spot_img
Home Blog Page 4044

ସାଂସଦଙ୍କୁ ଗାଁରେ ପ୍ରବେଶ କରାଇ ଦେଲେନି ଗ୍ରାମବାସୀ, ଭାଙ୍ଗିଦେଲେ ଗାଡି

ହାଇଦ୍ରାବାଦ: ତେଲେଙ୍ଗାନାରେ ବର୍ଷା ପ୍ରଭାବିତ ଏକ ଗାଁକୁ ଗସ୍ତ ବେଳେ ବିଜେପି ସାଂସଦ ଡି. ଅରବିନ୍ଦଙ୍କ କାରକେଡ୍‌କୁ ଆକ୍ରମଣ । ସେମାନେ ସାଂସଦଙ୍କ କାରକୁ ଅଟକାଇ ଭଙ୍ଗାରୁଜା କରିଛନ୍ତି  । ଫଳରେ ଘଟଣାସ୍ଥଳରେ ସାଂସଦଙ୍କ ସମର୍ଥକ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଏଥିପାଇଁ ଶାସକ ଟିଆରଏସକୁ ଦାୟୀ କରିଛନ୍ତି ବିଜେପି ସାଂସଦ । ଗୋଦାବରୀ ନଦୀରେ ଜଳସ୍ତର ବଢିବାରୁ ଆଖପାଖ ଅଞ୍ଚଳର ଗାଁ ଗୁଡିକ ପ୍ରଭାବିତ ହୋଇଛନ୍ତି ।

ସ୍ଥିତି ଅନୁଧ୍ୟାନ ପାଇଁ ସାଂସଦ ଗାଁରେ ପହଞ୍ଚିଥିବା ବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଗ୍ରାମବାସୀ । କାରକେଡ ସହ ସାଂସଦଙ୍କ ଗାଡିରେ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକେ । ସାଂସଦକୁ ଆକ୍ରମଣ, କାରକେଡକୁ ଅଟକାଇବା, ଧମକ ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରୟାସ ଆରମ୍ଭ କରିଛି ପୋଲିସ  ।

ଆକ୍ରମଣ ପରେ ବିଜେପି ସାଂସଦ ଟ୍ବିଟ କରି କହିଛନ୍ତି ଯେ ‘ମୋ ବିରୁଦ୍ଧରେ ଟିଆରଏସର ଷଡଯନ୍ତ୍ରପୂର୍ଣ୍ଣ ଆକ୍ରମଣ । ଲୋକେ ବନ୍ୟାଞ୍ଚଳରୁ ସାହାଯ୍ୟ ମାଗୁଥିବାବେଳେ ଟିଆରଏସ ସରକାର ମୁଁ ଓ ମୋ କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ଆକ୍ରମଣ ଯୋଜନା କରିବା ପାଇଁ ଫୁରସତ ମିଳିଛି’ ।

ଗୋଦାବରୀ ନଦୀ ପାଖରେ ଥିବାରୁ ଅଧିକାଂଶ ସମୟରେ ଗାଁରେ ବନ୍ୟାଜଳ ପ୍ରବେଶ କରିଥାଏ । ଦୀର୍ଘଦିନରୁ ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି । କିନ୍ତୁ ସେମାନଙ୍କ ଦାବି ପୂରଣ ନ ହେଉଥିବାରୁ ଜନଆକ୍ରୋଶର ଶିକାର ହୋଇଛନ୍ତି ସାଂସଦ । ଗୁରୁବାର ମଧ୍ୟ ଜଣେ ସ୍ଥାନୀୟ ବିଧାୟକଙ୍କୁ ଗାଁରେ ପ୍ରବେଶ ପାଇଁ ବାରଣ କରିଥିଲେ ଗ୍ରାମବାସୀ ।

ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଏକହଜାର ପାର୍‌

ଭୁବନେଶ୍ବର: ରାଜ୍ୟରେ ବଢୁଛି କୋରୋନା ସଂକ୍ରମଣ । ଦିନକରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୧୦୬୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବୟସର ୧୨୨, କ୍ବାରେଣ୍ଟାଇନରୁ ୬୨୪, ଲୋକାଲ କେସ୍ ୪୪୧ ରିପୋର୍ଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩୬୧, କଟକରୁ ୧୩୫, ସୁନ୍ଦରଗଡ଼ରୁ ୧୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଷ୍ଟେଟପୁଲରୁ ୭୬, ସମ୍ବଲପୁରରୁ ୫୮, ମୟୂରଭଞ୍ଜରୁ ୫୨, ପୁରୀରୁ ୪୪, ସୋନପୁରରୁ ୩୧, ଜଗତସିଂହପୁର ଓ ଯାଜପୁରରୁ ୨୧ଜଣ ଲେଖାଏଁ, ଝାରସୁଗୁଡା, କେନ୍ଦ୍ରାପଡା ଓ ନୟାଗଡ଼ରୁ ୧୮ଜଣ ଲେଖାଏଁ, ବାଲେଶ୍ବର ଓ କଳାହାଣ୍ଡିରୁ ୧୪ଜଣ ଲେଖାଏଁ , ରାୟଗଡ଼ାରୁ ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆପଡ଼ାରୁ ୧୧, ବଲାଙ୍ଗୀରରୁ ୮, ଗଞ୍ଜାମ ଓ କନ୍ଧମାଳରୁ ୬ଜଣ ଲେଖାଏଁ, ଭଦ୍ରକ, ଦେବଗଡ଼ ଓ ନବରଙ୍ଗପୁରରୁ ୫ଜଣ ଲେଖାଏଁ, କେନ୍ଦୁଝରରୁ ୪, ଗଜପତି, କୋରାପୁଟରୁ ୩ଜଣ ଲେଖାଏଁ, ଢେଙ୍କାନାଳରୁ ୨, ବୌଦ୍ଧ, ମାଲକାନଗିରିରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୫୧୪ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ଆକ୍ଟିଭ କେସ୍ ରହିଛି ୫୩୭୬ ।

ଆଜି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗତ ଫେବୃଆରୀ ୨୯, ୨୦୨୦ରେ ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଥିଲେ ପିଏମ । ୨୮ ମାସ ମଧ୍ୟରେ ସମୂର୍ଣ୍ଣ ହୋଇଛି ଏକ୍ସପ୍ରେସୱେ । ଏଥିଯୋଗୁଁ ମାତ୍ର ୬ ଘଣ୍ଟାରେ ଚିତ୍ରକୁଟରୁ ଦିଲ୍ଲୀ ଯିବା ହେବା ସହଜ ।

ଚିତ୍ରକୁଟ, ବାନ୍ଦା, ମହୋବା, ହମିରପୁର, ଜଲୌନ, ଇଟାୱା ହୋଇ ଆଗ୍ରା ଓ ଲକ୍ଷ୍ନୌକୁ ଯୋଡିବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ । ୨୯୬ କିଲୋମିଟର ଲମ୍ବ ୪ ଲେନ୍‌ ବିଶିଷ୍ଟ ଏହି ଏକ୍ସପ୍ରେସ ୱେର ନିର୍ମାଣ କରିଛି ଉତ୍ତର ପ୍ରଦେଶ ଏକ୍ସପ୍ରେସୱେ ଉଦ୍ଦ୍ୟୋଗିକ ବିକାଶ ପ୍ରାଧିକରଣ  । ୧୪.୮୫୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମିତ ଏହି ଏକ୍ସପ୍ରେସ ୱେ ଆଗକୁ ୬ ଟିକିଆ ବିଶିଷ୍ଟ ରାସ୍ତାରେ ବିସ୍ତାରିତ କରିବା ପାଇଁ ଯୋଜନା ଚାଲିଛି ।

ଏହି ଅଞ୍ଚଳରେ ଯୋଗାଯୋଗରେ ସୁଧାର ଆସିବା ସହ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ । କାରଣ ସ୍ଥାନୀୟ ଲୋକଙ୍କୁ ରୋଜଗାରର ଅବସର ମିଳିବ । ୮ ନଦୀ ବାଗେନ, କେନ, ଶ୍ୟାମା, ଚନ୍ଦାବଲ, ବିରମା, ଯମୁନା, ବେତୱା ଓ ସେଙ୍ଗାର ନଦୀ ଉପରେ ନିର୍ମାଣ ହୋଇଛି ଏହି ଏକ୍ସପ୍ରେସ ୱେ  ।

