spot_img
Home Blog Page 4074

ବ୍ରିଟେନ ଅର୍ଥ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ଇସ୍ତଫା

ଲଣ୍ଡନ: ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ ଏବଂ ସ୍ୱାସ୍ଥ୍ୟ ସଚିବ ସାଜିଦ ଜାଭେଦ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ମତଭେଦ କାରଣରୁ ଇସ୍ତଫା ଦେଇଥିବା କୁହାଯାଉଛି  । ଦୁଇଜଣଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାର ଏବେ ସଙ୍କଟରେ ପଡିଯାଇଛି । ଜାଭେଦ କହିଛନ୍ତି ଜନସନ ଦୁର୍ନୀତି ପରେ ଦୁର୍ନୀତି କରି ଦେଶ ହିତରେ ଶାସନ କରିବାର କ୍ଷମତା ଉପରେ ବିଶ୍ୱାସ ହରାଇଛନ୍ତି । ସେଥିପାଇଁ ଜନସନଙ୍କ ସରକାରରୁ ଇସ୍ତଫା ଦେଇଛି ।

ସେ ଆଗକୁ କହିଥିଲେ ଅନେକ ସାଂସଦ ଏବଂ ଜନତା ଜନସନଙ୍କ ଦେଶ ହିତରେ ଶାସନ କରିବାର କ୍ଷମତା ଉପରେ ବିଶ୍ୱାସ ହରାଇଛନ୍ତି । ସରକାରଙ୍କ ଉପରେ ଲୋକମାନେ ଯେଉଁ ଆଶା ଆଉ ଭରସା ରଖିଥିଲେ ସେସବୁକୁ ଧୀରେ ଧୀରେ ହରାଉଛନ୍ତି ଜନସନ  । ଋଷି ସୁନକ ଚାନ୍ସଲର ପଦରୁ ଇସ୍ତଫା ଦେଇ କହିଛନ୍ତି, ସରକାର ସଠିକ ଢଙ୍ଗରେ ଏବଂ ଲୋକଙ୍କ ହିତରେ ଚାଲିବା ଦରକାର । ଯେଉଁ ବିଶ୍ୱାସର ସହ ଆମକୁ ଲୋକମାନେ ନିର୍ବାଚିତ କରିଛନ୍ତି ଆମେ ତାକୁ ଭାଙ୍ଗିବା କଥା ନୁହେଁ  । ମୁଁ କିନ୍ତୁ ସଠିକ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ସ୍ୱାଧୀନତା ପାଇଲି ନାହିଁ ଏବଂ ଏହି କାରଣରୁ ଇସ୍ତଫା ଦେଉଛି  ।

ଏହାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ନେତୃତ୍ୱ ବିରୋଧରେ ବିଦ୍ରୋହର ବଡ ଆହ୍ୱାନ ବୋଲି ଆଶଙ୍କା କରାଯାଉଛି । ନିକଟରେ ଦୁଇଟି ଉପନିର୍ବାଚନ ହୋଇଥିଲା, ଯେଉଁଥିରେ କ୍ଷମତାସୀନ କନଜରଭେଟିବ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହାପରଠୁ ମନ୍ତ୍ରୀମାନଙ୍କ ମଧ୍ୟରେ ବିରୋଧର ସ୍ୱର ଉଠିଥିଲା  ।

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ, ୩ ମୃତ

ୱାସିଂଟନ ଡିସି: ଆମେରିକାରେ ପୁଣି ବନ୍ଧୁକ ଆତଙ୍କ । ବିବାଦୀୟ ଗନ୍‌ ଲ’ ଯୋଗୁ ବଢୁଛି ଗଣହତ୍ୟା ।  ଆମେରିକାରେ ଲଗାତାର ଦ୍ୱିତୀୟ ଦିନରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । ଇଣ୍ଡିଆନାରେ ଗୁଳିମାଡ କାରଣରୁ ୩ ଜଣଙ୍କୁ ମୃତ୍ୟୁ ହୋଇଯାଇଛି । ଗ୍ୟାରି ଇଣ୍ଡିଆନାର ବ୍ଲକ ପାର୍ଟିରେ ଏହି ଦୁର୍ଘଟଣା ଘଟିଛି । ଆକ୍ରମଣକାରୀ ୧୦ ଜଣଙ୍କ ଉପରକୁ ଗୁଳି ମାଡ଼ କରିଛି । ୩ଜଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି  । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲ ପଠାଇବା ସହ ଆକ୍ରମଣକାରୀକୁ ଖୋଜୁଛି  ।

ଆମେରିକାରେ ଫାଇରିଙ୍ଗ କୌଣସି ନୂଆ କଥା ନୁହେଁ  । ଗୋଟେ ଦିନ ପୂର୍ବରୁ ସୋମବାର ଫ୍ରିଡମ ଡେ ପରେଡ ବେଳେ ଆଖିବୁଜା ଗୁଳିମାଡ଼ ହୋଇଥିଲା । ପୁରା ଦେଶରେ ସ୍ବାଧୀନତା ଦିବସ ଉତ୍ସବ ଚାଲିଥିବା ବେଳେ ଆତଙ୍କ ରଚିଥିଲା ଆତତାୟୀ । ଚିକାଗୋ ହାଇଲ୍ୟାଣ୍ଡ ପାର୍କ ନିକଟରେ ୨ଶହ ରାଉଣ୍ଡ ଗୁଳି ଚଳାଇଥିଲା ୨୨ ବର୍ଷୀୟ ରବର୍ଟ ଇ. କ୍ରିମୋ । ହାତରେ ହାଇ ପାଓ୍ବାର ରାଇଫଲ ଧରି ଆତଙ୍କ ରଚାଇଥିଲା ରବର୍ଟ । ଗୁଳିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪୦ଜଣ ଆହତ ହୋଇଛନ୍ତି । ନିକଟସ୍ଥ ଏକ ଘରର ଛାତ ଉପରୁ ପରେଡ ସ୍ଥଳକୁ କ୍ରିମୋ ଫାୟାରିଂ କରିଥିଲା । ଅଭିଯୁକ୍ତ ଯୁବକକୁ ଗିରଫ କରି ହେପାଜତକୁ ନେଇଛି ପୋଲିସ ।

କ୍ରିମୋଠାରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ହଜାର ହଜାର ଲୋକ ଏକାଠି ହୋଇଥିବା ବେଳେ ପ୍ରଚଣ୍ଡ ଗୁଳି ଶବ୍ଦରେ ଥରି ଉଠିଥିଲା ପୁରା ଅଞ୍ଚଳ । ଜୀବନ ବଞ୍ଚାଇବାକୁ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗଥିଲେ । ଫାୟାରିଂ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଗତ କିଛି ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଏଭଳି ଅନେକ ଅଘଟଣ ଘଟିଥିବା ବେଳେ ଏକାଧିକ ଲୋକଙକ ଜୀବନ ଯାଇଛି । ନିକଟରେ ଏକ ସ୍କୁଲରେ ଜଣେ ଯୁବକଙ୍କ ଆଖିବୁଜା ଗୁଳିମାଡ଼ରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ବିବାଦୀୟ ବନ୍ଧୁକ ନିୟନ୍ତ୍ରଣ ଆଇନ ଯୋଗୁ ଆମେରିକାରେ ସର୍ବାଧିକ ଗଣ ହତ୍ୟାକାଣ୍ଡ ଘଟୁଛି । ତେବେ ଗନ୍ ଲ ଆଇନରେ କିଛିଟା ପରିବର୍ତ୍ତନ ପାଇଁ ସରକାର ବିଚାର କରୁଛନ୍ତି ।

ପିସିସି ସଭାପତିଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ଭୁବନେଶ୍ୱର: ଓଡିଶା ଝିଅ ତଥା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ଅଣ୍ଟା ଭିଡିଛି ବିଜୁ ଜନତା ଦଳ । ବିରୋଧୀ ଦଳ ଏବଂ ସ୍ୱାଧୀନ ବିଧାୟକମାନଙ୍କୁ ସମର୍ଥନ ଦେବାକୁ ନିବେଦନ କରୁଛି ବିଜେଡି  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସନ୍ଧ୍ୟାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ପ୍ରତିନିଧି ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ବୁଝାଇଛନ୍ତି । ଦ୍ରୌପଦୀ ମୁର୍ମୁ ଓଡ଼ିଆ ଝିଅ ହୋଇଥିବାରୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ ।

ଆଜି ଦଳର ବରିଷ୍ଠ ନେତା ଓ ବିଧାୟକମାନଙ୍କୁ କଂଗ୍ରେସର ବିଧାୟକ ଓ ନେତାଙ୍କୁ ଭେଟି ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଥିଲେ । ଏନେଇ ପିସିସି ସଭାପତି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଜେଡି ତାଙ୍କ ଦାୟିତ୍ବ ତୁଲାଉଛନ୍ତି । ଆମେ ଆମ ଦାୟିତ୍ବ ତୁଲାଇବୁ । କଂଗ୍ରେସ କାହାକୁ ସମର୍ଥନ କରିବ ସେନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ ।

