spot_img
Home Blog Page 4102

ସ୍କୁଲରେ ପଶିଲା ବନ୍ୟାପାଣି, ବାତିଲ ହେଲା ପରୀକ୍ଷା

ଭଦ୍ରକ: ବନ୍ୟାପାଣି ପାଇଁ ବାତିଲ ହେଲା ପରୀକ୍ଷା । ସ୍କୁଲରେ ବନ୍ୟାଜଳ ପଶିବାରୁ ପରୀକ୍ଷା ବାତିଲ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ହେମେନ୍ଦ୍ର ନାଥ ହାଇସ୍କୁଲରେ ଫରମେଟିଭ୍ ଆସେସମେଣ୍ଟ ପରୀକ୍ଷା ବନ୍ଦ ହୋଇଛି । ଦୀର୍ଘ ସମୟ ଛିଡ଼ା ହେବା ପରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ନଦେଇ ଫେରିଛନ୍ତି ।

ଖବର ଅନୁଯାୟୀ, ହେମେନ୍ଦ୍ର ନାଥ ହାଇସ୍କୁଲରେ ରେବ ଓ କପାଳି ନଦୀର ବନ୍ୟାଜଳ ପ୍ରବେଶ କରିଛି । କ୍ଲାସ ରୁମରେ ବନ୍ୟା ଜଳ ଭର୍ତ୍ତି ହୋଇଥିବାରୁ ଫରମେଟିଭ ଆସେସମେଣ୍ଟ ପରୀକ୍ଷା ହୋଇପାରିନାହିଁ । ସ୍କୁଲକୁ ଯିବା ବେଳେ ଆଣ୍ଠୁଏ ପାଣି ହେଉଥିବା ବେଳେ କ୍ଲାସ ରୁମରେ ପାଣି ଭର୍ତ୍ତି ରହିଛି । ଏମିତି ସ୍ଥିତିରେ ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି ।

ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, କହିଲେ ବିପନ୍ନଙ୍କ ପାଇଁ କରାଯାଇଛି ଖାଦ୍ୟ, ପାନୀୟ ଜଳ ଓ ଔଷଧ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ଆହୁରି ୩ରୁ ୪ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବନ୍ୟା ଦ୍ବାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ସହ ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । ବର୍ତ୍ତମାନ ଘଣ୍ଟାକୁ ୧୭ ହଜାର କ୍ୟୁସେକ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟାକୁ ୨୫ ହଜାର କ୍ୟୁସେକ ପାଣି ଖସିବ। ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀଠାରେ କାଲି ସକାଳେ ପହଞ୍ଚିବ । ପ୍ରାୟ ୯ରୁ ୧୦ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟାରେ ପ୍ରଭାବିତ ହୋଇଛି । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।

ଆଜି ଓଡ୍ରାଫ, NDRF, ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ ପଠାଯାଇଛି । ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ଆକଳନ କରାଯାଉଥିବାରୁ କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତର ସମନ୍ବୟ ରଖାଯାଉଛି । ପର୍ଯ୍ୟାପ୍ତ କିଟ୍ ପାଇଁ କୁହାଯାଇଛି । ସବୁ ସିଏଚସିରେ ଆଣ୍ଟି ଭେନମ କିଟ୍ ଅଧିକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରେସକ୍ୟୁ ଅପରେସନ ଚାଲିଛି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି । ଘାଇ ଓ ଘଳିଆ ମରାମତି କରାଯାଉଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି।

୫ ଦିନ ପରେ ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ

ଆଠଗଡ଼: ୫ ଦିନ ପରେ ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପା-ପୁଅ । ଉଭୟ ବାପ-ପୁଅଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ଛେଳି ଚରାଇବାକୁ ଯାଇ ଉଭୟ ୫ ଦିନ ହେବ ମହାନଦୀର ଟାପୁରେ ଫସିଯାଇଥିଲେ ।

ସୂଚନା ଅନୁସାରେ ଆଠଗଡ଼ କନ୍ଦରପୁର ଅମଙ୍ଗେକୁଦରେ ବାପ-ପୁଅ ଫସି ରହିଥିଲେ । ୫ ଦିନ ତଳେ ଛେଳି ଚରାଇବାକୁ ଯାଇଥିଲେ । କିନ୍ତୁ ହଠାତ ବନ୍ୟା ପାଣି ମାଡ଼ି ଆସିବାରୁ ଉଭୟ ସେହି ଟାପୁରେ ଫସିଯାଇଥିଲେ । ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ । ତେବେ ଖବର ପାଇ ଓଡ୍ରାଫ୍ ଟିମ୍ ଜରିଆରେ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଶେଷରେ ଓଡ୍ରାଫ ଟିମ୍ ଟାପୁରେ ପହଞ୍ଚି ଉଭୟ ବାପ-ପୁଅଙ୍କୁ ଉଦ୍ଧାର କରିଥିଲେ ।

