spot_img
Home Blog Page 4075

ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ରଥଯାତ୍ରା ଆୟୋଜିତ

ୱାସିଂଟନ ଡିସି: ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ଆଜି ପଞ୍ଚମ ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ସକାଳେ ୱାରୱିଇକସ୍ଥିତ ହିନ୍ଦୁ ମନ୍ଦିରଠାରେ ମୁଖ୍ୟ ପୂଜାରୀ ସୋମନାଥ ଶାସ୍ତ୍ରୀଙ୍କର ତତ୍ତ୍ଵାବଧାନରେ ଚାରିଦିଅଁଙ୍କ ସମ୍ମୁଖରେ ପୂଜାର୍ଚ୍ଚନା ଓ ନିତିକାନ୍ତି ସମ୍ପନ୍ନ କରାଯାଇଥିଲା । ଏହି ଉତ୍ସବରେ ରୋଡସ ଆଇଲ୍ୟାଣ୍ଡର ଶ୍ରଦ୍ଧାଳୁ ମାନଙ୍କ ସହିତ ସୁଦୂର ପେନସିଲଭାନିଆ, ନିଉଜର୍ସି, ନ୍ୟୁୟର୍କ, କନେକ୍ଟିକଟ, ମାସାଚିଉଟସ ଓ ନିଉହାମ୍ପସାୟାର ଆଦି ସ୍ଥାନରୁ ତିନିଶହରୁ ଉର୍ଦ୍ଧ୍ବ ଓଡ଼ିଆ ଓ ଅଣଓଡ଼ିଆ ପରିବାରମାନେ ଆସି ଯୋଗ ଦେଇଥିବାର ଲକ୍ଷ୍ୟ କରାଯାଇଥିଲା ।

ମଧ୍ୟାହ୍ନ ବାରଟା ସମୟରେ ଭଜନ କୀର୍ତ୍ତନର ଗହ ଗହ ନାଦ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନି ତଥା ଶଙ୍ଖ, ଘଣ୍ଟ, କରତାଲ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ସ୍ବର ଦ୍ଵାରା ଗଗନ ପବନ ପ୍ରକମ୍ପନ ମଧ୍ୟରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ଓ ରୋଷଣୀ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ଭକ୍ତମାନେ ନଚାଇ ନଚାଇ ସୁନ୍ଦର, ସୁରମ୍ୟ ଓ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନେଇ ସିଂହାସନରେ ଆସୀନ କରାଇଥିଲେ।

ରଥଟିକୁ ସାଜସଜ୍ଜା କରିବାରେ ବିଶ୍ଵ ପଟ୍ଟନାୟକ, ଦିଗବିଜୟ ମହାପାତ୍ର, ଲିନା ରାଉତରାୟ, ସୌରଭ ମିଶ୍ର, ଶୁଭ୍ରାଂଶୁ ମହାନ୍ତି, ସରୋଜ ବେହେରା, ପଙ୍କଜ ପଣ୍ଡା ଓ ପ୍ରିତମ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଫୁଲ ସଜାଇବାରେ ଶ୍ରଦ୍ଧା ନାୟକ, ପ୍ରଜ୍ଞା ବେହେରା, ରଞ୍ଜିତା ବେହେରା ଓ ଚନ୍ଦ୍ରା ନାୟକ ସାହାଯ୍ୟ କରିଥିଲେ । ହିନ୍ଦୁ ମନ୍ଦିରର ଡାଇରେକ୍ଟରସ୍ ବୋର୍ଡର ବରିଷ୍ଠ ସଦସ୍ୟ ମହେଶ ପଟେଲ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଭାରତୀୟ ଐତିହ୍ୟ ପ୍ରତିଷ୍ଠାନର ସଦାନନ୍ଦ ଦାସ, ତାଙ୍କର ଇସ୍କନ ସହଯୋଗୀ ମାନଙ୍କ ସହିତ ଯୋଗ ଦେଇଥିଲେ। ଅପରାହ୍ନ ୧ଟା ବେଳେ ରଥଟଣା ଆରମ୍ଭ କରାଯାଇଥିଲା ।