କଣ୍ଟେଣ୍ଟ ହଟାଇବାକୁ କେନ୍ଦ୍ରର ନିର୍ଦେଶକୁ ଚ୍ୟାଲେଞ୍ଜ କଲା ଟ୍ୱିଟର; କହିଲା ଲୋକଙ୍କ ଅଧିକାରର ଉଲ୍ଲଙ୍ଘନ କରିବୁନି

ବେଙ୍ଗାଲୁରୁ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟ ଗଲା ଟ୍ୱିଟର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଟ୍ୱିଟର । ଟ୍ୱିଟର ଅଭିଯୋଗ କରିଛି, କିଛି ସରକାରୀ ଅଧିକାରୀ ଆଇନର ଅପବ୍ୟବହାର କରୁଛନ୍ତି । ତେଣୁ କିଛି ନିୟମର ନ୍ୟାୟିକ ସମିକ୍ଷା ଆବଶ୍ୟକ । କମ୍ପାନୀ ଏଥିପାଇଁ କୋର୍ଟରେ ଆବେଦନ କରିଛି । ଅନ୍ୟପକ୍ଷରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରାଯିବ ଆବଶ୍ୟକ ।

ଆଇଟି ମନ୍ତ୍ରଣାଳୟ କିଛି ଦିନ ପୂର୍ବେ ଟ୍ୱିଟରକୁ ଚେତାବନୀ ଦେଇଥିଲା । ଚେତାବନୀରେ ମନ୍ତ୍ରଣାଳୟ କହିଥିଲା ଯଦି ସେ ନିର୍ଦ୍ଦେଶର ପାଳନ ନକରେ ତେବେ ତା ବିରୋଧରେ ଅପରାଧିକ ମମଲା ରୁଜୁ କରାଯିବ । ଟ୍ୱିଟର କୋର୍ଟ ଯିବା ପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୌଣସି ବି ସେକ୍ଟରର କେହି ବି କମ୍ପାନୀ ହୁଅନ୍ତୁ ନା କାହିଁକି ସେମାନଙ୍କୁ ଭାରତୀୟ ନିୟମ ଆଇନର ପାଳନ କରିବାକୁ ପଡିବ । ନିୟମ ପାଳନ ସମସ୍ତଙ୍କ ଉତ୍ତରଦାୟିତ୍ୱ ଅଟେ । ସାମାଜିକ ଗଣମାଧ୍ୟମକୁ କିପରି ଦାୟିତ୍ୱସମ୍ପନ୍ନ କରାଯିବ ତା ଉପରେ କାମ ଚାଲିଛି । ତିନୋଟି ସ୍ତରରେ ଏହା ଉପରେ କାର୍ଯ୍ୟ ହେବା ଆବଶ୍ୟକ । ସେଲ୍ଫ ରେଗୁଲେସନ, ଇଣ୍ଡଷ୍ଟ୍ରୀ ରେଗୁଲେସନ ଏବଂ ଗଭର୍ଣ୍ଣମେଣ୍ଟ ରେଗୁଲେସନ ସ୍ତରରେ କାର୍ଯ୍ୟ ହେବ  ।

କେନ୍ଦ୍ର ସରକାରଙ୍କ ଅନୁସାରେ ସାମାଜିକ ଗଣମାଧ୍ୟମ ଜରିଆରେ କିଛି ଅସାଧୁ ବ୍ୟକ୍ତି ନିଜର ଏଜେଣ୍ଡା ସେଟ କରୁଛନ୍ତି ଏବ ଗୁଜବ ପ୍ରଚାର କରୁଛନ୍ତି  । ସରକାର ଏଥିପାଇଁ ଟ୍ୱିଟରକୁ କହିଥିଲେ ଏଭଳି ଲୋକଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ପାଇଁ  । ଟ୍ୱିଟରରୁ ଖାଲିସ୍ତାନ ସମର୍ଥକଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦେଶ ଦେଇଥିଲେ । ସେହିପରି ସରକାରଙ୍କ କୋଭିଡ ପରିଚାଳନାକୁ ସମାଲୋଚନା କରୁଥିବା ଟ୍ୱିଟସ ଉପରେ ମଧ୍ୟ କାର୍ଯାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଥିଲା  ।

