ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍, ବିଶ୍ୱକପ୍ ପୂର୍ବରୁ ତ୍ରୁଟି ସୁଧାରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

1 min read

ଥିରୁଅନନ୍ତପୁରମ: ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ । ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ଏହି ସିରିଜ୍ ଟିମ୍ ଇଣ୍ଡିଆ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ୩ ଟିକିଆ ସିରିଜରେ ଭାରତ ୨-୧ରେ ବିଜୟଲାଭ କରିଥିଲା । କିନ୍ତୁ ଟିମ୍ ଇଣ୍ଡିଆର ଡେଥ୍ ବୋଲିଂ ଚିନ୍ତାର କାରଣ ପାଲଟିଛି । ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ କେରଳର ଥିରୁଅନନ୍ତପୁରମ୍ ଗ୍ରୀନ୍ ଫିଲଡ୍ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜରେ ଭାରତ ଯେଉଁ ସବୁ କ୍ଷେତ୍ରରେ ଦୁର୍ବଳ ରହିଛି ସେଗୁଡିକୁ ସୁଧାରିବାକୁ ଚେଷ୍ଟା କରିବ ।

ତେବେ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ୱକପ ପାଇଁ ବିଶ୍ରାମ ଦିଆଯାଇଛି । ସେହିପରି ବିଶ୍ୱକପ ପାଇଁ ଅନ୍ୟତମ ସଂରକ୍ଷିତ ବୋଲର ମହମ୍ମଦ ସାମି ଏବେ ବି ସୁସ୍ଥ ହୋଇନଥିବାରୁ ଭାରତ ପାଇଁ ଚିନ୍ତା ବଢ଼ାଇଛି ।  ଅଷ୍ଟ୍ରେଲିଆ ସିରିଜ୍ ବିପକ୍ଷରେ ବିଶ୍ରାମ ନେଇଥିବା ଅର୍ଶଦୀପ ସିଂ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟପକ୍ଷରେ ଯଦି ବ୍ୟାଟିଂ କଥା କହିବା ତାହାଲେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ପୂର୍ବାପେକ୍ଷା ଭଲ ଫର୍ମରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ଆଇପିଏଲ୍‌ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ସିରିଜ ବିଜୟ ପାଇଁ ପ୍ରୟାସ କରିବେ ।