ପ୍ରସାଦ ପ୍ରସ୍ତୁତ କରିବାରେ ବବିତା ମହାନ୍ତି, ମୁନମୁନ ଦାସ, ବିଷ୍ଣୁପ୍ରିୟା ବଳ, ତପନ୍ଵିତା ରାଉତରାୟ, ସୌମ୍ୟଶ୍ରୀ ଦାଶ, କଳ୍ପନା ମହାନ୍ତି ଏବଂ ମଣି ମହାପାତ୍ର ପ୍ରମୁଖ ସେମାନଙ୍କର ସିଦ୍ଧହସ୍ତର ଚାତୁର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଳ ସାଢେ଼ ୧୦ଟା ବେଳେ ଆରମ୍ଭ ହୋଇଥିଲା ।

ମହୋତ୍ସବର ଅନ୍ୟତମ ଆକର୍ଷଣ ଭାବରେ ‘ରୋଡ଼ସ୍ ଆଇଲ୍ୟାଣ୍ଡରେ ରଥଯାତ୍ରାର ଇତିବୃତ୍ତ’ ଶୀର୍ଷକ ପୁସ୍ତକ ଏବଂ ଏଠାରେ ରଥଯାତ୍ରାର ପ୍ରଧାନ ଉଦ୍ୟୋକ୍ତା ଅକ୍ଷୟ ମହାନ୍ତିଙ୍କ ଦ୍ଵାରା ଲିଖିତ ‘ଅପରିସୀମ ଶ୍ରୀ ଜଗନ୍ନାଥ’ ଶୀର୍ଷକ ପ୍ରବନ୍ଧକୁ ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଉପରେ ବିରାଜମାନ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ମୁଖ୍ୟ ଆୟୋଜକ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି ଓ ନିଉଇଂଲଣ୍ଡ ଓଡ଼ିଶା ସମାଜର ପୂର୍ବତନ ସଭାପତି ଦେବଦତ୍ତ ବେହେରା ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।

ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ; ଶୋଚନୀୟ ଭାବେ ପରାଜିତ ହେଲା ଭାରତ

ବର୍ମିଂହାମ: ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ଘଟିଛି । ୭ ୱିକେଟରେ ପରାଜିତ ହୋଇଛି  ଭ୍ରମଣକାରୀ ଟିମ ଇଣ୍ଡିଆ । ଘରୋଇ ଇଂଲଣ୍ଡ ଚତୁର୍ଥ ଇନିଂସରେ ୩୭୮ ରନର ସ୍କୋରକୁ ସହଜରେ ହାସଲ କରି ବିଜୟୀ ହୋଇଛି । ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍  ୨-୨ରେ ବରାବର ହୋଇଛି । ୧୫ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାର ଯେଉଁ ସ୍ୱପ୍ନ ଦେଖିଥିଲା ଟିମ ଇଣ୍ଡିଆ ତାହା ଭାଙ୍ଗିଯାଇଛି । ୩୭୮ ରନ୍ ର ପିଛା କରି ପଡିଆକୁ ଓହ୍ଲାଇଥିବା ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ଏବଂ ଜନି ବେୟାରଷ୍ଟୋ ଆକର୍ଷଣୀୟ ଇନିଂସ ଖେଳିଛନ୍ତି । ଦୁଇ ବ୍ୟାଟ୍ସମ୍ୟାନ ଶତକ ହାସଲ ସହ ଦଳକୁ ବିଜୟ ଦେଇଛନ୍ତି । ଜୋ ରୁଟ୍ ୧୪୨ ରନ୍ ଏବଂ ବେୟାରଷ୍ଟୋ ୧୧୪ ରନ୍ କରି ନଟଆଉଟ ରହିଥିଲେ । ଦୁଇ ଜଣଙ୍କ ଧୂଆଁଧାର ଇନିଂସ ବଳରେ ଇଂଲଣ୍ଡ କେବଳ ୭୭ ଓଭରରେ ହିଁ ୩୭୮ ରନ୍ ଲକ୍ଷ୍ୟକୁ ହାସଲ କରିନେଇଛି ।

ତେବେ ଏହା ପ୍ରଥମ ଥର ପାଇଁ ଘଟିଛି ଯେତବେଳେ ଭାରତ ବିରୋଧୀ ଦଳକୁ ୩୫୦ରୁ ଅଧିକ ରନ୍ ଟାର୍ଗେଟ ଦେଇଛି ଏବଂ ମ୍ୟାଚ ମଧ୍ୟ ହାରିଯାଇଛି  । ପ୍ରଥମ ଇନିଂସରେ ଭାରତ ୪୧୬ ରନ୍ କରିଥିଲା ଏବଂ ଦ୍ୱିତୀୟ ଇନିଂସରେ ୨୪୫ ରନ୍ କରିଥିଲା  । ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନ୍ କରିଥିଲା ଏବଂ ଭାରତ ତା ଆଗରେ ୩୭୮ ରନର ଲକ୍ଷ୍ୟ ରଖିଥିଲା । ହେଲେ ମାତ୍ର ତିନି ୱିକେଟ ହରାଇ ଇଂଲଣ୍ଡ ଏହି ମ୍ୟାଚଟିକୁ ନିଜ କବଜାକୁ ନେଇଯାଇଥିଲା । ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଯାଦୁ କାମ କରିନଥିଲା । କେହି ହେଲେ ଦୁଇ ଶତକୀୟ ବ୍ୟାଟ୍ସମ୍ୟାନଙ୍କ ୱିକେଟ ନେବାରେ ସଫଳ ହୋଇନଥିଲେ । ଦୁଇଜଣ ୩୧୬ ବଲ ଖେଳି ୨୬୯ରନର ବଡ ଇନିଂସ ଖେଳିଛନ୍ତି ।

ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନଟିଂହମରେ ଖେଳାଯାଇଥିଲା ଏବଂ ଏହା ଡ୍ର ହୋଇଥିଲା । ଲର୍ଡସ ଦ୍ୱିତୀୟ ମ୍ୟାଚରେ ଭାରତ ୧୫୧ରନରେ ବିଜୟୀ ହୋଇଥିଲା । ସେହିପରି ତୃତୀୟ ଲିଡସ ମ୍ୟାଚରେ ଇଂଲଣ୍ଡ ଇନିଂସ ଏବଂ ୭୬ ରନରେ ବିଜୟୀ ହୋଇଥିଲା । ଦ ଓଭାଲରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତ ୧୫୭ ରନରେ ଜିତିଥିଲା  । ପଞ୍ଚମ ଏଜବାଷ୍ଟନ ଟେଷ୍ଟ ମ୍ୟାଚ ୭ ୱିକେଟରେ ଇଂଲଣ୍ଡ ଜିତିଛି  । ଦୁଇଟି ଲେଖାଏଁ ବିଜୟ ସହ ସିରିଜ ମଧ୍ୟ ୨-୨ରେ ବରାବର ବଣ୍ଟା ହୋଇଛି ।

ଭାରତ ପ୍ରଥମ ଇନିଂସ-୪୧୬ ରନ୍, ଋଷଭ ପନ୍ତ ୧୪୬ ରନ୍, ଜାଡେଜା ୧୦୪ ରନ୍

ଇଂଲଣ୍ଡ ପ୍ରଥମ ଇନିଂସ- ୨୮୪ ରନ୍, ଜନି ବେୟାରଷ୍ଟୋ ୧୦୬ ରନ୍

ଭାରତ ଦ୍ୱିତୀୟ ଇନିଂସ- ୨୪୫ ରନ୍, ଚେତେଶ୍ୱର ପୂଜାରା ୬୬ ରନ୍, ଋଷଭ ପନ୍ତ ୫୭ ରନ୍

ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୩୭୮/୩ ରନ୍, ଜୋ ରୁଟ ୧୪୨ ରନ୍ , ଜନି ବେୟାରଷ୍ଟୋ ୧୧୪ ରନ୍ 

ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଓଡିଶା ଶୀର୍ଷରେ

ନନ୍ଦିଘୋଷ ବ୍ୟୁରୋ: ପୁଣି ଓଡିଶାକୁ ଆଉ ଏକ ସଫଳତା  । ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏନଏଫଏସଏର ଏହି ରାଙ୍କିଂରେ ଓଡ଼ିଶା ପୁଣି ପ୍ରଥମ ସ୍ଥାନ ଅଧିକାର କରିଛି । ଓଡିଶାର ଇଣ୍ଡେକ୍ସ ସ୍କୋର ୦.୮୩୬ ରହିଛି  । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି । ସାରା ଦେଶରେ ଓଡ଼ିଶା ପ୍ରଦର୍ଶନ ସବୁଠୁ ଭଲ  । ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ଏବଂ ସର୍ବସାଧାରଣ ବିତରଣ ମନ୍ତ୍ରୀ ପିୟୁଷ ଗୋଏଲ ଏନେଇ ଆଜି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ଖାଦ୍ୟ ଏବଂ ପୋଷଣ ସୁରକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କନଫରେନ୍ସକୁ ସମ୍ବୋଧିତ କଲି ଏବଂ ପ୍ରଥମ ଥର ଏନଏଫଏସଏ ଆଧାରିତ ଷ୍ଟେଟ ରାଙ୍କିଂ ଜାରି କରିଛି, ଯେଉଁଥିରେ ଓଡିଶା ପ୍ରଥମ ସ୍ଥାନରେ ରହିଛି  । ସେହିପରି ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି  । ସମସ୍ତ ରାଜ୍ୟକୁ ଦାୟିତ୍ୱର ସହ ଜନହିତକାରୀ ଯୋଜନା ଉପରେ କାମ କରିବା ପାଇଁ ପ୍ରୋତ୍ସାହିତ କଲି ।

ଓଡିଶାର ଏହି ସଫଳତା ପାଇଁ ସବୁଆଡୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି  । ଦୁଇ ଦଶନ୍ଧି ତଳେ ଓଡିଶା ଗରିବ ରାଜ୍ୟ ତାଲିକାରେ ଶୀର୍ଷରେ ରହୁଥିଲା  । ହେଲେ ଆଜିର ସଫଳତା ସମସ୍ତ ଓଡିଆ ବାସୀଙ୍କ ପାଇଁ ଗର୍ବର ବିଷୟ  । ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଅଗ୍ରଗତି କରି ଶୀର୍ଷରେ ପହଞ୍ଚିବାର ଯାତ୍ରାକୁ ସମସ୍ତେ ପ୍ରଶଂସା କରିଛନ୍ତି  ।

ରାସ୍ତା ମରାମତି ନେଇ କିଲୋମିଟର ପିଛା ଖର୍ଚ୍ଚ ହୋଇଛି ୧୧ଲକ୍ଷ ୬୨ହଜାର ଟଙ୍କା

ଭୁବନେଶ୍ୱର: ତୃତୀୟ ଦିନରେ ସ୍ୱାଭାବିକ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ । ଆଜି ପ୍ରଶ୍ନକାଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାମ ନେଇ ଆଲୋଚନା ହୋଇଛି ।  ପୂର୍ତ୍ତ ବିଭାଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଟ୍ରାନସଫରରେ ସମସ୍ୟା ଏବଂ ଗାଁ ରାସ୍ତାଗୁଡ଼ିକ ଦୀର୍ଘଦିନ ଧରି ମରାମତି ହେଉନଥିବାରୁ ବିଧାୟକମାନେ ଗୃହରେ ଏ ନେଇ ପ୍ରଶ୍ନ ଉଠାଇଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ୧ ଲକ୍ଷ ୩ହଜାର ୭୩୧କିଲୋମିଟର ଆରଡି ରୋଡ୍ ଅଛି ।