ଟ୍ୱିଟର ସମେତ ଅନେକ ସାମାଜିକ ଗଣମାଧ୍ୟମ କମ୍ପାନୀ ସରକାରଙ୍କ କଣ୍ଟେଣ୍ଟ ହଟାଇବାର ନିର୍ଦେଶ ଉପରେ କାର୍ଯାନୁଷ୍ଠାନ କରିନାହାନ୍ତି । ଏଥିପାଇଁ ଆଇଟି ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ନିୟମ ପାଳନ ନକଲେ ଅପରାଧିକ ମାମଲା ରୁଜୁ କରାଯିବ । ଅଭିବ୍ୟକ୍ତିର ସ୍ୱାଧିନତାର ଉଲ୍ଲେଖ କରି ଟ୍ୱିଟର କହିଛି ଯଦି ଆମେ କୌଣସି ୟୁଜରଙ୍କୁ ବିନା ନୋଟିସରେ କଣ୍ଟେଣ୍ଟ ହଟାଉଛେ ତେବେ ଏହା ୟୁଜରଙ୍କ ଅଧିକାରର ଉଲ୍ଲଙ୍ଘନ ହେବ ।

ପୁଣି ଏକ ସ୍ପାଇସଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ଜରୁରୀ ଅବତରଣ

ମୁମ୍ବାଇ: ସ୍ପାଇସଜେଟର ଆଉ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଜରୁରୀକାଳିନ ଅବତରଣ କରିବାକୁ ପଡିଛି । ଏସଜି ୩୩୨୪ ବିମାନର ୱିଣ୍ଡସିଲ୍ଡ ଭାଙ୍ଗିଯିବାରୁ ଜରୁରୀ ଅବତରଣ କରିବାକୁ ପଡିଛି । ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରାଯାଇଛି ।  କ୍ରିୟୁ ସଦସ୍ୟ ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ସୂଚନାନୁଯାୟୀ, ଗୁଜୁରାଟର କାଣ୍ଡଲାରୁ ଉଡ଼ାଣ ଭରିଥିଲା ଏହି ବିମାନ । କିନ୍ତୁ ମଝି ଆକାଶରେ ବିମାନର ୱିଣ୍ଡଶିଲ୍ଡରେ ଭାଙ୍ଗିଯାଇଥିଲା । କୁହାଯାଉଛି ବିମାନର ବାହାର ଡୋରରେ ସାମାନ୍ୟ ଅଧିକ ଚାପ ପଡିବା କାରଣରୁ ଭାଙ୍ଗିଥିଲା ।

ଏହାପରେ ବିମାନକୁ ସୁରକ୍ଷିତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା । ବିମାନର ସମସ୍ତ ଷ୍ଟାଫ ଏବଂ ସେଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ବିମାନରୁ ବାହାରକୁ ବାହାର କରାଯାଇଛନ୍ତି । ସୂଚନାଥାଉକି ଗତ ୧୭ ଦିନ ମଧ୍ୟରେ ଏହା ୭ମ ଘଟଣା ଅଟେ । ଆଜି ସକାଳେ ଫୁଏଲ ଇଣ୍ଡିକେଟରରେ ତ୍ରୁଟି କାରଣରୁ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ ଜେଟ ଏସଜି-୧୧ ଫ୍ଲାଇଟ ପାକିସ୍ତାନର କରାଚିରେ ଲ୍ୟାଣ୍ଡିଂ କରାଯାଇଥିଲା ।

