ଦେଶର ଅର୍ଥନୀତିକୁ କେନ୍ଦ୍ର କରି ଦେଇଛି ଅସୁସ୍ଥ, ହେଲେ ଓଡ଼ିଶା କରୁଛି ଭଲ ପ୍ରଦର୍ଶନ

1 min read

ଭୁବନେଶ୍ବର: ଦରଦାମ ବଢୁଛି, ବଢ଼ୁଛି ଲୋକଙ୍କ ଦୁଃଖ । ଦୋହଲି ଗଲାଣି ଦେଶର ଆର୍ଥିକ ସ୍ଥିତି  । ଅଚ୍ଛେଦିନ ପାଇଁ ଚାଲିଛି କାଉଣ୍ଟ ଡାଉନ । ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ବଜେଟରେ ଆୟକର ଛାଡ଼ ସୀମା ବଢାଇଲେନି । ଦରଦାମ କମୁନଥିବାରୁ ଚତୁର୍ଥ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇଛନ୍ତି । ଖୋଦ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଭିବୃଦ୍ଧି ପ୍ରତିଶ୍ରୁତି ପାଣିର ଗାର ପାଲଟିଲାଣି । ଲଗାତାର ଆୟ ତୁଳନାରେ ବ୍ୟୟ ଡବଲ ହୋଇଚାଲିଛି । ଅନ୍ୟପଟେ ଓଡ଼ିଶା ସରକାର ଲଗାତାର ଭଲ ପ୍ରଦର୍ଶନ କରିଚାଲିଛନ୍ତି । ବିତ୍ତୀୟ ପରିଚାଳନା କରିବାରେ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ଭଲ ସ୍ଥିତିରେ ଅଛନ୍ତି ।

ଗତ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ମୋଟ ଆୟ ୮ ଲକ୍ଷ ୪୮ ହଜାର ୪୨୫ କୋଟି ଟଙ୍କା । ଆଉ ଅଗଷ୍ଟର ବ୍ୟୟ ହେଉଛି ୧୩ ଲକ୍ଷ ୯୦ ହଜାର ୨୬ କୋଟି । ଜୁଲାଇରେ ବି ସ୍ଥିତି ଆହୁରି ଖରାପ ଥିଲା ବୋଲି କଣ୍ଟ୍ରୋଲର ଜେନେରାଲ ଅଫ୍ ଆକାଉଣ୍ଟାଣ୍ଟଙ୍କ ହିସାବ କହୁଛି । ଏପଟେ ଓଡ଼ିଶାର ଫିସକାଲ ମନିଟର ରିପୋର୍ଟ କହୁଛି, ୨୦୨୨ ଜୁଲାଇରେ ଆୟ ୯ ହଜାର ୨୪୨ କୋଟି । ବ୍ୟୟ ୮ ହଜାର ୮୨୪ କୋଟି ଟଙ୍କା । ଅର୍ଥାତ୍ ୪୧୮ କୋଟି ରାଜସ୍ବ ବଳକା ପାଇଛନ୍ତି ରାଜ୍ୟ ସରକାର । ଏହା ରାଜ୍ୟ ସରକାରଙ୍କ ବିତ୍ତୀୟ ସୁପରିଚାଳନା ଯୋଗୁଁ ସମ୍ଭବ ହୋଇପାରିଛି ।

ଓଡ଼ିଶା ସରକାର ବହୁ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି । ତା’ ସତ୍ତ୍ବେ ବିତ୍ତୀୟ ପରିଚାଳନାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି । ଘରୋଇ ଉତ୍ପାଦ ତୁଳନାରେ କେନ୍ଦ୍ରର ଋଣ ଭାର ଏବେ ୯୬ରୁ ୯୨ ପ୍ରତିଶତକୁ ଖସିଛି । ଓଡ଼ିଶା ସରକାର ଆୟ ପାଇଁ ସେବାକର, ଶିଳ୍ପ କ୍ଷେତ୍ରକୁ ସମାନ ପ୍ରାଧାନ୍ୟ ଦେଇଛନ୍ତି । ଶିଳ୍ପ କ୍ଷେତ୍ରରୁ ଆୟ ପାଇଁ ଓଡ଼ିଶା ସରକାର ବହୁବିଧ ଶିଳ୍ପନୀତି ଆପଣାଇଛନ୍ତି । ସେବାକର ଓ ଶିଳ୍ପରୁ ୪୦ ପ୍ରତିଶତ ଲେଖାଏଁ ଆୟ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର କେବଳ ସେବା କ୍ଷେତ୍ରରୁ ୬୦ ପ୍ରତିଶତ ରାଜସ୍ବ ସଂଗ୍ରହ ପାଇଁ ନିର୍ଭର କରୁଛନ୍ତି । ଚାହିଦା କମିଲେ ରାଜସ୍ବ ଉପରେ ପ୍ରଭାବ ପଡ଼ୁଛି । ଏହା କେନ୍ଦ୍ର ସରକାରଙ୍କ ଭୁଲ ନୀତି ।

କେନ୍ଦ୍ରର ଦୁର୍ବଳ ଆର୍ଥିକ ପରିଚାଳନା ଯୋଗୁଁ ଦେଶର ଆର୍ଥିକ ଅବସ୍ଥା ସୁଧୁରୁନି । ଦରଦାମରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା । ଜିଏସଟି କ୍ଷତିପୂରଣ ଅବଧି ପାଇଁ ରାଜ୍ୟମାନେ ଯେତେ କହିଲେ ବି କେନ୍ଦ୍ର କର୍ଣ୍ଣପାତ କରିନାହିଁ । କେନ୍ଦ୍ର ଭୁଲ ବିତ୍ତୀୟ ପରିଚାଳନାର ଶିକାର ଆଗକୁ ସାଧାରଣ ଲୋକ ଭୋଗିବେ ।