୨୦୨୧-୨୨ ଆର୍ଥିକ ବର୍ଷରେ ଏସବୁର ମରାମତି ପାଇଁ ୧ ହଜାର ୨୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି କିଲୋମିଟର ପିଛା ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୬୨ ହଜାର ଟଙ୍କା । ସେହିପରି ପଞ୍ଚାୟତିରାଜ ବିଭାଗ ଅଧୀନରେ ଚାଲୁଥିବା ଜଳଜୀବନ ମିଶନ ନେଇ ମଧ୍ୟ ଆଲୋଚନା ହୋଇଛି । ଅନ୍ୟପଟେ ରାଜ୍ୟରେ ବେକାରୀ ସମସ୍ୟା ନେଇ କଂଗ୍ରେସ ଆଣିଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଅନ୍ୟପଟେ ଯେଉଁ ତଥ୍ୟ ଗତକାଲି ବିଧାୟକମାନଙ୍କୁ ଦିଆଯାଇନାହିଁ, ସେହି ବିଭାଗର ତଥ୍ୟ ଆଣି ବିଧାୟକମାନଙ୍କୁ ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ବୁକ ସର୍କୁଲାର ୪୭ ଉଲଂଘନ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି ।

ଏଥିସହିତ ପଢ଼ନ୍ତୁ: ୫୫ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୯.୩୬କୋଟି ମଞ୍ଜୁର

ଚାକିରି ନାଁରେ ଠକେଇ ମାମଲା; ଅଭିଯୁକ୍ତଙ୍କ ନାଁରେ ଲୁକ୍‌ ଆଉଟ ନୋଟିସ ଜାରି

ଭୁବନେଶ୍ୱର: ଚାକିରି ନାଁରେ ଠକେଇ ମାମଲାରେ ଲୁକ୍‌ ଆଉଟ୍ ନୋଟିସ୍ ଜାରି କଲା ବ୍ୟୁରୋ ଅଫ୍ ଇମିଗ୍ରେସନ୍ । ଅଭିଯୁକ୍ତ ଭିକୁ ଭୋଇ ଓ ମଣିକାନନ୍ଦନଙ୍କ ନାଁରେ ଲୁକ୍‌ ଆଉଟ୍ ନୋଟିସ ଜାରି କରାଯାଇଛି । ଅର୍ଥନୈତିକ ଅପରାଧ ଶାଖାର ଅନୁରୋଧ କ୍ରମେ କିନ୍ନି ଇନ୍‌ଫୋଟେକ୍  ଲିମିଟେଡ୍‌ର ଏହି ୨ ନିର୍ଦ୍ଦେଶକଙ୍କ ନାଁରେ ଲୁକଆଉଟ ଜାରି କରାଯାଇଛି ।

ଭଞ୍ଜନଗର ଥାନାରେ ରୁଜୁ ମାମଲା ଅନୁଯାୟୀ ଅଭିଯୁକ୍ତମାନେ ବହୁ ସଂଖ୍ୟକ ଚାକିରି ଆଶାୟୀଙ୍କ ଠାରୁ ନିଯୁକ୍ତି ନାଁରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି ।

ତଦନ୍ତରୁ ପ୍ରାପ୍ତ ତଥ୍ୟ ମୁତାବକ ୨୦୨୧ ମସିହାରେ ଗଞ୍ଜାମ ବାସିନ୍ଦା ଭିକୁ ଭୋଇ ଏବଂ ଚେନ୍ନାଇର ମଣିକାନନ୍ଦନ ଭଞ୍ଜନଗରରେ କିନ୍ନି ଇନ୍‌ଫୋଟେକ୍ ନାମରେ ଏକ ଅଫିସ୍ ଖୋଲିଥିଲେ । ଏବଂ ଶହ ଶହ ସଂଖ୍ୟକ ଚାକିରି ଆଶାୟୀଙ୍କୁ ନିଯୁକ୍ତି ଦେବା ନାଁରୋ କୋଟି କୋଟି ଟଙ୍କା ଠକି ନେଇଥିଲେ । ତେବେ ଚାକିରି ଆଶାୟୀ ଯୁବକ ଏବଂ ଯୁବତୀଙ୍କୁ ଯୋଗାଡ଼ କରିବାକୁ ଏମାନେ କିଛି ଏଜେଣ୍ଟଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲେ । ତେବେ ନିଯୁକ୍ତି ଦେବାରେ ବିଫଳ ହେବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଆଶାୟୀ । ଏହା ପରେ ଅଭିଯୁକ୍ତ ଦୁହେଁ ଫେରାର ଥିବା ସହ ମାଲେସିଆରେ ଲୁଚିଥିବା ପୋଲିସ ଅନୁମାନ କରୁଛି ।

