ପୋଲ ତଳକୁ ଖସିପଡିଲା ବସ୍‌, ପ୍ରାଣ ହରାଇଲେ ୭

ରାଞ୍ଚି: ଝାଡଖଣ୍ଡ ହଜାରିବାଗ ବସ ଦୁର୍ଘଟଣାରେ ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପିଏମ ଟ୍ବିଟ କରି କହିଛନ୍ତି ଯେ ‘ହଜାରିବାଗ ଜିଲ୍ଲା ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ଦୁଃଖିତ  । ଏହି ଦୁଃଖଦ ସମୟରେ ଶୋକ ସନ୍ତପ୍ତ ପରିବାର ସହ ମୋ ସମବେଦନା ରହିଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବି ’।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି  । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ସେ ଲେଖିଛନ୍ତି ‘ହଜାରିବାଗ ଦୁର୍ଘଟଣାରେ ଅତ୍ୟନ୍ତ ମର୍ମାହତ । ପ୍ରିୟଜନଙ୍କୁ ହରାଇ ଥିବା ପରିବାର ପ୍ରତି ସମବେଦନା । ସମସ୍ତ ଆହତ ଖୁବଶୀଘ୍ର ସୁସ୍ଥ ହେବା ନେଇ କାମନା କରିବି’ ।

ସେହିପରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ ଘଟଣାରେ ଦୁଃଖପ୍ରକାଶ କରିବା ସହ ଆହତଙ୍କ ସୁସ୍ଥତା କାମନା କରିଛନ୍ତି ।

ଆଜି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଯାତ୍ରୀବାହୀ ବସ  । ଘଟଣାସ୍ଥଳରେ ୭ ଜଣ ପ୍ରାଣ ହରାଇ ଥିବାବେଳେ ୪୫ ଜଣ ଆହତ ହୋଇଛନ୍ତି । ଝାଡଖଣ୍ଡର ହଜାରିବାଗ୍ ଜିଲ୍ଳା ଶିବାନି ନଦୀ ପୋଲ ଉପରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । ଶିବଶକ୍ତି ନାମକ ବସ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପଡିଥିଲା  । ଫଳରେ ବସ ଭିତରେ ଥିବା ୭ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି  । ବସଟି ଗିରିଡ଼ିହିରୁ ରାଞ୍ଚି ଯାଉଥିଲା ।