ଦାଢ଼ି ଥିବାରୁ ୧୦୦ ଶିଖ୍ ସୁରକ୍ଷା ଗାର୍ଡ ଚାକିରିରୁ ବହିଷ୍କୃତ

ଟରୋଣ୍ଟୋ ସିଟି: କୁହାଯାଏ ଚାକିରି କ୍ଷେତ୍ରରେ କାହାର ଧର୍ମ ବର୍ଣ୍ଣ କିମ୍ବା ଜାତି ଦେଖି ନିଯୁକ୍ତି ଦିଆଯାଏ ନାହିଁ ବରଂ ତାର ଶିକ୍ଷା ଯୋଗ୍ୟତା ଓ ଦକ୍ଷତାକୁ ଦେଖି ଦିଆଯାଇଥାଏ । କିନ୍ତୁ କାନାଡାରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା । କାନାଡାରେ ଅନେକ ସଂଖ୍ୟାରେ ଶିଖ୍ ଧର୍ମର ଲୋକ ରୁହନ୍ତି ଏବଂ ସେଠାରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ପ୍ରଶାସନର ଏକ ପଦକ୍ଷେପ କାରଣରୁ ଶିଖ୍ ମାନଙ୍କ ମଧ୍ୟରେ ବିଦ୍ରୋହ ଦେଖା ଦେଇଛି । ଟୋରଣ୍ଟୋ ସିଟି ପ୍ରଶାସନ ୧୦୦ରୁ ଅଧିକ ସୁରକ୍ଷାକର୍ମୀଙ୍କୁ ଦାଢ଼ି କାରଣରୁ ଚାକିରିରୁ ବିଦା କରିଦେଇଛନ୍ତି । ଏହାପରେ ଶିଖ ସଂଗଠନ ରାଗରେ ରହିଥିବା ଦେଖା ଦେଇଛି । ପ୍ରଶାସନ କହିଛି ଯେ, ସୁରକ୍ଷାକର୍ମୀଙ୍କ ପାଇଁ ଏନ୯୫ ମାସ୍କ ଅନିର୍ବାର୍ଯ୍ୟ ଅଟେ ଏବଂ ଶିଖ ମାନଙ୍କ ଦାଢି ରହିଥିବା କାରଣରୁ ସେମାନେ ମାସ୍କକୁ ସଠିକ ଢଙ୍ଗରେ ପିନ୍ଧି ପାରୁନାହାନ୍ତି । ସମ୍ପୂର୍ଣ୍ଣ ଫିଟିଙ୍ଗ ପାଇଁ କ୍ଲିନ ସେଭ ଥିବା ଗାର୍ଡଙ୍କ ଆବଶ୍ୟକ ରହିଛି । ଫିଟ ଟେଷ୍ଟ ସମୟରେ ମଧ୍ୟ ମୁଁହରେ ଦାଢି ରଖିବାର ଅନୁମତି ନାହିଁ ।

ଅନ୍ୟପଟେ କାନାଡା ବିଶ୍ୱ ଶିଖ୍ ସଂଗଠନ (ଡବ୍ଲୁଏସଓ) ଚାକିରିରୁ ବହିଷ୍କୃତ ଶିଖ ସୁରକ୍ଷା ଗାର୍ଡଙ୍କୁ ପୁଣିଥରେ ଚାକିରିରେ ରଖିବା ପାଇଁ ଦାବି କରିଛି । ଟୋରଣ୍ଟୋ ସିଟି ନିକଟରେ ସହରର ସୁରକ୍ଷା ପାଇଁ ଗାର୍ଡଙ୍କ ପାଇଁ କ୍ଲିନ ଶେଭ ଭର୍ତ୍ତି ଆରମ୍ଭ କରିଛି । ଏହାର ପରିଣାମ ସ୍ୱରୂପ ଶିଖ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବାହାର କରାଯାଇଛି । ଡବ୍ଲୁଏସଓର ମୁଖିଆ ତେଜିନ୍ଦର ସିଂହ ସିଦ୍ଧୁ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭୁଲ ଯେ ମହାମାରୀ ସମୟରେ କ୍ଲିନ ଶେଭ ନଥିବା କାରଣରୁ ଶିଖ୍ ସୁରକ୍ଷା ଗାର୍ଡଙ୍କୁ ଚାକିରିରୁ ବହିସ୍କାର କରାଯାଉଛି । ଆମେ ଏହାକୁ ନିନ୍ଦା କରୁଛୁ ଏବଂ ତୁରନ୍ତ ସେମାନଙ୍କୁ ପୁଣିଥରେ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ପାଇଁ ଦାବି କରୁଛୁ  ।

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଟିର ଝିଅକୁ ଜିତାଇବାକୁ ଅଣ୍ଟାଭିଡିଲା ବିଜେଡି । ଦଳମତ ନିର୍ବିଶେଷରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁଣି ଅପିଲ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜେ ନରସିଂହଙ୍କ ସହିତ ଫୋନରେ କଥା ହୋଇଛନ୍ତି । କଂଗ୍ରେସ ବିଧାୟକ ଓ ସାଂସଦଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଏଥିପାଇଁ ନବୀନଙ୍କ ନିର୍ଦ୍ଦେଶରେ ଆଲୋଚନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ଏହାସହ କଂଗ୍ରେସ ବିଧାୟକ, ବଣାଇ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ବୁଝାଇବାକୁ ନବୀନ ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ପିସିସି ସଭାପତିଙ୍କୁ ବି ବୁଝାଇବା ପାଇଁ ନବୀନ ଦଳୀୟ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ଓଡିଶା କଂଗ୍ରେସର ୯ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲ । ଏହା ପୂର୍ବରୁ ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଆଶ୍ୱାସନା ଦେଇଛନ୍ତି ମକରନ୍ଦ ।