ଏଥିସହିତ ପଢ଼ନ୍ତୁ: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ

୫୫ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୯.୩୬କୋଟି ମଞ୍ଜୁର

ଭୁବନେଶ୍ୱର:  ଆହୁରି ସୁଦୃଢ଼ ହେବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା । ୫୫ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯.୩୬ କୋଟି ଟଙ୍କା ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୋଟ୍‌ ୯୮ କୋଟି ଟଙ୍କା ବ୍ୟୟରେ ୫୫ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉଛି ।

ଗତ ଏପ୍ରିଲ ମାସରେ ପ୍ରଥମ ପର୍ଯ୍ୟାୟରେ ୨୯କୋଟି ୩୬ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିଲେ । ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଆଶ୍ରୟ ସ୍ଥଳୀଗୁଡ଼ିକ ଲୋକଙ୍କୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଜରିଆରେ ଏସବୁ ନିର୍ମାଣ କରାଯାଉଛି। ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାମରେ ଯଥେଷ୍ଟ ଅଗ୍ରଗତି ହୋଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୨୯କୋଟି ୩୬ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହା ସହିତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରାଚୀନ ରୋମ ଐତିହ୍ୟ ଓ ସଂସ୍କୃତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନରେ ଅଭିଭୂତ ଐତିହାସିକ

ନ୍ୟୁଜ୍‌ ଆଙ୍କର ରୋହିତ ରଞ୍ଜନ ଗିରଫ, ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରସାରିତ କରିଥିଲେ ମିଥ୍ୟା ଖବର

ନୂଆଦିଲ୍ଲୀ: ଏକ ଟିଭି ଚ୍ୟାନେଲର ଆଙ୍କର ଗିରଫ । ଏକ ଟିଭି ଚାନେଲର ନ୍ୟୁଜ୍‌ ଆଙ୍କର ରୋହିତ ରଞ୍ଜନଙ୍କୁ ଗାଜିଆବାଦରୁ ଗିରଫ କରିଛି ନୋଏଡା ପୋଲିସ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ଏଡିଟ କରି ଗଣମାଧ୍ୟମରେ ପ୍ରଚାର କରିଥିଲେ ରୋହିତ । ନିଜର ସ୍ପେଶାଲ ଟିଭି ଶୋ’ରେ ରୋହିତ ଏହି ଭିଡିଓଟିକୁ ଦେଖାଇଥିଲେ ।

ଏହାଯୋଗୁ ରାହୁଲ ଗାନ୍ଧୀଙ୍କ ସମ୍ମାନହାନି ହୋଇଥିବା ଦର୍ଶାଇ ଛତିଶଗଡ଼ ଯୁବ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ନୋଏଡା ଥାନା ସେକ୍ଟର-୨୦ରେ ମଧ୍ୟ ରୋହିତଙ୍କ ନାଁରେ ଏତଲା ଦିଆଯାଇଛି । ନୋଏଡା ସ୍ଥିତ ଟିଭି ଚ୍ୟାନେଲ ଅଫିସ ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ମିଥ୍ୟା ପ୍ରଚାର ପ୍ରସାର ଏବଂ ସମ୍ମାନହାନୀ ହୋଇଥିବାରୁ କଂଗ୍ରେସ ଏହି ମାମଲାକୁ ଷଡ଼ଷନ୍ତ୍ର ବୋଲି ମଧ୍ୟ ଅଭିଯୋଗ କରିଥିଲା  ।

 

ପ୍ରାଚୀନ ରୋମ ଐତିହ୍ୟ ଓ ସଂସ୍କୃତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନରେ ଅଭିଭୂତ ଐତିହାସିକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ରୋମ ଗସ୍ତର ଏକ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓରେ ରୋମର ପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପ୍ରଶଂସା କରିଛନ୍ତି, ତାହାକୁ 5-T ସଚିବ ଭି.କେ ପାଣ୍ଡିଆନ୍ ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ରୋମର ବିଭିନ୍ନ ଐତିହାସିକ ସ୍ଥଳୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ । ରୋମର ଜଣେ ସୁପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ରୋମର ପୁରୁଣା ଐତିହ୍ୟ ଓ ସଂସ୍କୃତି ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ରୋମର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ବିଷୟରେ ଏହି ଐତିହାସିକ ଜଣଙ୍କୁ ଯେଉଁ ତଥ୍ୟ ଦେଇଥିଲେ ସେଥିରେ ଅଭିଭୂତ ହୋଇଥିଲେ ଐତିହାସିକ । ଜଣେ ବିଶ୍ୱ ପ୍ରସିଦ୍ଧ ଲେଖକ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ, ରୋମର ଇତିହାସକୁ ନେଇ ଯେଉଁ ଜ୍ଞାନ ବଖାଣିଛନ୍ତି, ସେଥିରେ ରୋମର ଐତିହାସିକ ଜଣକ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ପ୍ରାଚୀନ ଇତିହାସ କେବଳ ନୁହେଁ, ବିଶ୍ୱ ସାହିତ୍ୟ ଜଗତରେ ମଧ୍ୟ ଖ୍ୟାତି ସାଉଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।

https://www.facebook.com/NandighoshaTV/videos/449406440340505

ଏଥିସହିତ ପଢ଼ନ୍ତୁ: ବାହୁଡ଼ା ଦେଖିବେ ଦିଲ୍ଲୀବାସୀ, ତୀର୍ଥଯାତ୍ରା ଯୋଜନାରେ ଆସିବେ ବରିଷ୍ଠ

ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭିତରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ

ଭଦ୍ରକ: ରାଜ୍ୟରେ ବର୍ଷା ଜାରି । ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଆଉଟଡୋରରେ ଲହଡ଼ି ମାରୁଛି ବର୍ଷା ଜଳ । ଅସରାଏ ବର୍ଷା ରେ ଭଦ୍ରକ ସହରର ଅବସ୍ଥା ବେହାଲ । ମାତ୍ର ଗୋଟିଏ ଘଣ୍ଟା ବର୍ଷାରେ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପାଣି ଜମିଛି। ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଆଉଟଡୋରରେ ପାଣି ପଶିଯିବା ଫଳରେ ଡାକ୍ତର ଓ ରୋଗୀ ହନ୍ତସନ୍ତ ହୋଇଛନ୍ତି । ଆଉଟଡୋର ଭିତରେ ବର୍ଷା ଜଳ ଲହଡି ମାରୁଥିବା ବେଳେ ପାଣି ଭିତରେ ଡାକ୍ତର ରୋଗୀ ଦେଖୁଛନ୍ତି । ରୋଗୀ ମାନେ ମଧ୍ୟ ବର୍ଷା ଜଳ ମଧ୍ୟରେ ଲମ୍ବା ଧାଡିରେ ରହି ଡାକ୍ତରଙ୍କୁ ଦେଖାଉଛନ୍ତି । ସକାଳ ସମୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଭଦ୍ରକ ମେଡିକାଲ ପରିସରରେ ବର୍ଷା ଜଳ ଲହଡି ଭାଙ୍ଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଡ୍ରେନେଜ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଭଦ୍ରକ ସହରରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି

ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା। ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ଉପତ୍ୟକା ଉପରେ କେନ୍ଦ୍ରୀଭୂତ ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ୧୧୦ ମିଲିମିଟରରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ପର୍ଯ୍ୟନ୍ତ ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ସତର୍କ ରହିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସ୍ଆରସିଙ୍କ ଚିଠି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ; ୪ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ରୁଚିକା ଆତ୍ମହତ୍ୟା ମାମଲା; ୩ବିଜ୍ଞାନ ଛାତ୍ରୀଙ୍କ ବିରୋଧରେ ମିଳିଛି ବଳିଷ୍ଠ ପ୍ରମାଣ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା ଉପରୁ ହଟୁଛି ପରଦା । ମୋଟ ୧୩୫ ଜଣଙ୍କୁ ପୋଲିସ ପଚରାଉଚରା କରିଛି । ସେମାନଙ୍କ ଭିତରୁ ଯୁକ୍ତ ୩ ଶେଷ ବର୍ଷର ୩ ବିଜ୍ଞାନ ଛାତ୍ରୀଙ୍କ ବିଷୟରେ ବିଳିଷ୍ଠ ପ୍ରମାଣ ପାଇଛି ପୋଲିସ । ଆଜି ବି ପଚରାଉଚରା କରିବ ପୋଲିସ । ଗତାକାଲିର ଦ୍ୱିତୀୟ ଦିନରେ ୭୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ । ସେମାନଙ୍କ ମଧ୍ୟରେ କ୍ଲାସମେଟ, ସିନିୟର ଛାତ୍ରୀ, ଜୁନିୟର ଛାତ୍ରୀ, ଓ ଗେଟ ଚେକିଂ ଦାୟିତ୍ୱରେ ଥିବ କର୍ମଚାରୀ ଥିଲେ ।

ଏହାସହ ହଷ୍ଟେଲ ସିସିଟିଭିକୁ ଯାଞ୍ଚ କରିଛି ପୋଲିସ । ରୁଚିକାଙ୍କ ମୋବାଇଲ ସିଡ଼ିଆର ପୋଲିସ ମାଗିବା ସହ ତାଙ୍କ ମୋବାଇଲର କରାଯିବ ଫରନେସିକ ଯାଞ୍ଚ । ଅତିରିକ୍ତ ଡିସିପି ରାଙ୍କ୍ର ଅଧିକାରୀଙ୍କ ନେତୃତ୍ୱର ୩ ଜଣିଆ ଟିମ ପଚରାଉଚରା କରୁଛି । କାରୁବାକି ହଷ୍ଟେଲରେ ସିନିୟର ଓ ଜୁନିୟରଙ୍କୁ ନେଇ ଥିବା ୭୦ ଜଣିଆ ହ୍ୱାଟସ୍‌ଆପ୍ ଗ୍ରୁପ ସମ୍ପର୍କରେ ପୋଲିସ ପ୍ରମାଣ ପାଇଛି । ଗ୍ରୁପର କିଛି ସ୍କ୍ରିନସଟ୍ ବି ହସ୍ତଗତ ହୋଇଛି । ଏଥିରେ ସିନିୟରଙ୍କୁ ଗୁଡ୍ ମର୍ଣ୍ଣିଂ, ଗୁଡ୍ ନାଇଟ୍ ମେସେଜ ଦେବାକୁ ବାଧ୍ୟ କରାଯାଉଥିଲା । ତେବେ କିଏ ଏହି ଗ୍ରୁପର ଆଡମିନ୍ ? ତାହା ଜଣାପଡିବା ପରେ ଅଭିଯୁକ୍ତ ନିକଟରେ ପହଁଚିବା ପୋଲିସକୁ ସମ୍ଭବ ହେବ । ହ୍ୟାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟକୁ ଅପେକ୍ଷା କରିଛି ବଡ଼ଗଡ଼ ଥାନା ପୋଲିସ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁ; ୪ଜିଲ୍ଲାକୁ ଅରେଞ୍ଜ ଆଲର୍ଟ