ମହାକାଳପଡ଼ା: ଅଧାରାତିରେ ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ । ପାଣି ଘେରରୁ ଉଦ୍ଧାର ହେଲେ ଚାଷୀ । ଗତକାଲି ମଧ୍ୟରାତ୍ରୀରେ ମହାକାଳପଡ଼ା ବ୍ଲକ ଦଶରାଜପୁର ଡିଆରରୁ ୩ ଜଣ ଚାଷୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପୁରୁଷ ଓ ଜଣେ ମହିଳା । ସମସ୍ତ ୩ ଜଣ ଚାଷୀ ଚାଷ କରିବାକୁ ଜମିକୁ ଯାଇ ବନ୍ୟା ଘେରରେ ଫସିଥିଲେ । ପାଣି ମାଡ଼ିଆସିବାରୁ ଏକ ଢିପ ସ୍ଥାନରେ ଆଶ୍ରୟ ନେଇଥିଲେ । ପରେ ସ୍ଥାନୀୟ ଲୋକ ବିଡିଓଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ବିଡିଓ ଓ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଜଳ ଘେରରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।
କୁଶଭଦ୍ରା ନଦୀରେ ଘାଇ, ଶତାଧିକ ଗାଁ ଜଳମଗ୍ନ
ଗୋପ: ବନ୍ୟାରେ ବେହାଲ ଅଧା ଓଡ଼ିଶା । ମହାନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ ମହାନଦୀର ଶାଖା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । କୁଶଭଦ୍ରା ନଦୀରେ ସୃଷ୍ଟି ହୋଇଛି ଏକ ଘାଇ । ଗୋପ ଗଣେଶ୍ୱରପୁର ପଞ୍ଚାୟତ ଖଣ୍ଡିଆକୁଦରେ ସୃଷ୍ଟି ହୋଇଛି ଘାଇ । ପ୍ରାୟ ୨୫ ଫୁଟର ଘାଇ ସୃଷ୍ଟି ହୋଇ ଗାଁକୁ ମାଡ଼ି ଆସିଛି ବନ୍ୟାଜଳ । ୬ଟି ପଞ୍ଚାୟତର ଶତାଧିକ ଗାଁ ଏବେ ଜଳବନ୍ଦୀ ହୋଇ ରହିଛି । ସେହିପରି ଘାଇ ସୃଷ୍ଟି ହେବା ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।
୪୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ, ଜଳଭଣ୍ଡାରକୁ ପ୍ରବେଶ କରୁଛି ୫ ଲକ୍ଷ ୯୭ ହଜାର କ୍ୟୁସେକ ଜଳ
ସମ୍ବଲପୁର: ହୀରାକୁଦର ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଛତିଶଗଡ଼ ପଟୁ ଅଧିକ ଜଳ ପ୍ରବାହ କାରଣରୁ ହୀରାକୁଦ ଜଳଭଣ୍ଡାରରେ ଅଧିକ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୯୭ ହଜାର ୬୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳ ଭଣ୍ଡାରରୁ ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରରେ ଏବେ ୬୨୬ .୫୭ ଫୁଟ ଜଳସ୍ତର ରହିଛି । ଅନ୍ୟପକ୍ଷରେ କଟକ ମୁଣ୍ଡଳିରେ ବଢୁଛି ଜଳ ପ୍ରବାହ । ଏବେ ବି ମୁଣ୍ଡଳିରେ ଜାରି ରହିଛି ପିକ୍ ଫ୍ଲୋ । ପ୍ରତି ସେକେଣ୍ଡରେ ମୁଣ୍ଡଳିରେ ୧୨ ଲକ୍ଷ ୧ ହଜାରେ ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯାହା ଫଳରେ ତଳିଆ ଅଞ୍ଚଳର ଅନେକ ଗାଁ ଏବେ ଜଳମଗ୍ନ ହୋଇଛି ।
ସେପଟେ ୪୦ଟି ଗେଟ୍ ଖୋଲିବା ପରେ ପ୍ରତିକ୍ରିୟ ରଖିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସେ କହିଛନ୍ତି ଯେ ହୀରାକୁଦର ୪୦ଟି ଗେଟ୍ ଖୋଲିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ । ପୂର୍ବରୁ ମଧ୍ୟ ହୀରାକୁଦର ୪୦ରୁ ଅଧିକ ଗେଟ୍ ଖୋଲାଯାଇଥିଲା । ଦୁଇ ତିନି ୩ ଦିନ ବର୍ଷା ନଥିବାରୁ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ଅସୁବିଧା ନାହିଁ । ଉଚ୍ଚ ମଧ୍ୟମ ଧରଣର ବନ୍ୟା ସ୍ଥିତି ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।
ଜମ୍ମ-କାଶ୍ମୀର କଂଗ୍ରେସରେ ଅସ୍ଥିରତା: ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ
ଜମ୍ମୁ: ଜମ୍ମୁ-କାଶ୍ମୀର କଂଗ୍ରେସରେ ଅସ୍ଥିରତା । କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ କରାଯାଇଥିଲା । କିନ୍ତୁ ନିଯୁକ୍ତିର କିଛି ଘଣ୍ଟା ପରେ ଗୁଲାମ ନବୀ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ତେବେ ସେ କଣ ପାଇଁ ଇସ୍ତଫା ଦେଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିନ୍ତୁ ତାଙ୍କ ଇସ୍ତଫା ପରେ ଜମ୍ମୁ କାଶ୍ମୀର ରାଜନୀତିରେ ହଲଚଲ ଦେଖାଦେଇଛି । ସୂଚନାଥାଉକି କଂଗ୍ରେସ ମଙ୍ଗଳବାର ଜମ୍ମୁ-କାଶ୍ମୀର ସଂଗଠନରେ ବଡ଼ ପରିବର୍ତ୍ତନ କରିଥିଲା । ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଅନେକ ନୂଆ ନିଯୁକ୍ତି କରାଯାଇଥିଲା ।
ଦଳର ବରିଷ୍ଠ ନେତା ଗୁଲାମନବୀଙ୍କୁ ପ୍ରଚାର କମିଟିର ଅଧ୍ୟକ୍ଷ ଏବଂ ତାରିକ ହମିଦ କର୍ଯାଙ୍କୁ ଉପାଧ୍ୟକ୍ଷ ନିଯୁକ୍ତ କରିଥିଲା । ସେହିପରି ଘୋଷଣାପତ୍ର ସମିତିର ପ୍ରମୁଖ ଭାବେ ସୈଫୁଦ୍ଦୀନ ସୋଜ ଏଂ ଉପାଧ୍ୟକ୍ଷ ଅଧିବକ୍ତା ଭାବରେ ଏମକେ ଭରଦ୍ୱାଜଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପ୍ରଚାର ଏବଂ ପ୍ରକାଶନ ସମିତିର ଅଧ୍ୟକ୍ଷ ଭାବେ ମୁଲାରାମଙ୍କୁ ନିଯୁକ୍ତ କରାଯାଇଛି । କିନ୍ତୁ ନିଯୁକ୍ତିର କିଛି ଘଣ୍ଟା ପରେ ଗୁଲାମ ନବୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅନ୍ୟପକ୍ଷରେ ଶୀର୍ଷ ନେତୃତ୍ୱ ଚାହୁଁଥିଲେ ଗୁଲାମଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଲଢୁ । ସେଥିପାଇଁ ତାଙ୍କୁ ବଡ଼ ପଦ ଦିଯାଇଥିଲା ।
ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ସଲିଳ ସମାଧି
କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପିପଲପଦର ଗ୍ରାମରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ସଲିଳ ସମାଧି । ଦୁଇ ଭାଇ ଓ ଜଣେ ଭଉଣୀ ପୋଖରୀରେ ପଡ଼ି ଏପରି ଘଟିଛି । ତେବେ ଜଣେ ଭାଇ ଓ ଭଉଣୀଙ୍କ ମୃ୍ତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଭାଇ ଅଳ୍ପକେ ବଞ୍ଚିଯାଇଛନ୍ତି । ଅଳ୍ପକେ ବର୍ତ୍ତିଥିବା ଭାଇର ଚିକିତ୍ସା ଚାଲିଛି ।
ବାପା ମାଆ ଚାଷ ଜମିରେ କାମ କରୁଥିବା ସମୟରେ ଏହି ଘଟଣା ଘଟିଛି । ମୃତକ ହେଲେ ୭ ବର୍ଷୀୟା ସନ୍ଧ୍ୟା ନାଚିକା, ୮ ବର୍ଷୀୟ ଜିତୁ ନାଚିକା । ଘଟଣା ସ୍ଥଳରେ ଲକ୍ଷ୍ମୀପୁର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ସେମାନେ ପୋଖରୀକୁ ଯାଇଥିଲେ ଯାହାଫଳରେ ଏପରି ଅଭାବନୀୟ ଘଟଣା ଘଟିଲା ।
ଖୋର୍ଦ୍ଧା: ଦୟାନଦୀରେ ୧୦୦ ଫୁଟର ଘାଇ
ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ତିରିମଲ ରାସ୍ତାରେ ଦୟା ନଦୀରେ ୧୦୦ ଫୁଟର ଘାଇ । ପ୍ରବଳ ବେଗରେ ଜନବସତି ଆଡକୁ ମାଡୁଛି ବନ୍ୟାଜଳ । ସରଧାପୁର୍, ଅଣ୍ଡା, ଆଁଲାଯୋଡ଼ି, ହା, ଧବଳପୁର ଗ୍ରାମବାସୀ ମାନେ ପ୍ରଭାବିତ ହେଉଛନ୍ତି । ଆତଙ୍କିତ ଅବସ୍ଥାରେ ପ୍ରଭାବିତ ଗ୍ରାମବାସୀ । ତିରିମଲ ରାସ୍ତାରେ ପ୍ରବଳ ବେଗରେ ମାଡ଼ିଚାଲିଛି ପାଣି । ସମସ୍ତ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ବନ୍ୟାରେ ୧୦ ଜିଲ୍ଲାର ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି: ଏସଆରସି
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଦ୍ରୁତତାର ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହ ସ୍ଥାନାନ୍ତର କରାଯାଉଛି । ଆସନ୍ତା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ବନ୍ୟା ସ୍ଥିତି ଲାଗି ରହିବ । ସମସ୍ତଙ୍କୁ ସେପର୍ଯ୍ୟନ୍ତ ସୁଦ୍ଧା ସତର୍କ ରହିବାର ଆବଶ୍ୟକତା ରହିଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ବନ୍ୟା ସମ୍ପର୍ତିକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ମୁଣ୍ଡଳୀରେ ବନ୍ୟାଜଳ ପିକରେ ରହିଛି ।
୧୦ଟି ଜିଲ୍ଲାର ୪୯ ବ୍ଲକ, ୩୬୯ ଗ୍ରାମପଞ୍ଚାୟତ, ୧୩୬୫ ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଏହାଦ୍ୱାରା ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି । ସେହିପରି ୨୩୭ଟି ଗାଁ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି । ୯୦ଟି ସ୍ଥାନରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସେହିପରି ୭୦୭ରୁ ଉର୍ଦ୍ଧ୍ୱ ଘର ବନ୍ୟାରେ ନଷ୍ଟ ହୋଇଯାଇଛି ।
୨୪ ହଜାର ହେକ୍ଟର ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହି କ୍ଷତିଗ୍ରସ୍ତ ହୋଇଛି । ମହାନଦୀ ସିଷ୍ଟମରେ ଦୁଇଟି ସ୍ଥାନରେ ଘାଇ ହୋଇଛି । ଖୋର୍ଦ୍ଧାର ରାଜୁଆ ନଦୀରେ ଏକ ଘାଇ ହୋଇଥିବା ବେଳେ ପୁରୀର ମକରା ନଦୀରେ ଏକ ଘାଇ ହୋଇଛି । ଅନେକ ସ୍ଥାନରେ ଘଳିଆ ପଡ଼ିଛି । ତାର ମରାମତି କାର୍ଯ୍ୟ କରାଯାଉଛି । ମୁଣ୍ଡଳୀରେ ୯ଘଣ୍ଟା ବନ୍ୟାପାଣି ପିକରେ ରହିବ । ଏବେ ୧୨ ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି ।
ସେହିପରି ବର୍ଷାରେ ମଧ୍ୟ ୪୭ ବ୍ଲକର ୧୭୫ ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛନ୍ତି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି । ବ୍ରାହ୍ମଣୀରେ ବିପଦ ସଙ୍କେତରେ ବହୁତ ତଳେ ଅଛି ପାଣି । ରାତି ୩ଟା ପରେ କେନ୍ଦ୍ରପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ବନ୍ୟା ଜଳ ପିକରେ ପ୍ରବାହିତ ହେବ । ତେଣୁ ସତର୍କ ରହିବାକୁ ନିବେଦନ କରିଛନ୍ତି ଏସଆରସି । ସରକାରଙ୍କ ପକ୍ଷରୁ ଜିରୋ କାଜୁଆଲିଟିକୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ ଜାରି ରହିଛି । ଲୋକମାନେ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ପ୍ରଦୀପ ଜେନା କହିଛନ୍ତି ।
ଖରିଫ ପଞ୍ଜିକରଣ ଅବଧି ୨୨ ତାରିଖକୁ ବୃଦ୍ଧି
ଭୁବନେଶ୍ୱର: ବଢିଲା ଖରିଫ ପଞ୍ଜୀକରଣ ଅବଧି । ବିଭିନ୍ନ ପରିସ୍ଥିତିକୁ ବିଚାରକୁ ନେଇ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ବୃଦ୍ଧି କରାଯାଇଛି । ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଏହାକୁ ବଢାଇ ଦିଆଯାଇଛି । ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଗତ ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୬ ତାରିଖ ମଧ୍ୟରେ ସରିବାକୁ ଧାର୍ଯ୍ୟ ହୋଇଥିଲା ।
ବିଭିନ୍ନ ପରିସ୍ଥିତିକୁ ବିଚାରକୁ ନେଇ ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ଏଣୁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ କୃଷିସମବାୟ ସମିତି ଯେପରିକି ପାକ୍ସ, ଲାମ୍ପ୍ସ, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ପାଣି ପଚାଂୟତରେ ୨୨ ତାରିଖ ମଧ୍ୟରେ ନାମ ପଞ୍ଜୀକୃତ କରାଇବା ପାଇଁ କୁହାଯାଇଛି । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ସମସ୍ତ ସମବାୟ ନିବନ୍ଧକ ଏବଂ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।
ବନ୍ୟାପାଣି ଘେରରେ ଫସିଛନ୍ତି ଛାତ୍ରଛାତ୍ରୀ: ୫୦୦ଜଣ ଉଦ୍ଧାର, ଏବେବି ୨୮୦ ଫସିରହିଛନ୍ତି
କଟକ: କଟକ ଗତିରାଉତ ପାଟଣା ସରସ୍ବତୀ ଶିଶୁମନ୍ଦିରର ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫୦୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବିଦ୍ୟାଳୟରେ ସମୁଦାୟ ୬୮୦ ଛାତ୍ରଛାତ୍ରୀ ଥିଲେ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଶାଇ ସମୁଦାୟ ୭୮୦ ଜଣ ଫସିଥିଲେ । ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ଉଦ୍ଧାର କରୁଛି ଅଗ୍ନିଶମ ବିଭାଗ ।
ଏବେ ଯାଏଁ ୫୦୦ ପିଲାଙ୍କୁ ଉଦ୍ଧାର କରାଯାଇଛି । ଆଉ ୨୮୦ ଜଣ ଏବେବି ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମର ୬ଟି ବୋଟ୍ ରହିଛି ନିୟୋଜିତ ରହିଛି । ଓଡ୍ରାଫର ମଧ୍ୟ ୫ଟି ବୋଟ୍ ଆସୁଛି ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ । ଏସଆରସିଙ୍କ ସହ କଥା ହୋଇଛନ୍ତି କଟକ ଜିଲ୍ଲାପାଳ । ପିଲାଙ୍କ ଉଦ୍ଧାର ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ ବୋଲି ଏସଆରସି କହିଛନ୍ତି ।
ତେବେ ଏଠି ବଡ଼ ପ୍ରଶ୍ନ ହେଉଛି ଶିଶୁମନ୍ଦିର କର୍ତ୍ତୃପକ୍ଷଙ୍କୁ ବନ୍ୟାସମ୍ପର୍କରେ ସତର୍କ କରାଯିବା ପରେ ବି ହଷ୍ଟେଲରେ ପିଲାମାନଙ୍କୁ ରଖାଯାଇଥିଲା । ପିଲାଙ୍କୁ ଉଦ୍ଧାର କରାଯିବା ପରେ ଏହି ଘଟଣାର ତଦନ୍ତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯେପର୍ଯ୍ୟନ୍ତ ସବୁ ପିଲ୍ଲା ଉଦ୍ଧାର ହୋଇନାହାନ୍ତି ସେପର୍ଯ୍ୟନ୍ତ ଜିଲ୍ଲାପାଳ ସେଠାରେ ରହିବେ ବୋଲି କହିଛନ୍ତି । ରାତି ସମୟ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି ।
ଦୁଇ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ଼, ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ । ପୁଣି ଥରେ କାଶ୍ମୀରୀ ପଣ୍ଡିତଙ୍କୁ କରାଯାଇଛି ଟାର୍ଗେଟ୍ । ଦକ୍ଷିଣ କାଶ୍ମୀର ସୋପିଆନରେ ଆତଙ୍କବାଦୀମାନେ ଦୁଇ ଜଣ କାଶ୍ମୀରୀ ପଣ୍ଡିତ ଭାଇଙ୍କୁ ଖୋଜି ଖୋଜି ଆଖିବୁଜା ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ସୁନୀଲ କୁମାର ଭଟ୍ଟଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଭାଇ ପର୍ଟିମ୍ବର ନାଥ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୁନୀଲ ଓ ତାଙ୍କ ଭାଇ ସେଓ ବଗିଚାକୁ ଯାଉଥିବାବେଳେ ଆତଙ୍କବାଦୀ ପହଞ୍ଚି ସେମାନଙ୍କୁ ନାଁ ପଚାରିଥିଲେ । ଏହାପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଯେଉଁଥିରେ ସୁନୀଲଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ପର୍ଟିମ୍ବରଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ ସ୍ଥାନକୁ ସୁରକ୍ଷାକର୍ମୀଙ୍କ ତରଫରୁ ଘେରାବନ୍ଦୀ କରାଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ଯାଞ୍ଚ ଚାଲିଛି ।

