ବାଜିଲାଣି ବିଗ୍‌ ବସ୍‌ ବିଗୁଲ୍‌, ଶୋ’ର ଟିଆରପି ବଢାଇବେ କି ପ୍ରକୃତି ?

ଭୁବନେଶ୍ବର: ବାଜିଲାଣି ବିଗ୍‌ ବସ୍‌ ବିଗୁଲ । ଶୋ’ରେ ନିଆଁ ଲଗାଇବାକୁ ପ୍ରସ୍ତୁତ ପ୍ରତିଯୋଗୀ  । ଅକ୍ଟୋବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଗ୍‌ ବସ୍‌ ୧୬  । ଏଥର ଶୋ’ରେ କାହା ଗେମ୍‌ ରହିବ ରୋମାଞ୍ଚପୂର୍ଣ୍ଣ । କେଉଁ ପ୍ରତିଯୋଗୀଙ୍କ ଗେମ୍‌ ଶୋ’ର ଟିଆରପି ବଢାଇବାରେ ସାହାଯ୍ୟ କରିବ । ଏଭଳି ଅନେକ ପ୍ରଶ୍ନ ମନରେ ଆସୁଥିବାବେଳେ  ଦର୍ଶକଙ୍କ ଉତ୍କଣ୍ଠା ବଢାଇ ଦେଇଛନ୍ତି ଖୋଦ୍‌ ବିଗ୍‌ ବସ୍‌ । ଏଯାଏଁ ପ୍ରତିଯୋଗୀଙ୍କ ନାଁର ଖୁଲାସା କରିନାହାନ୍ତି ବିଗ୍‌ ବସ୍‌ । କିନ୍ତୁ ଅନେକ ବିବାଦୀୟ ସେଲିବ୍ରିଟି ଏଥର ପ୍ରତିଯୋଗୀ ହେବା ନେଇ ଚର୍ଚ୍ଚା ଚାଲିଛି ।

ବିବାଦୀୟ ଶୋ’ରେ ଭାଗ ନେଇପାରନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ‘ବେଟି ବିଜନେସ୍‌ ୱାଲି’ରୁ ଲୋକପ୍ରିୟତା ସାଉଣ୍ଟି ଥିବା ପ୍ରକୃତି ହୁଏତ ଏଥର ବିଗ୍‌ ବସ୍‌ ୧୬ ର ପ୍ରତିଯୋଗୀ ହୋଇପାରନ୍ତି । ବିକାଶ ଗୁପ୍ତାଙ୍କ ‘ଏସ୍‌ ଅଫ ସ୍ପେସ୍‌’ ସିଜିନ୍‌ ୨ ରେ ଜଣେ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ପ୍ରକୃତି । ଆଧୁନିକ ଗ୍ୟାଜେଟ୍‌ ବିନା ୨୪ ଘଣ୍ଟା କ୍ୟାମେରା ନଜରରେ ରହୁଥିବା ଏହି ଶୋ’ର ଫର୍ମାଟ ବିଗ୍‌ ବସ୍‌ ସହ ସମାନ  । ପ୍ରତିଯୋଗୀ ଚୟନ ବେଳେ ବିଗ୍‌ ବସ୍‌ ଚୟନକର୍ତ୍ତା ସମ୍ଭବତଃ ପ୍ରକୃତିଙ୍କ ନାଁରେ ମୋହର ମାରି ପାରନ୍ତି  ।

ବିବାଦୀୟ ସେଲିବ୍ରିଟିଙ୍କୁ ଶୋ’ରେ ପ୍ରତିଯୋଗୀ କରି ସର୍ବଦା ଚର୍ଚ୍ଚାରେ ରହିଆସିଛି ବିଗ୍‌ ବସ୍‌  । ନିକଟରେ ଓଲିଉଡ ଅଭିନେତା ବାବୁସାନ୍‌ଙ୍କ ପତ୍ନୀଙ୍କ ସହ ପ୍ରକୃତିଙ୍କ ଗଣ୍ଡଗୋଳ ଭିଡିଓ ଭାଇରାଲ ହେବା ପରେ ଅଭିନେତ୍ରୀଙ୍କ ଅଡୁଆ ବଢି ଯାଇଥିଲା । ଅଭିନେତାଙ୍କ ପତ୍ନୀଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି କେସ୍‌ କରିଥିଲେ ପ୍ରକୃତି । ଯେଉଁଥିପାଇଁ ହୁଏତ ପ୍ରକୃତିଙ୍କୁ ଅଫର୍‌ କରି ପାରନ୍ତି ବିଗ୍‌ ବସ୍‌ । ହେଲେ ଏ ଯାଏଁ ପ୍ରକୃତି କିଛି ସ୍ପଷ୍ଟ କରି ନାହାନ୍ତି ।

ସେପଟେ ମୁନାୱାର ଫାରୁକି, ଶିବିନ ନାରଙ୍ଗ, ମାଦିରକ୍ଷୀ ମୁଣ୍ଡଲ, ମୋହିତ ମଲିକ, ଟିନା ଦତ୍ତାଙ୍କ ଭଳି ଷ୍ଟାର ବିବାଦୀୟ ଶୋ’ର ପ୍ରତିଯୋଗୀ ହୋଇପାରନ୍ତି  । ଏଯାଏଁ ବିଗ୍‌ ବସ୍‌ ପକ୍ଷରୁ ଅଧିକାରିକ ଭାବେ କୌଣସି ସୂଚନା ମିଳିନାହିଁ  । କେବଳ ଶୋ’ର ପ୍ରମୋ ସେୟାର କରି ଦର୍ଶକଙ୍କ ଉତ୍କଣ୍ଠା ବଢାଇ ଦେଇଛନ୍ତି ଚ୍ୟାନେଲ କର୍ତ୍ତୃପକ୍ଷ । ଯେଉଁ ଭିଡିଓରେ ଶୋ’ର ହୋଷ୍ଟ ସଲମାନ୍‌ ଖାନ କହୁଛନ୍ତି ‘ଇସ୍‌ ବାର୍‌ ବିଗ୍‌ ବସ୍‌ ଖୁଦ୍‌ ଖେଲେଙ୍ଗେ’  । ସେହିପରି ବିଗ୍‌ ବସ୍‌ର ଆଉ ଏକ ଟିଜର୍‌ରେ ଦବଙ୍ଗ ଖାନ୍‌ କହୁଛନ୍ତି ରୁଲ୍‌ ‘ୟୈ ହୈ କି କୋଇ ରୁଲ୍‌ ନେହିଁ ’।