 

 

ଗୁରୁଦିବସରେ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’

ଭୁବନେଶ୍ୱର: ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ । ଗୁରୁଦିବସ ଉପଲକ୍ଷେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ନିଆରା ପ୍ରୟାସ । ସିଭିରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରଦାନ କରାଯିବ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’ । ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବର୍ଗରେ ୩ ଜଣ ଲେଖାଏଁ ସମୁଦାୟ ୯ ଜଣ ଶିକ୍ଷକ ପାଇବେ ଆର୍ଥିକ ପୁରସ୍କାର ଏବଂ ସମ୍ମାନ । ଉଭୟ ସରକାରୀ ଏବଂ ଘରୋଇ ସ୍କୁଲର ଶିକ୍ଷକ ଏଥିପାଇଁ ଆବେଦନ କରିପାରିବେ । ଅଗଷ୍ଟ ୨୩ ତାରିଖ ହେଉଛି ଆବେଦନ କରିବାର ଶେଷ ତାରିଖ ।

ଆଗ୍ରହୀ ଶିକ୍ଷକମାନେ [email protected] ରେ ସିଧାସଳଖ ଆବେଦନ କରିପାରିବେ । ନିଜ ବାୟୋଡାଟା ସହ ସାଧା କାଗଜରେ ଆବେଦନ କରିପାରିବେ । ଏହି ଆବେଦନ ପତ୍ରରେ ନିଜେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରିଥିବା ନୂତନ ପଦ୍ଧତି ସମ୍ପର୍କରେ ସମ୍ୟକ ସୂଚନା ରହିବା ଆବଶ୍ୟକ । ଗତ ଦୁଇ ବର୍ଷ ମଧ୍ୟରେ ଆପଣଙ୍କ ଛାତ୍ରଛାତ୍ରୀ କିଭଳି ପରୀକ୍ଷାଫଳ କରିଛନ୍ତି ସେ ସମ୍ପର୍କିତ ବିବରଣୀ ସଂଲଗ୍ନ କରିବା ଜରୁରୀ । ଯଦି ଆପଣ ସରକାରୀ ସ୍କୁଲର ଶିକ୍ଷକ, ତାହେଲେ ଆପଣଙ୍କ ସଫଳତା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଯଦି ଆପଣ ଘରୋଇ ସ୍କୁଲର ଶିକ୍ଷକ, ତାହେଲେ ନିଜ ସ୍କୁଲର ଅଧ୍ୟକ୍ଷଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଆପଣଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ଏକ ସ୍ୱଘୋଷିତ ପତ୍ର ମଧ୍ୟ ଆବେଦନ ସହ ସଂଯୁକ୍ତ କରିବେ । ଏହି ଆବେଦନ ପାଇଁ ଶିକ୍ଷକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ରାଜଧାନୀରେ ପଶିଲା ବନ୍ୟାଜଳ

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ମହାନଦୀରେ ଆସିଥିବା ବଡ଼ ବନ୍ୟାରେ ପୂରା ଅଧା ଓଡ଼ିଶା ଏବେ ଜଳମଗ୍ନ । ତେବେ ରାଜଧାନୀ ଭୁବନେଶ୍ୱରରେ ପଶିଛି ବନ୍ୟାଜଳ । ଦୟାନଦୀର ଉଚ୍ଛୁଳା ବନ୍ୟାଜଳ ପଶିଛି । ସୁନ୍ଦରପଦା ହାଇଟେକ ପ୍ଲାଜା, ଦୟାଲ ଆଶ୍ରମ ଅଞ୍ଚଳ ହୋଇଛି ଜଳମଗ୍ନ । ପାଣି ଘେରରେ ଅଛନ୍ତି ଶହଶହ ଲୋକ । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଅଗ୍ନିଶମ ବାହିନୀ ।

ସେପଟେ ରାଜଧାନୀ ଉପକଣ୍ଠ ବାଲିପାଟଣା ମଧ୍ୟ ଜଳମଗ୍ନ ହୋଇ ରହିଛି । ବାଲପାଟଣାର ବିଭିନ୍ନ ପଞ୍ଚାୟତରେ ପଶିଛି ବନ୍ୟାଜଳ । ଦରଡ଼ା ଗାଁରେ ୧୦ରୁ ଅଧିକ ପରିବାର ଏବେ ପାଣି ଘରରେ ରହିଛନ୍ତି । ଯାହାଫଳରେ ଲୋକମାନେ ଘର ଛାଡ଼ି ସ୍କୁଲରେ ଆଶ୍ରୟ ନେଇଛନ୍ତି ।

ମୁଣ୍ଡଳୀରେ କମୁଛି ଜଳସ୍ତର, ମହାନଦୀରେ ୧୧ ଲକ୍ଷ ୭୭ ହଜାର କ୍ୟୁସେକ ଜଳ ପ୍ରବାହିତ

କଟକ: ମୁଣ୍ଡଳୀରେ କମୁଛି ଜଳସ୍ତର । ପୂର୍ବାପେକ୍ଷା କମିଛି ୧ ଲକ୍ଷ କ୍ୟୁସେକ ଜଳ କମିଛି । ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେହିପରି ନରାଜ କାଠଯୋଡ଼ିରେ ୫ ଲକ୍ଷ ୯୫ ହଜାର ୭୭୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମଧ୍ୟ ବିପଦ ସଂକେତ ପାର କରିଛି ମହାନଦୀ । ଏଠାରେ ୫ ଲକ୍ଷ ୮୧ ହଜାର ୫୮୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମଧ୍ୟ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଆଗକୁ ରାତିରେ ପୁଣି ଥରେ ହୀରାକୁଦ ଜଳ ଆସି ମୁଣ୍ଡଳିରେ ପହଂଚିବା ପରେ ଜଳ ସ୍ତର ପୁଣି ବଢ଼ିବାର ଆଶଙ୍କା ରହିଛି ।

ନୟାଗଡ଼ରେ ବନ୍ୟା ସ୍ଥିତି ଗମ୍ଭୀର, ୧୨୦ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ

ନୟାଗଡ଼: ନୟାଗଡ଼ରେ ବନ୍ୟା ସ୍ଥିତି ଗମ୍ଭୀର । ୧୨୦ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ପ୍ରଭାବିତ ହୋଇଛନ୍ତି ୫୦ ହଜାର ଲୋକ । ଗଣିଆ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକରେ ବିପନ୍ନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗଣିଆରୁ ବଡ଼ମୂଳ ରାସ୍ତାର ବିଭିନ୍ନ ସ୍ଥାନରେ ୭ ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ ଛାମୁଣିଆ ଏବଂ ବଡ଼ସିଲିଙ୍ଗା  ରାସଙ୍ଗ ପଞ୍ଚାୟତ ଜଳ ବନ୍ଦୀ ହୋଇଛି । ଭାପୁର ବ୍ଲକର ଫତେଗଡ଼ ପଞ୍ଚାୟତର ମଣିପୁର ଗାଁ ଜଳ ବନ୍ଦୀ ହୋଇଛି । କରବର ପଞ୍ଚାୟତର ଗୁଡୁପଡ଼ା ,ମାଣିତ୍ରୀ ଏବଂ କରବର ନୂଆ ସାହିରେ ୫ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । କାଳିଗିରି ବ୍ରିଜ ଉପରେ ୬ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଭାପୁରରୁ କଳାପଥର ରାସ୍ତାରେ ଗାଡ଼ି ଚଳଚଳ ବନ୍ଦ ରହିଛି ।

ବନ୍ୟା ପ୍ରଭାବିତ ୧୨ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଗଣିଆ ଏବଂ ଭାପୁର ବ୍ଲକ ପାଇଁ ୪ ବୋଟ୍ ଯୋଗାଇ ଦିଆଯାଇଛି । ଭାପୁର ବ୍ଲକର ଫତେଗଡ଼, ମଣିପୁର, କରବର, ନଣ୍ଡାବର, ଗୁଡ଼ୁପଡ଼ା, ହନୁମନ୍ତ ପ୍ରସାଦ ଏବଂ ଦଶମନ୍ତପୁର ଗାଁକୁ ଗସ୍ତ କରି ଭାପୁର ବିଡିଓ ଜନ୍ମେଜୟ ସାହୁ, ଚେୟାରମ୍ୟାନ ବେଣୁଧର ପ୍ରଧାନ ସ୍ଥିତି ସମୀକ୍ଷା କରିଛନ୍ତି । ଡାକ୍ତରୀ ଟିମ୍ ବି ହୋଇଛନ୍ତି ନିୟୋଜିତ ।

ଜାମ୍ମୁ ଓ କାଶ୍ମୀର କଂଗ୍ରେସକୁ ଧକ୍କା, ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସନ୍ତୁଷ୍ଟ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଗତକାଲି ଏହି କମିଟି ଗଠିତ ହୋଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କମିଟିରୁ ଇସ୍ତଫା ଦେଇଛନ୍ତି ଗୁଲାମନବୀ । ସେ କହିଛନ୍ତି- ଏହି ନୂଆ ଦାୟିତ୍ୱ ନେଇପାରିବେ ନାହିଁ । ଜମ୍ମୁ ଓ କାଶ୍ମୀର ଲାଗି ଗଠିତ ପ୍ରଚାର କମିଟିରେ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ସମେତ ୧୧ ଜଣ ସଦସ୍ୟ ରହିଛନ୍ତି ।

ଏହି କମିଟିରେ ତାରିକ ହମିଦ କାରା ଉପାଧ୍ୟକ୍ଷ ହୋଇଥିବାବେଳେ ଜିଏମ ସୋରାରି ଆବାହକ ନିଯୁକ୍ତ ହୋଇଥିଲେ । ପ୍ରଚାର କମିଟି ଉପରେ ଗତକାଲି ମୋହର ମାରିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଗୁଲାମନବୀଙ୍କ ସହ ଆଉ ଦୁଇ ସଦସ୍ୟ ମଧ୍ୟ ପ୍ରଚାର କମିଟିରୁ ଇସ୍ତଫା ଦେଇଛନ୍ତି । ଗ୍ରୁପ ୨୩ର ନେତା ଭାବେ ଗୁଲାମନବୀ ଦୀର୍ଘଦିନରୁ ଚର୍ଚ୍ଚାରେ ଅଛନ୍ତି । କଂଗ୍ରେସରେ ବ୍ୟାପକ ପରିବର୍ତ୍ତନ କରିବା ଦାବିରେ ଏହି ଗ୍ରୁପର ନେତାମାନେ ଅଟଳ ରହିଛନ୍ତି ।

ବିପଦ ଆଣିପାରେ ଲଘୁଚାପ ବର୍ଷା, ୧୯ ଓ ୨୦ରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର: ବନ୍ୟା ଭିତରେ ବିପଦ ଆଣିବ ଲଘୁଚାପ ବର୍ଷା । ଆସନ୍ତା ୧୯ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ଆରମ୍ଭ ହେବ ବର୍ଷା । ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ  ଜାରି କରାଯାଇଛି । ଉତ୍ତର ଓ ଉପକୂଳ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ପୁରୀ, କନ୍ଧମାଳ, କଳାହାଣ୍ଡି, ଦେବଗଡ, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର,  ଝାରସୁଗୁଡା ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ । ଗୋଟିଏ କି ଦୁଇଟି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ ।

୧୯ ତାରିଖରେ ଅତି ପ୍ରବଳ ବର୍ଷା ପାଇଁ ୧୦ ଜିଲ୍ଳା ଏବଂ ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ଦେବଗଡ, ସନ୍ଦରଗଡ଼, ଝାରସୁଗୁଡା ଜିଲ୍ଳା ଗୁଡ଼ିକରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୦ ତାରିଖରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ସେହିପରି କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଅନୁଗୁଳ, ଦେବଗଡ, କେଦୁଝର ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 

ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ, ପାଣି ଘେରରୁ ୩ ଚାଷୀଙ୍କୁ କଲେ ଉଦ୍ଧାର

ମହାକାଳପଡ଼ା: ଅଧାରାତିରେ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ । ପାଣି ଘେରରୁ ଉଦ୍ଧାର ହେଲେ ଚାଷୀ । ଗତକାଲି ମଧ୍ୟରାତ୍ରୀରେ ମହାକାଳପଡ଼ା ବ୍ଲକ ଦଶରାଜପୁର ଡିଆରରୁ ୩ ଜଣ ଚାଷୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପୁରୁଷ ଓ ଜଣେ ମହିଳା । ସମସ୍ତ ୩ ଜଣ ଚାଷୀ ଚାଷ କରିବାକୁ ଜମିକୁ ଯାଇ ବନ୍ୟା ଘେରରେ ଫସିଥିଲେ । ପାଣି ମାଡ଼ିଆସିବାରୁ ଏକ ଢିପ ସ୍ଥାନରେ ଆଶ୍ରୟ ନେଇଥିଲେ । ପରେ ସ୍ଥାନୀୟ ଲୋକ ବିଡିଓଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ବିଡିଓ ଓ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଜଳ ଘେରରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।