ଲଣ୍ଡନରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ଭାରତ ପକ୍ଷରୁ ବ୍ରିଟେନକୁ ଜଣାଇବେ ସମବେଦନା

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଆସନ୍ତାକାଲି(ସୋମବାର) ପର୍ଯ୍ୟନ୍ତ ଲଣ୍ଡନରେ ରହିବେ ରାଷ୍ଟ୍ରପତି । ରାଣୀଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ୱେଷ୍ଟମିନିଷ୍ଟର ଆବେରେ ହେବ । ଏଥିରେ ୨୦୦୦ ଭିଆଇପି ଅତିଥି ଯୋଗଦେବେ ।

ଆଜି ବ୍ରିଟେନ ଗସ୍ତରେ ଥିବା ରାଷ୍ଟ୍ରମୁଖ୍ୟ ମାନଙ୍କୁ ନେଇ ସଂଧ୍ୟାରେ ଏକ ସଭା ଆୟୋଜନ କରିବେ କିଙ୍ଗ ଚାର୍ଲସ୍‌ ଥ୍ରୀ । ଆସନ୍ତାକାଲି ଲଣ୍ଡନର ସମୟ ଅନୁସାରେ ସକାଳ ୧୧ଟାରେ ରାଣୀଙ୍କର ଅନ୍ତିମ ସଂସ୍କାର ହେବ । ୭୦ ବର୍ଷ ଧରି ରାଣୀଙ୍କ ଶାସନ କାଳରେ ଭାରତ ସହ ବ୍ରିଟେନର ଭଲ ସମ୍ପର୍କ ଥିଲା ।

ରାଣୀ ୯୬ ବର୍ଷ ବୟସରେ ବାଲମୋରାଲ ଦୁର୍ଗରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଋଷ, ବେଲାରୁଷ, ମିଆଁମାରକୁ ରାଣୀଙ୍କ ଅନ୍ତିମସଂସ୍କାର ପାଇଁ ନିମନ୍ତ୍ରଣ କରାଯାଇନାହିଁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତରେ ଅଛନ୍ତି ଦ୍ରୌପଦୀ ମୁର୍ମୁ ।