ଭୁବନେଶ୍ୱର: ରାଜଧାନୀରେ ଚଞ୍ଚଲ୍ୟ । ଫ୍ୟାନରେ ଚୁନି ଲଗାଇ ଝୁଲି ପଡ଼ିଲେ ଦମ୍ପତି । ସଞ୍ଜୟ ଓ ସଞ୍ଜନା ପେରିୱାଲଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ସଞ୍ଜନା ପେରିୱାରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସ୍ୱାମୀ ସଞ୍ଜୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀସାଗର ଥାନା ସିଦ୍ଧେଶ୍ୱରୀ ଆପର୍ଟମେଣ୍ଟରେ ଘଟିଛି ଏହି ଘଟଣା । ତେବେ ପିଲା ସ୍କୁଲ ଯାଇଥିବା ବେଳେ ଏହି ଘଟଣା ଘଟିଛି । ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ଗୁରୁତର ସ୍ୱାମୀଙ୍କୁ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ କଳହ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ, ଶୀର୍ଷରେ ରହିଛି IIT ମାଡ୍ରାସ୍
ନୂଆଦିଲ୍ଲୀ: NIRF ରାଙ୍କିଂରେ ଟପରେ IIT ମାଡ୍ରାସ । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମଓ୍ୱର୍କର କଲେଜ ରାଙ୍କିଂ ତାଲିକାରେ ଲଗାତାର ଚାରି ବର୍ଷ ଧରି ଶୀର୍ଷରେ ରହିଛି ଆଇଆଇଟି ମାଡ୍ରାସ୍ । ଟପ୍ ତିନି ଶିକ୍ଷାନୁଷ୍ଠାନକୁ ସମ୍ମାନିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ଲିଷ୍ଟର ପ୍ରଥମରେ IIT ମାଡ୍ରାସ ରହିଥିବାବେଳେ ଦ୍ୱିତୀୟରେ ରହିଛି ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଓ ତୃତୀୟରେ IIT ବମ୍ବେ ରହିଛି ।
ସେହିପରି IIS ବେଙ୍ଗାଲୁରୁ ବେଷ୍ଟ ୟୁନିଭର୍ସିଟି ମାନ୍ୟତା ପାଇଥିବା ବେଳେ ଦିଲ୍ଲୀର JNU ଓ ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟି ଦ୍ୱିତୀୟ ଓ ତୃତୀୟରେ ରହିଛି । IIT ମାଡ୍ରାସ୍ ବେଷ୍ଟ ଇଞ୍ଜିନିୟରିଂ କଲେଜର ମାନ୍ୟତା ପାଇଛି । ସେହିପରି IIT ଦିଲ୍ଲୀ ଓ IIT ବମ୍ବେ ଦ୍ୱିତୀୟ ଓ ତୃତୀୟରେ ରହିଛି । IIM ଅହମ୍ମଦାବାଦକୁ ଦେଶର ସର୍ବୋତ୍କୃଷ୍ଟ ବିଜନେସ ସ୍କୁଲର ମାନ୍ୟତା ମିଳିଛି । ଦିଲ୍ଲୀ ଏମସ୍ ଦେଶର ବେଷ୍ଟ ମେଡିକାଲ କଲେଜ ମାନ୍ୟତା ପାଇଛି ।
ସ୍ତ୍ରୀ ବେକରୁ ମଙ୍ଗଳସୂତ୍ର କାଢ଼ିବା ସ୍ୱାମୀ ପ୍ରତି ମାନସିକ ନିର୍ଯାତନା: ମାଡ୍ରାସ ହାଇକୋର୍ଟ
ଚେନ୍ନାଇ: ସ୍ତ୍ରୀ ବେକରୁ ମଙ୍ଗଳସୂତ୍ର କାଢ଼ିଦେବା ସ୍ୱାମୀଙ୍କ ପ୍ରତି ମାନସିକ ନିର୍ଯାତନା । ଏଭଳି ବିଚିତ୍ର ଅଭିଯୋଗ ଓ ଛାଡ଼ପତ୍ର ପାଇଁ କରିଥିବା ସ୍ୱାମୀଙ୍କ ଆବେଦନକୁ ଗ୍ରହଣ କରିବା ସହ ସ୍ୱାମୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ । ଜଷ୍ଟିସ ଭିଏମ ବେଲୁମଣି ଓ ଏସ୍ ସୌନ୍ଥରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ୨୦୧୬ରେ ଫ୍ୟାମିଲି କୋର୍ଟ ଦେଇଥିବା ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଅଭିଯୋଗକାରୀ ତଥା ଇରୋଡର ଏକ ମେଡିକାଲ କଲେଜର ଫ୍ରଫେସର ଥିବା ସି.ଶିବକୁମାର ।
ଶିବକୁମାରଙ୍କ ପିଟିସନର ଶୁଣାଣି କରିବା ସହ ଏହାର ଶୁଣାଣି କରି ଏଭଳି ଟିପ୍ପଣୀ ରଖିଛନ୍ତି । ଶିବକୁମାରଙ୍କ ସ୍ତ୍ରୀଙ୍କୁ ଏ ନେଇ ପଚାରାଯିବାରେ, ସେ କେବଳ ମଙ୍ଗଳସୂତ୍ରର ଚେନ କାଢ଼ିଥିଲେ ବୋଲି କହିଥିଲେ । ତେବେ ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ରକୁ ଏକ ପବିତ୍ର ବୋଲି ମନାଯାଏ ଓ ବିବାହ ବେଳେ ଏହାକୁ ସ୍ୱାମୀ ସ୍ତ୍ରୀଙ୍କୁ ପିନ୍ଧାଇଥାନ୍ତି । ଯାହା ଦାମ୍ପତ୍ତ୍ୟ ଜୀବନର ନିରନ୍ତର ପ୍ରତୀକ ଅଟେ । ତେବେ ସ୍ୱାମୀ ଜୀବିତ ଥାଇ ସ୍ତ୍ରୀ ଏହାକୁ ବାହାର କରିବା ସ୍ୱାମୀଙ୍କ ମାନସିକ ସ୍ଥିତିକୁ ବିଗାଡ଼ିପାରେ । ସ୍ୱାମୀଙ୍କ ଭାବନାକୁ ଏହା ଆଘାତ ଦେଇଥାଇପାରେ ବୋଲି ଖଣ୍ଡପୀଠ କହିଛନ୍ତି ।
ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା
ନୂଆଦିଲ୍ଲୀ: ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ଟଙ୍କା । ଏକ ଆମେରିକୀୟ ଡଲାର ପିଛା ଭାରତୀୟ ଟଙ୍କା ୭୯ ଟଙ୍କା ୯୯ ପଇସାକୁ ଖସିଛି । ଭାରତରୁ ବିଦେଶୀ ନିବେଶକମାନେ ଷ୍ଟକ୍ ବଜାରରୁ ପୁଞ୍ଜି ପ୍ରତ୍ୟାହର କରୁଥିବାରୁ ଟଙ୍କା ଉପରେ ଚାପ ରହିଛି । ଏହା ବ୍ୟତୀତ ରପ୍ତାନି ତୁଳନାରେ ଆମଦାନି ଅଧିକ ରହିଥିବାରୁ ଡଲାରର ମୂଲ୍ୟ ଅଧିକ ରହିଛି । ଦୁର୍ବଳ ଟଙ୍କା ଭାରତୀୟ ଅର୍ଥନୀତି ପାଇଁ ସମସ୍ୟା ସୃଷ୍ଟି କରିବ ।
ଯେଉଁମାନେ ଡଲାର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ିବ । ଗତ ଫେବ୍ରୁଆରୀ ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୨୭ ଥର ହ୍ରାସ ପାଇଲାଣି । ପ୍ରଥମ ଥର ପାଇଁ ମାର୍ଚ୍ଚରେ ଡଲାର ମୂଲ୍ୟ ୭୭ ଟଙ୍କାରୁ ଅଧିକ ହୋଇଥିଲା । ଏହା ପରେ ପ୍ରତିଦିନ ଟଙ୍କା ଦୁର୍ବଳ ହେଉଥିବାବେଳେ ଡଲାର ଶକ୍ତିଶାଳୀ ହେଉଛି । ଡଲାର ଜରିଆରେ ଯେଉଁ ସବୁ ସାମଗ୍ରୀ ଆମଦାନି କରାଯାଉଛି ତାହା ଆହୁରି ମହଙ୍ଗା ହେବ । ଯାହାଫଳରେ ଦରଦାମ୍ ଆହୁରି ବୃଦ୍ଧି ପାଇବ ।