ସ୍କୁଟିରେ ଅପହରଣ କରି ନେଉଥିଲେ ଯୁବତୀ, ପାଟି କରିବାରୁ ଫିଙ୍ଗିଦେଲେ

ବଲାଙ୍ଗୀର: ଖେଳୁଥିବା ବେଳେ ଜଣେ ନାବାଳକକୁ ଅଚେତ୍ କରି ସ୍କୁଟିରେ ଅପହରଣ । ଚେତା ଫେରିପାଇ ରାସ୍ତାରେ ପାଟି କରିବାକୁ ନାବାଳକୁ ଫୋପାଡ଼ି ପଳାଇଲେ ଦୁଇ ଯୁବତୀ । ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଥାନା ଅନ୍ତର୍ଗତ ଦେଓଗାଁରୁ ଆସିଛି ଏପରି ଅଭିଯୋଗ । ଦେଓଗାଁର ଅନାମ ପୁଟେଲଙ୍କ ପରିବାର ଲୋକେ ଚାଷଜମିରେ କାମ କରୁଥିବା ବେଳେ ତାଙ୍କ 10 ବର୍ଷର ପୁଅ ଦେବଦତ୍ତ ରାସ୍ତାକଡ଼ରେ ଖେଳୁଥିଲା ।

ଏହି ସମୟରେ ଦୁଇଜଣ ଯୁବତୀ ତାକୁ ଅଚେତ କରି ସ୍କୁଟିରେ ଅପହରଣ କରି ନେଇଥିଲେ । ବେଲପଡା ନିକଟରେ ଦେବଦତ୍ତର ଚେତା ଫେରିବାରୁ ସେ ଚିତ୍କାର କରିଥିଲା । ତେଣୁ ଯୁବତୀ ମାନେ ତାକୁ ରାସ୍ତାରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ । କିଛି ଲୋକ ଦେବଦତ୍ତକୁ ଉଦ୍ଧାର କରି ବେଲପଡା ମେଡିକାଲକୁ ନେଇଥିଲେ ।

ତାର ପରିଚୟ ଜାଣିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକଙ୍କ ଏତଲା ଆଧାରରେ ବେଲପଡା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପହରଣକାରୀ ଯୁବତୀ ଦୁଇଜଣ ହିନ୍ଦୀରେ କଥାବାର୍ତ୍ତା କରୁଥିବା ଜଣାପଡିଛି । ସେପଟେ ଏହି ଘଟଣା ପରେ ଅଞ୍ଚଳରେ ପିଲାଚୋର ଆତଙ୍କ ଖେଳିଯାଇଛି ।

 

ବିଲକୁ ଯିବାବେଳେ ୩ ଜଣଙ୍କୁ ମାରିଦେଲା ଭାଲୁ

ନୂଆପଡ଼ା: ରକ୍ତମୁଖା ଭାଲୁ ଆକ୍ରମଣରେ ୩ ମୃତ । ୨ ଜଣ ଗୁରୁତର । କୋମନା ବ୍ଲକ ଲଖନା ଥାନା ସମରସିଂ ଗ୍ରାମରେ ଭାଲୁ ଆତଙ୍କ । ସକାଳୁ କାମ କରିବା ଲାଗି କିଛି ଲୋକ ବିଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣ କରିଥିଲା । କାମକୁ ଯାଇ ଲୋକେ ନ ଫେରିବା ପରେ ସେମାନଙ୍କୁ ଖୋଜିବାକୁ ସନ୍ଧ୍ୟାରେ ଯାଇଥିଲେ ଗ୍ରାମବାସୀ । ମାତ୍ର ସେତେବେଳକୁ ଆହତଙ୍କ ମଧ୍ୟରୁ ୩ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ଅବସ୍ଥାରେ ଥିଲେ ।

ଉତ୍ତ୍ୟକ୍ତ ଲୋକେ ଭାଲୁକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଏହି ଲୋମହର୍ଷକ ଖବର ପରେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ସମରସିଂ ଗାଁର ରତନ, ନକୁଳ ମାଝି ଓ ରବି ରଣା । ଗାଁର କୁନା ମାଝି ଓ ପରମେଶ୍ବର ମାଝି ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସେପଟେ ଘରେ ପଶିଗଲା ଭାଲୁ । ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସ୍ଥିତ ମୂର୍ତ୍ତୃମା ଗ୍ରାମର ନିମାୟ ମଜୁମଦାରଙ୍କ ନୀଳଗିରି ବଗିଚା ଭିତରେ ଥିବା ଏକ ଘରେ ଭାଲୁ ପଶିଯାଇଛି । ଭାଲୁଟି ଜଙ୍ଗଲ ଭିତରେ ଖାଦ୍ୟ ସଂଗ୍ରହ କରିବା ସମୟରେ ଗାଁ ଭିତରକୁ ପଶି ଆସିଥିଲା । ତେବେ ପରିତ୍ୟକ୍ତ ଘର ଭିତରେ ରହିଯାଇଥିଲା ଭାଲୁ । ଭାଲୁକୁ ଦେଖି ଗାଁ ଲୋକେ ଆତଙ୍କିତ ହୋଇ ଉମରକୋଟ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ୱାଇଲ୍ଡ ଲାଇଫ ଟିମ ସମସ୍ତ ସରଞ୍ଜାମ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ ।

