ମାର୍ଗଶିର ପ୍ରଥମ ଗୁରୁବାରରେ ପାଳିତ ହେବ ମାଣ୍ଡିଆ ଦିବସ

ଭୁବନେଶ୍ବର: ରାଜ୍ୟରେ ପାଳିତ ହେବ ମାଣ୍ଡିଆ ଦିବସ । ମାର୍ଗଶିର ମାସ ପ୍ରଥମ ଗୁରବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ପାଳନ ହେବ ଏହି ଦିବସ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।

ସୂଚନାଯୋଗ୍ୟ, ପୁଷ୍ଟିରେ ଭରପୁର ମାଣ୍ଡିଆ । ଏଥିରୁ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ନିମିକି, ସେଓ, ପିଠା, ଛତୁଆ ଆଦି ସ୍ବାଦିଷ୍ଟ ଓ ଶରୀର ପାଇଁ ହିତକର । ମାଣ୍ଡିଆ ଉତ୍ପାଦନ ଓ ଏହାର ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟର ୧୯ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ମିଲେଟ ମିଶନ । ଓଡ଼ିଶା ମିଲେଟ ମିଶନ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି ।

କେନ୍ଦ୍ର ସରକାର ଓଡ଼ିଶା ମଡେଲକୁ ଆପଣାଇବାକୁ ବିଭିନ୍ନ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ନୀତି ଆୟୋଗ ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଛନ୍ତି । ମନ୍ତ୍ରଣାଳୟ ଓ ବିଭାଗରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରି, ଇଡିଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ।

୨୦୨୩କୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବେ ପାଳନ କରିବାକୁ ଜାତିସଂଘ ଘୋଷଣା କରିଛି । ଓଡ଼ିଶା ସରକାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ଅଙ୍ଗନବାଡି କେନ୍ଦ୍ରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ବଣ୍ଟନ କରୁଛନ୍ତି । ସମସ୍ତଙ୍କ ପାଖରେ ଏହାକୁ ପହଞ୍ଚାଇବାକୁ ବିଭିନ୍ନ ସ୍ଥାନରେ ଖୋଲାଯାଉଛି ମିଲେଟ ଶକ୍ତି ଆଉଟଲେଟ୍ ।