ଜାପାନରେ ହାଇଆଲର୍ଟ, ସ୍ଥଳଭାଗ ଛୁଇଁବ ଟାଇଫୁନ ନାନମାଦୋଲ

ଟୋକିଓ: ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ନେଇ ଜାପାନରେ ହାଇଆଲର୍ଟ । ଆସନ୍ତାକାଲି ସକାଳେ ଲ୍ୟାଣ୍ଡଫଲ କରିବ ଟାଇଫୁନ ନାନମାଦୋଲ  । ଦେଶର ଦକ୍ଷିଣାଞ୍ଚଳରେ ଥିବା କ୍ୟୁସୁ ଆଇଲ୍ୟାଣ୍ଡକୁ ହିଟ୍ କରିପାରେ ଭୟଙ୍କର ତୋଫାନ । ତୁରନ୍ତ ଘର ଛାଡି ନିରାପଦ ସ୍ଥାନକୁ ଚାଲିଯିବା ଲାଗି ଦିଆଯାଇଛି ନିର୍ଦ୍ଦେଶ । ଜାପାନ ଏୟାରଲାଇନ୍ସ ଓ ଅଲ ନିପନ ଏୟାରଓ୍ବେଜର ୩୩୫ ବିମାନର ଉଡାଣ ବାତିଲ କରାଯାଇଛି ।

ଟାଇଫୁନ ଘଣ୍ଟାପ୍ରତି ୨୭୦ କିଲୋମିଟର ବେଗରେ ବହିବା ଆଶଙ୍କା ରହିଛି । ମିଆମି ଦାଇତୋ ଦ୍ବୀପପୁଞ୍ଜ ନିକଟରେ ଏହା ବର୍ତ୍ତମାନ ଗତିଶୀଳ ରହିଛି । କ୍ୟୁସୁ ଆଇଲ୍ୟାଣ୍ଡ ଓ ଦକ୍ଷିଣ କାଗୋସିମାରେ ଏହା ହିଟ୍ କରି ଜାପାନ ଅଭିମୁଖେ ଗତି କରିବ ।

ସାମୁଦ୍ରିକ ଝଡ଼ ପ୍ରଭାବରେ ଭୟଙ୍କର ଜୁଆର ଉଠିବା ସହ ପ୍ରବଳ ବର୍ଷା ଓ ପବନ ହେବ ବୋଲି କହିଛନ୍ତି ଜାପାନ ମେଟେରୋଲୋଜିକାଲ ଏଜେନ୍ସି । ଏହା ଏକ ଅତି ଭୟଙ୍କର ଝଡ଼ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି । ତୋଫାନରେ ଅନେକ ଘର ଧସିପଡ଼ିବାର ସମ୍ଭାବନା ରହିଥିବାବେଳେ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଜାପାନରେ ପ୍ରତିବର୍ଷ ୨୦ଟି ଘୁର୍ଣ୍ଣିଝଡ ହୋଇଥାଏ ।