ତେବେ ଭାଲୁଟି ଫିଲ୍ମ ଷ୍ଟାଇଲରେ ଚକମା ଦେଇ ଝରକା ତାଡି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଅଳ୍ପକେ ରକ୍ଷା ପାଇଯାଇଥିଲେ ବନ ବିଭାଗ କର୍ମଚାରୀ, ସାମ୍ବାଦିକ ଓ ଦେଖଣାହାରୀ ।

 

ପାହାନ୍ତିଆରୁ ପ୍ରବଳ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଉପକୂଳ ଓଡ଼ିଶାରେ  ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ଭୋର ୪ ଟାରୁ ଉପକୂଳ ଓଡ଼ିଶାରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଫଳରେ ଭୁବନେଶ୍ୱର ଏବଂ କଟକରେ ଆଜି ପାହାନ୍ତିଆରୁ  ଭୀଷଣ ବର୍ଷା ଲାଗିରହିଛି । ପ୍ରଭାବରେ  ତଳିଆ ଅଞ୍ଚଳରେ ସାମୟିକ ଭାବେ ବର୍ଷା ଜଳ ଜମିବା ଦେଖିବାକୁ ମିଳିଛି ।

ଅଣ୍ଡରପାସ ରୋଡ଼ରେ ବର୍ଷା ଜଳ ଜମିବା ସହ ଯାତାୟାତରେ ସମସ୍ୟା ଉପୁଜିଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ଖାଁଖାଁ ଦେଖିବାକୁ ମିଳୁଛି । ୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୭ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । କଟକ, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ୭ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହାସହ ୧୭ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ବୌଦ୍ଧ, ସୋନପୁର ଓ ଝାରସୁଗୁଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି  ।

ଭୁବନେଶ୍ୱରରେ ଉଦଘାଟିତ ହେଲା ସ୍କିଲ ମ୍ୟୁଜିୟମ

ଭୁବନେଶ୍ୱର: ଭୁବନେଶ୍ବରରେ ଉଦଘାଟିତ ହେଲା ସ୍କିଲ୍ ମ୍ୟୁଜିୟମ୍ । ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା ପକ୍ଷରୁ ଓ୍ବାଲ୍ଡ ୟୁଥ୍ ସ୍କିଲ୍ ଡେ -୨୦୨୨ ପାଳନ ଅବସରରେ ଏହାକୁ ଉଦଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ । କାର୍ଯ୍ୟକ୍ରମରେ ସ୍କିଲ୍ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗଚୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏଥିରେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଓ ଭୁବନେଶ୍ବର ଆଇଟିଆଇ ର କର୍ମକର୍ତ୍ତା ସମେତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ମ୍ୟୁଜିୟମରେ ପୁରୁଣା ରେଡ଼ିଓ, ଟିଭି, କ୍ୟାମେରା, ଟେଲିଫୋନ, ମୋବାଇଲ, ସିଡି, କ୍ୟାସେଟ୍, ଡିଭିଡି, ପେଟ୍ରୋମାକ୍ସ ଲାଇଟ୍ ଓ ପୁରୁଣା ଛପା ମେସିନ, ପୁରୁଣା ପୋଷାକରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଦର୍ଶିତ କରାଯାଇଛି ।

ଏହି ଅବସରରେ ମହାମହିମ ରାଜ୍ୟପାଳ କହିଛନ୍ତି, ପୁନଃନିର୍ମାଣ ଓ ପୁନର୍ଗଠନ ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ । ଦକ୍ଷତା, ଉପଯୁକ୍ତ କାର୍ଯ ଏବଂ ଉଦ୍ୟମିତା ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଚିହ୍ନଟ କରିବା ସହ ସାମ୍ପ୍ରତିକ ତଥା ଭବିଷ୍ଯତରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ ବୋଲି ପ୍ରଫେସର ଲାଲ ପ୍ରକାଶ କରିଛନ୍ତି  ।

ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦଯାପିତ

ଭୁବନେଶ୍ୱର: ଓଡିଶା ସାହିତ୍ୟ ଏକାଡେମୀ, କର୍ଣ୍ଣାଟକ ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚାରିଦିନିଆ ଓଡ଼ିଆ-କନ୍ନଡ଼ ଜାତୀୟ ଅନୁବାଦ କର୍ମଶାଳା ଉଦଯାପିତ ହୋଇଯାଇଛି  । ଗତ ୧୨ ତାରିଖରୁ ଏହି କର୍ମଶାଳା ଚାଲିଥିଲା । ଉଦଯାପନୀ ଉତ୍ସବ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇଥିଲେ । ଏହି ଅବସରେର ସେ କହିଥିଲେ, ଦୁଇ ଏକାଡେମି ପକ୍ଷରୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଆତିଥ୍ୟରେ ଆୟୋଜିତ ଅନୁବାଦ କର୍ମଶାଳା ବାରତର ଆଞ୍ଚଳିକ ଭାଷାଗୁଡିକ ମଧ୍ୟରେ ସଂଯୋଗ ଓ ସମନ୍ୱୟ ସ୍ଥାପନ କରିବ । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏନ୍ ନାଗାରାଜୁଙ୍କ ପୌରୋହିତରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ, କର୍ଣ୍ଣାଟକ ସାହିତ୍ୟ ଏକାଡେମିର ସଭାପତି ବିଭି ବସନ୍ତ କୁମାର, କର୍ମଶାଳା ନିର୍ଦ୍ଦେଶକ ପ୍ରଫେସର ଏଚଏସ୍ ଶିବପ୍ରକାଶ, କୁଳସଚିବ ଯୁଗଳେଶ୍ୱରୀ ଦାଶ ଓ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡକ୍ଟର ରଘୁନାଥ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟ ଇଂଲିସ ବିଭାଗର ମୁଖ୍ୟ ଅଞ୍ଜଳି ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ  ଓ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ  ।

କୋଟିଆରେ କାର୍ଯ୍ୟକ୍ଷମ ହେଲା ଆଦର୍ଶ ବିଦ୍ୟାଳୟ

କୋରାପୁଟ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୋଟିଆରେ ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ । ଆନ୍ଧ୍ର ସୀମାବର୍ତ୍ତୀ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କୋଟିଆରେ କାର୍ଯ୍ୟକ୍ଷମ ହେଲା ଆଦର୍ଶ ବିଦ୍ୟାଳୟ । ଚଳିତ ଏକାଡେମିକ ସେସନରେ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ମୋଟ ୫୯ ଜଣ ଛାତ୍ରଛାତ୍ରୀ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଛନ୍ତି ।

 ଆଜିଠୁ ପାଠ ପଢା ମଧ୍ୟ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ମାଗଣା ସ୍ୱତନ୍ତ୍ର ବସ୍ ର ବ୍ୟବସ୍ଥା ରହିଛି । ହଷ୍ଟେଲ ଓ ସମସ୍ତ ଆନୁଷଂଘିକ ବ୍ୟବସ୍ଥା ରହିଥିବା ନେଇ ସୂଚନା  । ସିବିଏସଇ ପଦ୍ଧତିରେ ଏଠି ଗୁଣାତ୍ମକ ଶିକ୍ଷା କୋଟିଆ ପିଲାଙ୍କୁ ଦିଆଯିବ ।

ସ୍ଥାନୀୟ ଲୋକେ ଏହି ବିଦ୍ୟାଳୟ ଚାଲିବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ନିକଟରେ ମୁଖ୍ୟ ଶାସନ ସଚିବ କୋଟିଆ ଗସ୍ତ କରି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ କାର୍ଯକ୍ଷମ କରିବା ପାଇଁ ଏକ ସୀମା ନିର୍ଦ୍ଧାରଣ କରିଥିଲେ । ଆଜିଠୁ କୋଟିଆରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହେବା ନେଇ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

୩୨ବର୍ଷ ପୂର୍ବେ ତତ୍କାଳୀନ ଗୃହମନ୍ତ୍ରୀଙ୍କ ଝିଅକୁ ଅପହରଣ କରିଥିଲା ୟାସିନ, ବଦଳରେ ଛାଡିବାକୁ ପଡିଥିଲା ୫ଆତଙ୍କୀ

ନୂଆଦିଲ୍ଲୀ: ୩୨ ବର୍ଷ ତଳେ ହୋଇଥିବା ଅପହରଣ ମାମଲାରେ ୟାସିନ ମଲିକକୁ ଚିହ୍ନଟ କରିଛନ୍ତି ରୁବୈୟା । ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍ତି ମହମ୍ମଦଙ୍କ ଝିଅ ରୁବୈୟା ସୟିଦଙ୍କୁ ଅପହରଣ କରିଥିଲା ଏକଛତ୍ରବାଦୀ ନେତା ୟାସିନ ମଲିକ । ଶୁକ୍ରବାର ରୁବୈୟା ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଉପସ୍ଥିତ ହୋଇ ୟାସିନ ମଲିକକୁ ଚିହ୍ନଟ କରିଛନ୍ତି । ୟାସିନ ବ୍ୟତୀତ ଅନ୍ୟ ତିନିଜଣଙ୍କୁ ମଧ୍ୟ ଚିହ୍ନଟ କରିଛନ୍ତି ରୁବୈୟା ।

୧୯୮୯ମସିହାରେ ଅପହରଣରୁ ମୁକୁଳିଥିବା ଝିଅ ରୁବୈୟା ସୟିଦଙ୍କ ସହ ତତ୍କାଳୀନ ଗୃହମନ୍ତ୍ରୀ ମୁଫ୍ତି ସୟିଦ  

ପିଡିପି ମୁଖ୍ୟ ତଥା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ଭଉଣି ହେଉଛନ୍ତି ରୁବୈୟା । କିଛିଦିନ ତଳେ କୋର୍ଟରେ ହାଜର ହେବା ପାଇଁ ରୁବୈୟାଙ୍କୁ ନୋଟିସ୍ ଦିଆଯାଇଥିଲା । ସେ ବର୍ତ୍ତମାନ ତାମିଲନାଡୁରେ ରହୁଛନ୍ତି । ସୂଚନାଥାଉକି ୩୨ ବର୍ଷ ପୂର୍ବେ ଅର୍ଥାତ ୧୯୮୯ ମସିହା ଡିସେମ୍ବର ୮ ତାରିଖରେ ରୁବୈୟାଙ୍କ ଅପହରଣ ହୋଇଥିଲା । ତାଙ୍କୁ ମୁକୁଳାଇବା ପାଇଁ ୧୯ ଡିସେମ୍ବରରେ ସରକାରଙ୍କୁ ବାଧ୍ୟ ହୋଇ ୫ ଆତଙ୍କବାଦୀଙ୍କୁ ଛାଡିବାକୁ ପଡିଥିଲା । ସେ ସମୟରେ ରୁବୈୟାଙ୍କ ପିତା ମୁଫ୍ତି ମହମ୍ମଦ ସୟଦ ଭାରତ ସରକାରରେ ଗୃହମନ୍ତ୍ରୀ ଥିଲେ ।

ରୁବୈୟା ସୟିଦ ଓ ତାଙ୍କ ଭଉଣୀ ମେହବୁବା ମୁଫ୍ତି

ଆଜି କୋର୍ଟରେ ପହଞ୍ଚିବା ପରେ ରୁବୈୟାଙ୍କ ଓକିଲ କହିଥିଲେ ଯାଞ୍ଚ ସମୟରେ ସିବିଆଇକୁ ଦେଇଥିବା ବୟାନ ଉପରେ କାଏମ ଅଛନ୍ତି ରୁବୈୟା । ଫଟୋ ଆଧାରରେ ୟାସିନ ମଲିକ ଏବଂ ତାର ସାଥିମାନଙ୍କୁ ଚିହ୍ନଟ କରିଥିଲେ । ୩୧ ବର୍ଷ ପରେ ଅର୍ଥାତ ଗତ ବର୍ଷ ଜାନୁଆରୀରେ ମଲିକ ଏବଂ ଅନ୍ୟ ୯ ଜଣଙ୍କ ବିରୋଧରେ କୋର୍ଟରେ ମାଲମରା ଶୁଣାଣି ଆରମ୍ଭ ହୋଇଥିଲା । ମମଲାର ଆଗାମୀ ଶୁଣାଣି ୨୩ ଅଗଷ୍ଟରେ ହେବ । ଆଗାମୀ ତିରଖରେ ମଧ୍ୟ ରୁବୈୟା କୋର୍ଟରେ ଉପସ୍ଥିତ ହେବେ। ସୂଚନାଥାଉକି ଟେରର ଫଣ୍ଡିଂ ମାମଲାରେ ପୂର୍ବରୁ ଏନଆଇଏ କୋର୍ଟ ୟାସିନକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।