ଝାଡୁ ଧରିଲେ ମେୟର କମିଶନର କର୍ପୋରେଟର, କ୍ଲିନ୍‌ସିଟି ହେବ ରାଜଧାନୀ

ଭୁବନେଶ୍ବର: ରାଜଧାନୀରେ ଜୋରଦାର ମିଶନ ସଫେଇ । ସ୍ମାର୍ଟସିଟିକୁ ସଫା ରଖିବାକୁ ନିଜେ ସଫେଇ କରିବାକୁ ଅଣ୍ଟା ଭିଡିଛନ୍ତି ମେୟର, କମିଶନର ଓ କର୍ପୋରେଟର ମାନେ । ତେଣୁ ମାସର ଦ୍ବିତୀୟ ଓ ଶେଷ ଶନିବାର ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ସ୍ବେଚ୍ଛାକୃତ ଭାବେ ସଫେଇରେ ସାମିଲ ହୋଇଛନ୍ତି ରାଜଧାନୀବାସୀ । ଆଜି ଖଣ୍ଡଗିରି ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଚାଲିଛି ।

ରାଜଧାନୀର ସ୍ବଚ୍ଛତା ପାଇଁ ମେୟର ଓ କର୍ପୋରେଟର ମାନେ ମାସର ଶେଷ ରବିବାର ବିଭିନ୍ନ ସ୍ଥାନରେ ସଫେଇ କରିବା ନେଇ ନିଷ୍ପତ୍ତି ନେଇଥିଲା ବିଏମସି । ଲୋକଙ୍କୁ ସଚେତନ କରିବା ସହିତ ସ୍ବଚ୍ଛ ସହରର ଆହ୍ବାନ ଦେଇ ଆଜିଠୁ ଏଭଳି ନୂଆ ଅଭିଯାନ ଆରମ୍ଭ କରିଛି ବିଏମସି ।

ପୂର୍ବରୁ ବି ସକାଳ ୬ଟାରୁ ରସୁଲଗଡ଼ ଓଭରବ୍ରିଜ ତଳୁ ଆରମ୍ଭ ହୋଇଛି ସଫେଇ ଅଭିଯାନ । ସଫେଇ ଅଭିଯାନରେ ସାମିଲ ହୋଇଥିଲେ କର୍ପୋରେଟର ଓ ମେୟର । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ଭୁବନେଶ୍ବରକୁ କ୍ଲିନ ଓ ଗ୍ରୀନ ସହରରେ ପରିଣତ କରିବାକୁ ଲୋକଙ୍କ ସହଯୋଗ କାମନା କରିଛି ବିଏମସି ।

ସହରର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇ ରାତ୍ରକାଳୀନ ସଫେଇ ଆରମ୍ଭ ହୋଇଛି । ବ୍ୟବସାୟିକ ପ୍ରତିଷ୍ଠାନକୁ ଅନ୍ୟୁନ ୫ ମିଟର ପରିଧିର ପରିମଳ ଦାୟିତ୍ବ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ଫାଇନ ଆଦାୟ ହେଉଛି । ଏଥିରେ ଭୁବନେଶ୍ବରବାସୀ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ମେୟର ସୁଲୋଚନା ଦାସ ।