ଟ୍ରକ୍ ଚୋରି ପାଇଁ ଡ୍ରାଇଭରକୁ ମଦ ପିଆଇ ମହାନଦୀକୁ ଠେଲିଦେଲେ ଆଉ ଜଣେ ଡ୍ରାଇଭର

ପାରାଦୀପ: ଟ୍ରକ୍ ଚୋରି କରିବା ପାଇଁ ଡ୍ରାଇଭରକୁ ମଦ ପିଆଇ ମହାନଦୀକୁ ଠେଲି ଦେଲେ ଅନ୍ୟ ଟ୍ରକର ଡ୍ରାଇଭର ଓ ହେଲପର । ଡ୍ରାଇଭର ସାଦବି ଆଲମ ନିଖୋଜ ଥିବା ବେଳେ, ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ । ଗତ ଅଗଷ୍ଟ ୨୬ ତାରିଖରେ ନୂଆଦିଲ୍ଲୀର ସାଦବି ଆଲମ ବଦୋଦରାରୁ ଆଇଓସିଏଲକୁ ମାଲ୍ ଆଣି ଆସିଥିଲେ । ଗତ ୨୦ ତାରିଖ ପର୍ଯ୍ୟନ୍ତ ପରିବାର ସହିତ କଥା ହୋଇଥିଲେ । କିନ୍ତୁ ୨୧ ତାରିଖରୁ ତାଙ୍କର ସୂଚନା ମିଳୁନଥିବା ନେଇ ବାପା ସେହେଜାଦ ଆଲମ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ସ୍ୱତନ୍ତ୍ର ଟିମ୍ କରାଯାଇ ତଦନ୍ତ କରାଯାଇଥିଲା ।

ତଦନ୍ତ ଜଣାପଡିଥିଲା ଯେ, ଟାଟାରୁ ଆସିଥିବା ଏକ ଟ୍ରେଲର ଗାଡ଼ିର ହେଲପର ହରପାଲ ସିଂ ଓ ଡ୍ରାଇଭର ହୁକମ ସିଂଙ୍କ ସହିତ ସାଦବି ଆଲମର ଘନିଷ୍ଠତା ବଢିଥିଲା । ଏବଂ ୨୧ ତାରିଖ ଦିନବେଳା ୩ ଜଣ ସମୁଦ୍ର କୂଳରେ ବୁଲିଥିଲେ । ତେବେ ହରପାଲ ଓ ହୁକୁମ ସାଦବିକୁ ଅତ୍ୟଧିକ ମଦ୍ୟପାନ ଗାଡିକୁ ଚୋରାଇ ନେଇଥିଲେ । ଏହାପରେ  ଭୁତୁମୁଣ୍ଡାଇ ପୋଲ ଉପରେ ନିଶାରେ ଟଳମଳ ହେଉଥିବା ସାଦବି ଆଲମକ ମହାନଦୀକୁ ଠେଲି ଦେଇଥିଲେ ହରପାଲ ସିଂ । ବନ୍ୟା ପାଣିରେ ଉଛୁଳୁଥିବା ମହାନଦୀରେ ସାଦବି ଭାସିଯିବା ପରେ ଗାଡ଼ିକୁ ନେଇ ସେମାନେ ଫେରାର ହୋଇଯାଇଥିଲେ ହରପାଲ ଓ ହୁକୁମ । ଆଉ ମୟୂରଭଞ୍ଜରେ ଏକ ଢାବା ମାଲିକକୁ ଗାଡି ବିକ୍ରି କରିବାକୁ ଡିଲ୍ କରିଥିଲେ । ଏଥିପାଇଁ ବାରିପଦାର ଶେଖ ଜଲାଲଉଦ୍ଦିନ ସହିତ ୪ ଲକ୍ଷ ୬୦ ହଜାର ଟଙ୍କାରେ ଡିଲ୍ ହୋଇଥିଲା । ୨୩ ତାରିଖରେ ଚାନ୍ଦୁଆ ଥାନା ଅଧିକାରୀ ଏହି ଟ୍ରକକୁ ଜଙ୍ଗଲରୁ ଉଦ୍ଧାର କରି ଗାଡ଼ିର ପ୍ରକୃତ ମାଲିକକୁ ଦେଇଥିଲେ । ଏଭଳି ଏକ ଜଘନ୍ୟ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସାଦବି ଆଲମଙ୍କ କୌଣସି ପତ୍ତା ମିଳିନଥିବା ବେଳେ, ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।