ରାଜଧାନୀରେ ଆଉଜଣେ ଛାତ୍ରୀଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ପ୍ରତିଦିନ ବଢୁଛି ଆତ୍ମହତ୍ୟା ମାମଲା  । ଖାସକରି ଯୁବଗୋଷ୍ଠୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । କେହି କେହି ପାରିବାରିକ ସମସ୍ୟ ଓ ଆଉ କେହି ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି  । ଗତ ଦୁଇ ଦିନ ତଳେ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣା କାହା ମନରୁ ଲିଭିନଥିବା ବେଳେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି  ।

ରାଜଧାନୀରେ ଆଉଜଣେ ଛାତ୍ରୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି MCA ଛାତ୍ରୀ । ଆଚାର୍ଯ୍ୟବିହାରର ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ହେଲେ ଭଦ୍ରକ ତିହିଡି ଅଞ୍ଚଳର ଆଶ୍ରିତା ସେନାପତି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ଥିବା ବେଳେ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ପ୍ରଥମ ବର୍ଷ ଛାତ୍ରୀ ଥିଲେ ଆଶ୍ରିତା ।

ସହିଦନଗର ଥାନା ପୋଲିସ ମୃତ ଦେହ ଜବତ କରି ପୋଷ୍ଟ ମୋର୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଭଡାଘରୁ ଏକ ସୁସାଇଡ଼ ନୋଟ ଜବତ କରିଛି ପୋଲିସ । ମୃତ୍ୟୁର ପ୍ରକୃତ କାରଣ କଣ ସେନେଇ ତଦନ୍ତ ଜାରି ରଖିଛି ପୋଲିସ  ।

ଆଇଆଇଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ଜୁଲାଇ ୯ରୁ ଇଣ୍ଟର ସ୍କୁଲ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଆସନ୍ତା ୯ ଏବଂ ୧୦ ଜୁଲାଇରେ ଆଇଆଇଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ କେଟି ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଖେଳା ଯିବାକୁ ଯାଉଛି ଇଣ୍ଟର ସ୍କୁଲ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଥର ପାଇଁ କେଟି ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଇଣ୍ଟର ସ୍କୁଲ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଭୁବନେଶ୍ୱର ଓ ଖୋର୍ଦ୍ଧାରୁ ୨୪ ଟି ଟିମ ଏହି  ପ୍ରତିଯୋଗିତାରେ ଅଶଂଗ୍ରହଣ କରିବେ । ପ୍ରତ୍ୟେକ ଟିମ ପାଇଁ  ଏଣ୍ଟ୍ରି ଫି ୧ହଜାର ଟଙ୍କା ରଖାଯାଇଛି । ତେବେ ଅଶଂଗ୍ରହଣକାରୀ ଟିମ ପାଇଁ ପଞ୍ଜିକରଣର ଶେଷ ତାରିଖ ୭ ଜୁଲାଇ ରହିଛି ।

ଉଭୟ ବାଳକ ଓ ବାଳିକା ବର୍ଗରେ ପ୍ରତିଯୋଗିତା ଖେଳାଯିବ ।  ପ୍ରତିଯୋଗିତାରେ ବାଳକ ଚାମ୍ପିୟନ ଟିମକୁ ଟ୍ରଫି ସହ ୭ ହଜାର ଟଙ୍କା, ରନର୍ସପକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ପ୍ରତିଯୋଗିତାରେ ବାଳିକା ବର୍ଗରେ ମଧ୍ୟ  ଚାମ୍ପିୟନ ଟିମକୁ ଟ୍ରଫିଂ ସହ ୭ ହଜାର ଟଙ୍କା, ରନର୍ସପକୁ ଟ୍ରଫି ସହ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଉଭୟ ବର୍ଗର ରନର୍ସପ ଟିମକୁ ଟ୍ରଫି ସହ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହି ପ୍ରତିଯୋଗିତାରେ ବେସରକାରୀ ଓ ସରକାରୀ ସ୍କୁଲର ପ୍ରାୟ ୨୪ ଟି ଟିମ୍ (୧୬ ବାଳକ ଦଳ ଏବଂ ୮ ବାଳିକା ଦଳ) ଅଶଂଗ୍ରହଣ କରିବେ।

ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ଥିବା ବିଭିନ୍ନ ସ୍କୁଲ ବାସ୍କେଟବଲ ଟିମ ଏତିରେ ଯୋଗଦେବେ ।  ପ୍ରତିଯୋଗିତା କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟରେ ଖେଳାଯିବ ଏବଂ କ୍ୱାର୍ଟର ଫାଇନାଲ ପରେ ପ୍ରତିଯୋଗିତା ନକଆଉଟ୍ ପର୍ଯ୍ୟାୟରେ ଖେଳାଯିବ । ପ୍ରତିଯୋଗିତାକୁ ତାଲିମ ପ୍ରାପ୍ତ ରେଫରି ପରିଚାଳନା କରିବେ । ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ହେଉଛି ଖେଳାଳୀଙ୍କୁ ତୃଣମୂଳ ସ୍ତରରୁ କିପରି ଭିତ୍ତିଭୂମି ଯୋଗାଇବା ସହ ଓଡ଼ିଶାରେ ସ୍କୁଲ ସ୍ତରରୁ ବାସ୍କେଟବଲକୁ ଅଧିକରୁ ଅଧିକ ପ୍ରଚାର ପ୍ରାସର କରିବା, ବାସ୍କେଟବଲକୁ ପ୍ରୋତ୍ସାହିତ କରିବା ଏବଂ  ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା ।

ଖୋର୍ଧା ଜିଲ୍ଲା ବାସ୍କେଟବଲ ଆସୋସିଏସନ (କେଡିବିଏ) ସେକ୍ରେଟାରୀ ପ୍ରସାନ୍ତ କୁମାର ନାୟକ, କେଡିବିଏ ସଦସ୍ୟ ତଥା କୋଚ୍ ଅରୁଣ କୁମାର ମିଶ୍ର, ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ, ସଞ୍ଜୟ ଚୌଧୁରୀ, କେ.ଟି ଗ୍ଲୋବାଲ ସ୍କୁଲ ପରିଚାଳନା ଟ୍ରଷ୍ଟି ସୋମଦତ୍ତ ବେହୁରା, ମେଣ୍ଟର ତଥା ପରାମର୍ଶଦାତା ଅରୁଣ କୁମାର ଦାସ, ନିର୍ଦ୍ଦେଶକ ପୂର୍ଣ୍ଣଶିଷ ରଥ, କେ.ଟି ଗ୍ଲୋବାଲ ସ୍କୁଲର ପ୍ରିନ୍ସିପାଲ ସବିତା ପଣ୍ଡା, ଭାଇସ ପ୍ରିନ୍ସିପାଲ ଅନୁରାଧା ଘୋଷ  ପ୍ରମୁଖ ଉପସ୍ଥିତ ଥିଲେ  ।

ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ରଥଯାତ୍ରା ଆୟୋଜିତ

ୱାସିଂଟନ ଡିସି: ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ଆଜି ପଞ୍ଚମ ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ସକାଳେ ୱାରୱିଇକସ୍ଥିତ ହିନ୍ଦୁ ମନ୍ଦିରଠାରେ ମୁଖ୍ୟ ପୂଜାରୀ ସୋମନାଥ ଶାସ୍ତ୍ରୀଙ୍କର ତତ୍ତ୍ଵାବଧାନରେ ଚାରିଦିଅଁଙ୍କ ସମ୍ମୁଖରେ ପୂଜାର୍ଚ୍ଚନା ଓ ନିତିକାନ୍ତି ସମ୍ପନ୍ନ କରାଯାଇଥିଲା । ଏହି ଉତ୍ସବରେ ରୋଡସ ଆଇଲ୍ୟାଣ୍ଡର ଶ୍ରଦ୍ଧାଳୁ ମାନଙ୍କ ସହିତ ସୁଦୂର ପେନସିଲଭାନିଆ, ନିଉଜର୍ସି, ନ୍ୟୁୟର୍କ, କନେକ୍ଟିକଟ, ମାସାଚିଉଟସ ଓ ନିଉହାମ୍ପସାୟାର ଆଦି ସ୍ଥାନରୁ ତିନିଶହରୁ ଉର୍ଦ୍ଧ୍ବ ଓଡ଼ିଆ ଓ ଅଣଓଡ଼ିଆ ପରିବାରମାନେ ଆସି ଯୋଗ ଦେଇଥିବାର ଲକ୍ଷ୍ୟ କରାଯାଇଥିଲା ।

ମଧ୍ୟାହ୍ନ ବାରଟା ସମୟରେ ଭଜନ କୀର୍ତ୍ତନର ଗହ ଗହ ନାଦ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନି ତଥା ଶଙ୍ଖ, ଘଣ୍ଟ, କରତାଲ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ସ୍ବର ଦ୍ଵାରା ଗଗନ ପବନ ପ୍ରକମ୍ପନ ମଧ୍ୟରେ ଚାରି ଠାକୁରଙ୍କର ଧାଡ଼ି ପହଣ୍ଡି ଓ ରୋଷଣୀ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ଭକ୍ତମାନେ ନଚାଇ ନଚାଇ ସୁନ୍ଦର, ସୁରମ୍ୟ ଓ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନେଇ ସିଂହାସନରେ ଆସୀନ କରାଇଥିଲେ।

ରଥଟିକୁ ସାଜସଜ୍ଜା କରିବାରେ ବିଶ୍ଵ ପଟ୍ଟନାୟକ, ଦିଗବିଜୟ ମହାପାତ୍ର, ଲିନା ରାଉତରାୟ, ସୌରଭ ମିଶ୍ର, ଶୁଭ୍ରାଂଶୁ ମହାନ୍ତି, ସରୋଜ ବେହେରା, ପଙ୍କଜ ପଣ୍ଡା ଓ ପ୍ରିତମ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଫୁଲ ସଜାଇବାରେ ଶ୍ରଦ୍ଧା ନାୟକ, ପ୍ରଜ୍ଞା ବେହେରା, ରଞ୍ଜିତା ବେହେରା ଓ ଚନ୍ଦ୍ରା ନାୟକ ସାହାଯ୍ୟ କରିଥିଲେ । ହିନ୍ଦୁ ମନ୍ଦିରର ଡାଇରେକ୍ଟରସ୍ ବୋର୍ଡର ବରିଷ୍ଠ ସଦସ୍ୟ ମହେଶ ପଟେଲ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଭାରତୀୟ ଐତିହ୍ୟ ପ୍ରତିଷ୍ଠାନର ସଦାନନ୍ଦ ଦାସ, ତାଙ୍କର ଇସ୍କନ ସହଯୋଗୀ ମାନଙ୍କ ସହିତ ଯୋଗ ଦେଇଥିଲେ। ଅପରାହ୍ନ ୧ଟା ବେଳେ ରଥଟଣା ଆରମ୍ଭ କରାଯାଇଥିଲା ।

ପ୍ରସାଦ ପ୍ରସ୍ତୁତ କରିବାରେ ବବିତା ମହାନ୍ତି, ମୁନମୁନ ଦାସ, ବିଷ୍ଣୁପ୍ରିୟା ବଳ, ତପନ୍ଵିତା ରାଉତରାୟ, ସୌମ୍ୟଶ୍ରୀ ଦାଶ, କଳ୍ପନା ମହାନ୍ତି ଏବଂ ମଣି ମହାପାତ୍ର ପ୍ରମୁଖ ସେମାନଙ୍କର ସିଦ୍ଧହସ୍ତର ଚାତୁର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଳ ସାଢେ଼ ୧୦ଟା ବେଳେ ଆରମ୍ଭ ହୋଇଥିଲା ।

ମହୋତ୍ସବର ଅନ୍ୟତମ ଆକର୍ଷଣ ଭାବରେ ‘ରୋଡ଼ସ୍ ଆଇଲ୍ୟାଣ୍ଡରେ ରଥଯାତ୍ରାର ଇତିବୃତ୍ତ’ ଶୀର୍ଷକ ପୁସ୍ତକ ଏବଂ ଏଠାରେ ରଥଯାତ୍ରାର ପ୍ରଧାନ ଉଦ୍ୟୋକ୍ତା ଅକ୍ଷୟ ମହାନ୍ତିଙ୍କ ଦ୍ଵାରା ଲିଖିତ ‘ଅପରିସୀମ ଶ୍ରୀ ଜଗନ୍ନାଥ’ ଶୀର୍ଷକ ପ୍ରବନ୍ଧକୁ ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଉପରେ ବିରାଜମାନ ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ମୁଖ୍ୟ ଆୟୋଜକ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆନ୍ତର୍ଜାତିକ ସଂଯୋଜକ ଅକ୍ଷୟ ମହାନ୍ତି ଓ ନିଉଇଂଲଣ୍ଡ ଓଡ଼ିଶା ସମାଜର ପୂର୍ବତନ ସଭାପତି ଦେବଦତ୍ତ ବେହେରା ପ୍ରମୁଖ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ।