ପାକିସ୍ତାନରେ ଜଳପ୍ରଳୟ, ଭାସିଗଲେଣି ଏକ ହଜାରରୁ ଅଧିକ

କରାଚୀ: ଭୟଙ୍କର ହେବାରେ ଲାଗିଛି ପାକିସ୍ତାନ ବନ୍ୟା । ଅଭୁତପୂର୍ବ ବନ୍ୟାରେ ହଜାର ହଜାର ଘର ଭାସିଯାଇ ଥିବାବେଳେ ବାସହୀନ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ପ୍ରାୟ ୧ ହଜାର ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୩୫୦ରୁ ଅଧିକ ଶିଶୁ । ବାସହୀନ ହୋଇଛନ୍ତି ପ୍ରାୟ ୩ କୋଟି ଲୋକ । ବନ୍ୟାର ଭୟଙ୍କର ଛାତିଥରା ଦୃଶ୍ୟ ବିଶ୍ବବାସୀଙ୍କୁ କରିଛି ବିଚଳିତ ।

ବନ୍ୟାର ଭୟଙ୍କାରିତାକୁ ନେଇ ପାକିସ୍ତାନ ସରକାର ଜାତୀୟ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସିନ୍ଧ ପ୍ରଦେଶ । ଏଠାରେ ବନ୍ୟା ନାହିଁ ନଥିବା କ୍ଷତି କରିଛି ବୋଲି ସୂଚନା ଦେଇଛି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ସିନ୍ଧୁ ଓ ସ୍ବାତ ନଦୀରେ ବନ୍ୟା ପ୍ରକୋପ ରହିଥିବାବେଳେ ଅବବାହିକାରେ ଜାରି ରହିଛି ଜଳପ୍ରଳୟ ।

ବେଲୁଚିସ୍ତାନରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୫୦ ହୋଇଥିବାବେଳେ ଖାଇବର ପଖତୁନଖାଓ୍ବା, ପଞ୍ଜାବରେ ମଧ୍ୟ ନାହିଁ ନଥିବା କ୍ଷତି ଘଟିଛି । ଚଳିତ ମାସରେ ପାକିସ୍ତାନରେ ବର୍ଷା ପରିମାଣ ୨୪୧ ପ୍ରତିଶତ ବଢିବା ଯୋଗୁଁ ଅଧିକାଂଶ ନଦୀରେ ଘଟିଛି ଜଳପ୍ରଳୟ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସିନ୍ଧ ପ୍ରଦେଶ ଗସ୍ତ କରି ୧୫ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି  । ସେପଟେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଡେରା ଇସମାଇଲ ଖାନ ଓ ଟାଙ୍କ୍‌ ଯାଇ ବନ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି  ।