ ନେଇଛନ୍ତି । ଗରିବରୁ ଅତି ଗରିବଙ୍କ ନ୍ୟାୟ ପଦ୍ଧତି ଉପରେ ବିଶ୍ବାସ ବଢୁଛି । ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ ଉପରେ କାମ କର । ଆଇନ ଆଖିରେ ସମସ୍ତେ ସମାନ ଏହା ଗରିବରୁ ଅତି ଗରିବ ହୃଦୟଙ୍ଗମ କରନ୍ତୁ ।’ ଲୋକସଭା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କର୍ମଶାଳରେ ଭର୍ଚୁଆଲରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଆଗକୁ ସେ ଆହୁରି କହିଛନ୍ତି, ‘ନବ ନିଯୁକ୍ତ ଓକିଲ ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ କାମ କରିବାର ଅନୁଭବ ରଖନ୍ତି । ଏହା ନ୍ୟାୟିକ ବିତରଣ ପାଇଁ ଭଲ ଖବର । ଏମାନେ ଆଗକୁ ବଢ଼ି ଗରିବରୁ ଅତି ଗରିବ ଲୋକଙ୍କୁ ସେବା ଯୋଗାଇବାକୁ ପ୍ରୟାସ କରିବେ । ରାଜ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆହୁରି ଅଧିକ ତ୍ବରିତ ହେବାର ଆବଶ୍ୟକତା ରହିଛି । 5Tରେ ଟେକ୍ନୋଲଜି ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଓ ଏହାକୁ ତ୍ବରିତ ନ୍ୟାୟ ପ୍ରଦାନରେ ଉପଯୋଗ କରାଯାଉଛି ।’

ଏହି ଅବସରରେ ଗୃହ ରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ନବ ନିଯୁକ୍ତ ଓକିଲଙ୍କୁ ସଚ୍ଚୋଟାତ ଓ ପାରଦର୍ଶୀ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ତ୍ବରିତ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ଗରିବ ଓ ବଞ୍ଚିତ ବର୍ଗର ପୀଡ଼ିତଙ୍କ ବିଶ୍ବାସ ଜିତି ସଚ୍ଚୋଟତାର ସହ କାମ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଥିଲେ ।

5T ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଆଗୁଆ ଜାମିନ ପାଇଁ ହାଇକୋର୍ଟକୁ ଗଲେ ବାବୁସାନ

କଟକ: ଆଗୁଆ ଜାବିନ ପାଇଁ ହାଇକୋର୍ଟକୁ ଗଲେ ବାବୁସାନ । ପତ୍ନୀ ତୃପ୍ତି ଶତପଥିଙ୍କ ଅଭିଯୋଗ ଆଧାରରେ ଆଇପିସି ୪୯୮ ‘ଏ’ରେ ହୋଇଛି ମାମଲା । ଖାରବେଳ ନଗର ଥାନାରେ ବାବୁସାନଙ୍କ ନାଁରେ ତୃପ୍ତି ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ଆଜି ବାବୁସାନ ଓଡ଼ିଶା ଫେରିବା ପରେ ୪ ଦିନ ହେଲା ଲାଗିଥିବା ହାଇଡ୍ରାମାରେ ଯବନିକା ପଡିଛି । ଆଜି ସକାଳ ପ୍ରାୟ ସାଢେ ୮ଟାରେ ଚେନ୍ନାଇରୁ ବିମାନ ଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ବାବୁସାନ । ସେଠାରୁ ସେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ଘରେ ଥିବା ନିଜ ବାପାମାଆଙ୍କ ପାଖକୁ ଯାଇଥିଲେ । ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଥିଲେ ବାବୁସାନ । ଗତକାଲି ବାବୁସାନ ମହାନ୍ତି ଚେନ୍ନାଇ ଏୟାରପୋର୍ଟରେ ଥିବା ଭିଡିଓ ସାମ୍ନାକୁ ଆସିଥିଲା । ହେଲେ ଏହାପରେ ବି ସେ ଭୁବନେଶ୍ବର ଫେରି ନ ଥିଲେ ।

ବାବୁସାନ, ପ୍ରକୃତି, ତୃପ୍ତି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଥିବା ବେଳେ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ପ୍ରକୃତି ମିଶ୍ର । ଏହାପରେ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରିଥିଲା ଖାରବେଳନଗର ଥାନା ପୋଲିସ । ଏପଟେ ବାବୁସାନଙ୍କୁ ଆଜି ଭୁବନେଶ୍ବରରେ ପହଞ୍ଚିଥିବାରୁ ତାଙ୍କୁ ପଚରାଉଚରା କରିପାରେ ପୋଲିସ । ରାଜଧାନୀରେ ବାବୁସାନ, ତୃପ୍ତି, ପ୍ରକୃତିଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିବା ବେଳେ ଚେନ୍ନାଇ ପଳାଇଥିଲେ ବାବୁସାନ ଓ ପ୍ରକୃତି ।