ଭୁବନେଶ୍ୱର: ସରକାରୀ କାର୍ଯ୍ୟାଳୟରେ ଏଣିକି ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବହାର ହେବ । ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର ବିମର୍ଶ ଚାଲିଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଏନେଇ ଚିଠି ଲେଖାଯାଇଛି । କଟକ ଓ ଭୁବନେଶ୍ୱରରେ ଯାନବାହାନ ଚଳାଚଳର ଅଧିକ ବ୍ୟବହାର ହେଉଛି । ତେଣୁ ସରକାରୀ ଅଫିସରେ କିଛି ପରିମାଣରେ ଇଲେକ୍ଟ୍ରିକ ଗାଡ଼ି ବ୍ୟବହାର କରିବାକୁ ଚିନ୍ତା କରାଯାଉଛି । ପ୍ରତି ଅଫିସରେ କିଛି ପେଟ୍ରୋଲ ଓ ଡିଜେଲ ଗାଡି ଭଡ଼ାରେ ଅଣାଯାଇଛି । କିଛି ଇଲେକଟ୍ରିକ୍ ବସ୍ ବି ଚାଲିଲାଣି । ଏକ ଉଚ୍ଚସ୍ତରୀୟ ବୈଠକରେ ସରକରୀ କାର୍ଯ୍ୟାଳୟରେ ଇଲେକଟ୍ରିକ୍ ଗାଡ଼ି ବ୍ୟବହାର ନେଇ ଚିନ୍ତା କରାଯିବ ।
କୋଶଳ ରାଜ୍ୟ ଦାବିରେ କୋଶଳ ସେନା ଓ କୋଶଳ ରାଜ୍ୟ ମୁକ୍ତିମୋର୍ଚ୍ଚା ପକ୍ଷରୁ ମହାବନ୍ଦ ଡାକରା
ବଲାଙ୍ଗୀର: ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ କୋଶଲ ସେନା, କୋଶଲ ମୁକ୍ତିମୋର୍ଚ୍ଚା ଡାକରାରେ ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ଦିଆଯାଇଛି I ବନ୍ଦକୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନର ୧୨ ଘଣ୍ଟିଆ ମହାବନ୍ଦରେ ଡାକରା ସାମିଲ ହୋଇଛନ୍ତି I ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖାଯାଇଛି I ବଲାଙ୍ଗୀର ଜିଲ୍ଲାରେ ସବୁ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି I ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି I
ଆଜିର ମହାବନ୍ଦକୁ ଓକିଲ ସଂଘ ସହ ବିଭିନ୍ନ ଛାମୁଆ ସଂଗଠନ ସମର୍ଥନ କରି ବନ୍ଦରେ ସାମିଲ ହୋଇଛନ୍ତି I କୋଶଳ ପ୍ରଦେଶ ଦାବିରେ କୋଶଲ ସେନା, କୋଶଲ ମୁକ୍ତିମୋର୍ଚ୍ଚାର ପକ୍ଷରୁ ପିକେଟିଂ ଆରମ୍ଭ କରାଯାଇଛି I ପ୍ରଥମେ ବଲାଙ୍ଗୀର ମୁଖ୍ୟ ଡାକଘର ସାମ୍ନାରେ ନାରାବାଜି କରିବା ପରେ ସହର ସାରା ବୁଲି ବୁଲି ବନ୍ଦ କରାଯାଇଛି I
ବ୍ରିଟେନର ନୂଆ ଗୃହ ମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରେଭରମ୍ୟାନ
ଲଣ୍ଡନ: ବ୍ରିଟେନର ନୂଆ ଗୃହ ମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ବାରିଷ୍ଟର ସୁଏଲା ବ୍ରେଭରମ୍ୟାନ । ଗୃହମନ୍ତ୍ରୀ ଭାବେ ସୁଏଲାଙ୍କ ନାମ ଘୋଷଣା କରିଛନ୍ତି ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ । ପୂର୍ବରୁ ଏହି ପଦବୀରେ ଥିଲେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲ । ଦକ୍ଷିଣ-ପୂର୍ବ ବ୍ରିଟେନର ଫେୟାରହାମରୁ କଞ୍ଜରଭେଟିଭ ଦଳର ପ୍ରତିନିଧିତ୍ୱ କରୁଛନ୍ତି ୪୨ ବର୍ଷ ବୟସ୍କା ସୁଏଲା । ବୋରିସ ଜନସନ୍ ସରକାରରେ ସୁଏଲା ଥିଲେ ଆଟର୍ଣ୍ଣି ଜେନେରାଲ ।
ସୁଏଲାଙ୍କ ମାତା ଉମା ତାମିଲନାଡୁର ହୋଇଥିବାବେଳେ ପିତା କ୍ରିଷ୍ଟି ଫର୍ଣ୍ଣାଣ୍ଡିଜ ଗୋଆର । ସୁଏଲା ଜଣେ ବୌଦ୍ଧ ଧର୍ମାବଲମ୍ବୀ । ୧୯୬୦ ଦଶକରେ ଉମା ମରିସସରୁ ବ୍ରିଟେନ ଯାଇଥିବାବେଳେ ପିତା କେନିଆରୁ ବ୍ରିଟେନ ଯାଇଥିଲେ । ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶୁଳ୍କ ହ୍ରାସ, ମାନବାଧିକାର, ଶରଣାର୍ଥୀ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ସୁଏଲା । ଦେଶ କଠିନ ସମୟ ଦେଇ ଗତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ଉପଯୁକ୍ତ ନେତୃତ୍ୱ ନେଇପାରିବେ ବୋଲି ସୁଏଲା କହିଛନ୍ତି ।
ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲେ ବିଡିଏ ଫିଲଡ ଇନ୍ସପେକ୍ଟର
ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ବନ୍ଧା ହେଲେ ବିଡିଏ ଫିଲଡ ଇନ୍ସପେକ୍ଟର ମନୋରଞ୍ଜନ ଦାସ । ଘରର ପ୍ଲାନ କରାଇବା ଆଳରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଗତ ଫେବୃୟାରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ । ଉକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ କରିଥିଲା । ଫିଲଡ ଇନ୍ସପେକ୍ଟରଙ୍କ ଘରେ ବାରମ୍ବାର ପୋଲିସ ଚଢ଼ାଉ କରିଥିଲା ।
ଗିରଫ ଭୟରେ ମନୋରଞ୍ଜନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ । ମନୋରଞ୍ଜନଙ୍କ ଜାମିନ ଅଗ୍ରାହ୍ୟ ହେବା ସହ ତଳ କୋର୍ଟରେ ୪ ସପ୍ତାହ ମଧ୍ୟରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକୁ ଏଡାଇ ଚାଲିଥିଲେ ମନୋରଞ୍ଜନ । ଫଳରେ ମନୋରଞ୍ଜନଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟର ନିର୍ଦ୍ଦେଶ ଥିଲା । ମନୋରଞ୍ଜନ ବିଡିଏ କାର୍ଯ୍ୟାଳୟରେ ଥିବା ବେଳେ ପୋଲିସ ଗିରଫ କରିଛି ।
ବାଲେଶ୍ୱରରେ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା, ଆଜି ସ୍କୁଲ ଛୁଟି ଘୋଷଣା କଲେ ସ୍କୁଲ କର୍ତ୍ତୁପକ୍ଷ
ବାଲେଶ୍ୱର: ବାଲେଶ୍ୱରରେ ଟ୍ରେନ ଆଗକୁ ଡେଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା । ଛାତ୍ର ମୃତ୍ୟୁକୁ ନେଇ ଆଜି ଛୁଟି ଘୋଷଣା କଲେ ସିଦ୍ଧି ବିନାୟକ ସ୍କୁଲ କର୍ତ୍ତୃପକ୍ଷ । ପୁଅର ମୃତଦେହ ନେଇ ରାଉରକେଲା ସ୍ଥିତ ଘରକୁ ଫେରିଲେ ମୃତ ଛାତ୍ର ସୁରଜ ଗୁପ୍ତାଙ୍କ ବାପା ସନ୍ତୋଷ ଗୁପ୍ତା । ସ୍କୁଲ କର୍ତ୍ତୃପକ୍ଷଙ୍କ ଧମକ ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ ।
ସୂଚନା ଅନୁସାରେ ଅନ୍ୟ ଜଣେ ଛାତ୍ର ସୂରଜଙ୍କୁ ମାଡ଼ ମାରିଥିଲା । ହେଲେ ମାଡ ମାରିଥିବା ଛାତ୍ରଙ୍କ ନାଁରେ ଅଭିଯୋଗ କଲେ କ୍ୟାରିୟର ବରବାଦ କରିଦେବାର ଧମକ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ଏନେଇ ପୁଅ ଅବସାଦରେ ରହି ଚରମ ନିଷ୍ପତ୍ତି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା । ଏହାସହ ମୃତଦେହ ରଖି ଧାରଣାରେ ବସିଥିଲେ ବାପା । ଘଟଣାପରେ ସ୍କୁଲରେ ଉତ୍ତେଜନା ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲରେ ପଶି ଭଙ୍ଗାରୁଜା କରିଥିଲେ ।
ରାଜଧାନୀରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ୫ ଗିରଫ
ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ଗଞ୍ଜେଇ । ଭୁବନେଶ୍ୱରର ଆଇଗିଣିଆ ଅଞ୍ଚଳରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ । ଏକ କୁଇଣ୍ଟାଲ ଗଞ୍ଜେଇ ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଫୁଲବାଣୀରୁ ଭୁବନେଶ୍ୱର ଗଞ୍ଜେଇ ଆସିଥିଲା । ଜଟଣୀରେ ବିକ୍ରି କରିବାକୁ ଯୋଜନା କରିଥିଲେ । ଗଂଜେଇ କାରବାର ନେଇ ଉକ୍ତ ୫ ଜଣଙ୍କୁ ପୋଲିସ ଅଧିକ ପଚରା ଉଚୁରା ଜାରି ରଖିଛି । ତେବେ ଗଞ୍ଜେଇ ଜବତ ବେଳେ ଗିରଫ ହୋଇଥିବା ୫ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

