ଆଜି ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦାଖଲର ଶେଷ ଦିନ

ଭୁବନେଶ୍ବର: ରାଜ୍ୟରେ କେତେ କ୍ଷୟକ୍ଷତି କରିଛି ବନ୍ୟା । ଭାଙ୍ଗିଛି କେତେ ଘର ? ନଷ୍ଟ ହୋଇଛି କେତେ ଫସଲ ? ଏନେଇ ଆଜି ରାଜସ୍ବ ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବେ ଜିଲ୍ଲା ପ୍ରଶାସନ  । ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା  । ଆଜି ହେଉଛି ରିପୋର୍ଟ ଦାଖଲର ଶେଷ ଦିନ  ।

ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୫ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ହୋଇଥିଲେ । ଏକର ଏକର ଜମିରେ ଫସଲ ନଷ୍ଟ ହୋଇଛି ।  ଫସଲ କ୍ଷୟକ୍ଷତି ରିପୋର୍ଟ ଆଜି ସୁଦ୍ଧା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗ ନିର୍ଦ୍ଦେଶ ଦେଇଥିଲା । ସେହିପରି ମତ୍ସ୍ୟ ଓ ପ୍ରାଣୀଧନ ସୁରକ୍ଷା ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଅନୁଧ୍ୟାନ କରି ତୁରନ୍ତ ରିଲିଫ କୋଡ୍ ଅନୁସାରେ ସହାୟତା ରାଶି ଯୋଗାଇ ଦିଆଯିବ।

କୌଣସି ବନ୍ୟା ବିପନ୍ନ ଯେମିତି ସରକାରୀ ସହାୟତାରୁ ବଞ୍ଚିତ ନହେବେ ତା ଉପରେ ଗୁରୁତ୍ବ ଦିଆଯାଉଛି  । ସେପ୍ଟେମ୍ବର ସୁଦ୍ଧା ବନ୍ୟା ଯୋଗୁ ସୃଷ୍ଟି ହୋଇଥିବା ୭ଟି ଘାଇର ସ୍ଥାୟୀ ମରାମତି କରାଯିବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ଅନୁଧ୍ୟାନ କରି ପାଣି ଛାଡ଼ିବାର ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ ଓ ୧୫ ଦିନ ଭିତରେ ଲୋକଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।