ମଣିଷ ଭଳି ପ୍ରତ୍ୟେକ ଜୀବଜନ୍ତୁଙ୍କର ବଞ୍ଚିବାର ସମାନ ଅଧିକାର ରହିଛି: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: କମିବ ହାତୀ-ମଣିଷ ଲଢେଇ । ହାତୀ ମଣିଷ ଲଢ଼େଇ ଦୂର ପାଇଁ ଗଠନ ହୋଇଛି ଗଜସାଥୀ । ଏବେ ୮୦୦ ଗ୍ରାମର ଲୋକଙ୍କୁ ଏଥିରେ ସାମିଲ କରାଯାଇଛି । ୬୮ତମ ବନ୍ୟାପ୍ରାଣୀ ସପ୍ତାହ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ସୁସ୍ଥ ପରିବେଶରେ ମଣିଷ ବଞ୍ଚିବାର ଯେଭଳି ଅଧିକାର ରହିଛି, ସେହିପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ସମାନ ଅଧିକାର ରହିଛି । ଜୀବଜନ୍ତୁଙ୍କ ସୁରକ୍ଷା ଆମ ସମସ୍ତଙ୍କର ଦାଇତ୍ବ ।’

ସେ ଆଗକୁ କହିଛନ୍ତି, ‘ବନ୍ୟପ୍ରାଣୀ ଅଭୟାଣ୍ୟରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ । ବନ୍ୟଜନ୍ତୁ ଜନିତ ଅପରାଧ ରୋକିବା ପାଇଁ ଯୁଗ୍ମ ଟାକ୍ସ ଫୋର୍ସ ଗଠନ କରାଯାଇଛି । ନନ୍ଦନକାନନକୁ ଆନ୍ତର୍ଜାତିକ ପ୍ରାଣୀ ଉଦ୍ୟାନ କରିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହେଉଛି । ବନ୍ୟଜନ୍ତୁଙ୍କ ଦାଉରୁ ରକ୍ଷା କରିବାକୁ  ୬ଟି ଗାଁର ୪୭୯ ପରିବାରଙ୍କୁ ସ୍ବେଚ୍ଛାକୃତ ଭାବେ ସ୍ଥାନାନ୍ତର କରାଯାଇଛି । ବନ୍ୟଜନ୍ତୁଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ଅନୁକମ୍ପା ଯୋଜନା ଆରମ୍ଭ କରାଯାଇଛି । ଏହି ଅନ୍‌ଲାଇନ୍‌ ଯୋଗେ ହାତୀ ଆଘାତରେ ପ୍ରାଣ ହରାଇଥିବା ବ୍ୟକ୍ତିର ପରିବାର ଲୋକ ଅନ୍‌ଲାଇନ୍‌ ଯୋଗେ ଆବେଦନ କରିପାରିବେ । ’

ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ କୁଇଜ୍‌ ଓ ଫଟୋ ପ୍ରଦର୍ଶନ ପାଇଁ ବିଭିନ୍ନ ସ୍କୁଲର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଏହି ୨୦୨୨ ବର୍ଷ ପାଇଁ ଅଲିଭ ରିଡଲେ କଇଁଛ ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମର ରବୀନ୍ଦନାଥ ସାହୁ, ସାପମାନଙ୍କୁ ଧରି ଜଙ୍ଗଲେ ଛାଡ଼ିବା କାର୍ଯ୍ୟ ପାଇଁ ବଲାଙ୍ଗୀର ବିକିଜି ନାଗଙ୍କୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କୁ ଉପଢୌକନ ସହିତ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି ।