ଶପଥ ନେଲେ ଦେଶର ୪୯ତମ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଶପଥ ନେଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ । ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ । ରାଷ୍ଟ୍ରପତି ଭବନରେ ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ସୁପ୍ରିମକୋର୍ଟ ଜଷ୍ଟିସ ଉପସ୍ଥିତ ଥିଲେ ।

ଆସନ୍ତା ୭୪ ଦିନ ପାଇଁ ସିଜେଆଇ ଭାବେ ଦାୟିତ୍ବରେ ରହିବେ ଜଷ୍ଟିସ ଲଳିତ । ମୁଖ୍ୟ ବିଚାରପତି ଭାବେ କିଛି କ୍ଷେତ୍ରକୁ ସେ ବିଶେଷ ଗୁରୁତ୍ବ ଦେବେ ବୋଲି କହିଛନ୍ତି ୟୁୟୁ ଲଳିତ । ଶୁଣାଣିରେ ପ୍ରାଧାନ୍ୟ ଥିବା ମାମଲାକୁ ଲିଷ୍ଟିଂ କରାଯିବ ।  ଗୁରୁତ୍ବପୂର୍ଣ୍ଣ ମାମଲାରେ କିପରି ଶିଘ୍ର ଶୁଣାଣି ହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ୨୦୧୪ରେ ଜଷ୍ଟିସ ଲଳିତ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଜଷ୍ଟିସ ଲଳିତଙ୍କ ନାଁକୁ ସୁପାରିସ କରିଥିଲେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ।

ନଭେମ୍ବର ୮ ତାରିଖରେ ସେ ସିଜେଆଇ ପଦରୁ ଅବସର ନେବେ । ସମ୍ବିଧାନର ଧାରା ୧୨୪ର ଉପଧାରା ୨ ଅନୁସାରେ ନିଯୁକ୍ତି ଦିଆଯାଇଛି ।