ଅତୀତରେ ବହୁବାର ଟଙ୍କା ଡଲାର ତୁଳନାରେ ଦୁର୍ବଳ ହୋଇଥିଲା । ଭାରତ ସ୍ୱାଧୀନ ହେବା ପରଠାରୁ ଟଙ୍କାର ମୂଲ୍ୟ ନିର୍ଧାରଣ ହୋଇଥିଲା। ସେତେବେଳେ ଏକ ଡଲାର ଦାମ୍ ୪ ଟଙ୍କା ୭୬ ପଇସା ଥିଲା । ୧୯୬୭ ପର୍ଯ୍ୟନ୍ତ ଦାମ୍ ସେହିଭଳି ସ୍ତରରେ ରହିଥିଲା । ୧୯୯୦ ବେଳକୁ ଡଲାର ଦାମ୍ ୧୭ ଟଙ୍କା ୫୦ ପଇସା ହୋଇଯାଇଥିଲା । ତେବେ ୧୯୯୨ ବେଳକୁ ଏକ ଡଲାର ମୂଲ୍ୟ ୨୫ ଟଙ୍କା ୯୨ ପଇସା ହୋଇଯାଇଥିଲା । ତା’ ପରଠାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଲଗାତାର ହ୍ରାସ ପାଉଛି। ୨୦୦୪ରେ ଡଲାର ମୂଲ୍ୟ ୪୫ ଟଙ୍କା ୩୨ ପଇସା ଥିଲା । ୨୦୧୬ ସୁଦ୍ଧା ତାହା ୬୮ ଟଙ୍କା ୮୦ ପଇସା ହୋଇଯାଇଥିଲା। ୨୦୨୧ରେ ଏକ ଡଲାର ମୂଲ୍ୟ ୭୪ ଟଙ୍କା ୫୭ ପଇସା ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଥିଲା ।
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ମାମଲା, ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ପରେ ବାତିଲ ହେଲା ପରୀକ୍ଷା
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ଲିକ୍ । ଯୁକ୍ତ ୩ ଶେଷବର୍ଷ ପିଲାଙ୍କର ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ସହ ଭାଇରାଲ ପରେ ପରୀକ୍ଷା ବାତିଲ ହୋଇଛି । ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷା ବାତିଲ ହୋଇଛି । ପରୀକ୍ଷା ବାତିଲ ନେଇ ସ୍ପଷ୍ଟକଲେ ପରୀକ୍ଷା ନିୟନ୍ତ୍ରକ । ଗତକାଲି ଏଜୁକେସନ ଅନର୍ସ ପେପର ଲିକ୍ ପରେ ପରୀକ୍ଷା ବାତିଲ୍ ହୋଇଥିଲା । ଆସନ୍ତା ଜୁଲାଇ ୧୯ରେ ବାତିଲ ହୋଇଥିବା ଏଜୁକେସନ ଅନର୍ସ ପେପରର ପରୀକ୍ଷା ହେବ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ପ୍ରଶ୍ନପତ୍ର ପ୍ରସ୍ତୁତକରିଥିବା ପ୍ରଫେସର ଦାୟୀ ବୋଲି କହିଲେ ପରୀକ୍ଷା ନିୟନ୍ତ୍ରକ ।
ଗତ ୧୩ ତାରିଖରେ ଯୁକ୍ତ ତିନି ଶେଷବର୍ଷ ପଦାର୍ଥ ବିଜ୍ଞାନ ପେପର ଲିକ୍ ହୋଇଥିବା ବେଳେ ଗତକାଲି ଏଜୁକେସନ ଅନର୍ସ ଷଷ୍ଠ ସେମିଷ୍ଟାର ପେପର ଲିକ୍ ହୋଇଥିଲା । ପରୀକ୍ଷା ନିୟନ୍ତ୍ରକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ସତ୍ୟ ବୋଲି କହିଥିବା ବେଳେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ଥିବା ୨୦୫ ମହାବିଦ୍ୟାଳୟରେ ଏହି ପରୀକ୍ଷା ବାତିଲ ହୋଇଥିଲା । ପ୍ରଶ୍ନପତ୍ର ଲିକ୍ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆକ୍ସନ ମୁଡ୍କୁ ଆସିଛନ୍ତି । କୁଳପତିଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରୁଛନ୍ତି ।

