ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୨୧ ନୂଆ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଛି ଡେଙ୍ଗୁ। ବଂଶ ବିସ୍ତାର କରିଚାଲିଛି ଏଡିସ ମଶା। ମଶାର ବଂଶ ବିସ୍ତାରକୁ ସହାୟକ ହୋଇଛି ପାଣିପାଗ ଓ ଲଗାଣ ବର୍ଷା। ଆଗକୁ ଲଘୁଚାପ, ଜଳବନ୍ଦୀ ସହ ଡେଙ୍ଗୁ ଜନିତ ସମସ୍ୟା ବଢିବା ଆଶଙ୍କା ରହିଛି । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀ ଚିହ୍ନଟରେ ଅଗଷ୍ଟକୁ ବଳିଯାଇଛି ସେପ୍ଟେମ୍ବର। ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ମୋଟ ୨ ହଜାର ୩୨୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କେବଳ ଭୁବନେଶ୍ୱରର ସଂଖ୍ୟା ୧ ହଜାର ୮୪୨କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର ଉପକଣ୍ଠରୁ ରୋଗୀଙ୍କ ସଂଖ୍ୟା ୪୮୭କୁ ବୃଦ୍ଧି ପାଇଛି । ସମାନ୍ତରାଳ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୨୧ ଜଣ ନୂଆ ଆକ୍ରାନ୍ତ। ଜୁଲାଇ ମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଥିଲା ୨୦୩ । ଅଗଷ୍ଟ ମାସରେ ଏହି ସଂଖ୍ୟା ୭୬୩ ଥିବାବେଳେ  ସେପ୍ଟେମ୍ବର ମାସରେ ଆଜି ସୁଦ୍ଧା ସଂଖ୍ୟା ବୃଦ୍ଧି ପାଇ ୮୭୪ରେ ପହଞ୍ଚିଛି।  ଗତ ୩ ମାସରେ ଚିହ୍ନଟ ହୋଇଛନ୍ତି ୧ ହଜାର ୮୪୦ ଡେଙ୍ଗୁ ରୋଗୀ ।