ମହାରାଷ୍ଟ୍ରରେ ଚଳନ୍ତା ବସରେ ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

1 min read

ନାସିକ : ମହାରାଷ୍ଟ୍ରର ନାସିକରେ ଶନିବାର ସକାଳୁ ସକାଳୁ ବସ ଓ ଟ୍ରକ୍ ମଧ୍ୟରେ ହୋଇଥିବା ଧକ୍କାରେ ବସ ଜଳିଯାଇଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କିଛି ଶିଶୁଙ୍କ ସହିତ ବସର ଡ୍ରାଇଭର ମଧ୍ୟ ସାମିଲ ଅଛନ୍ତି । ଅନ୍ୟ ୩୮ ଜଣ ଏଥିରେ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବୃଦ୍ଧିର ଆଶଙ୍କା ରହିଛି । ଅଧିକାଂଶ ଲୋକ ବସର ଝରକା ଦେଇ ଡେଇଁ ଜୀବନ ବଂଚାଇଛନ୍ତି ।

ଦୁର୍ଘଟଣା ନାସିକ-ଔରଙ୍ଗାବାଦ ରାସ୍ତାରେ ନନ୍ଦୁରନାକା ନିକଟରେ ହୋଇଛି । ବସଟି ୟବତମାଲରୁ ମୁମ୍ବାଇ ଯାଉଥିଲା । ଚିନ୍ତାମଣୀ ଟ୍ରାଭେଲ୍ସର ଏହି ବସରେ ୫୦ ଜଣ ଯାତ୍ରୀ ସବାର ଥିଲେ ।

ଦୁର୍ଘଟଣା ଏମିତି ହୋଇଥିଲା

ଶନିବାର ସକାଳ ୪.୩୦ ମିନଟରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଘଟିବା ବେଳେ ଆଖପାଖରେ କେହି ମଧ୍ୟ ନଥିଲେ । ତେବେ ପୋଲିସ ଅନୁସାରେ ଟ୍ରକରେ ଥିବା ଡିଜେଲ ଦ୍ୱାରା ବସରେ ନିଆଁ ଲାଗିଥିଲା । ଦୁର୍ଘଟଣା ବେଳେ ଟ୍ରକ୍ ଓ ବସ ମଧ୍ୟରେ ଦୂରତା ୫୦ ମିଟରରୁ କମ ଥିଲା । ମୁହାଁମୁହିଁ ଧକ୍କା ପରେ ଟ୍ରକର ଡିଜେଲ ଟ୍ୟାଙ୍କରେ ବିସ୍ଫୋରଣ ହୋଇଥିଲା । ଟ୍ୟାଙ୍କରରେ ଥିବା ଡିଜେଲ ବସ ଉପରେ ପଡିଥିଲା ଓ ନିଆଁ ଲାଗିଯାଇଥିଲା ବୋଲି ଅନୁମାନ କରାଯାଉଛି । ।

ଝରକା ଦେଇ ଡେଇଁ ଜୀବନ ବଂଚାଇଲେ ୩୮ ଜଣ
ଦୁର୍ଘଟଣା ଯୋଗୁ ବସର ସମ୍ମୁଖ ଭାଗରେ ଥିବା ଡ୍ରାଇଭର ଓ ଯାତ୍ରୀ ତୁରନ୍ତ ଜଳି ଯାଇଥିଲେ । ତେବେ ପଛ ଭାଗରେ ବସିଥିବା ଯାତ୍ରୀ କୌଣସି ମତେ ଝରକା ଦେଇ ଡେଇଁ ବାହାରି ଆସିଥିଲେ । ଜଳନ୍ତା ବସରୁ ବାହାରିବାରେ ସକ୍ଷମ ହୋଇଥିବା ୩୮ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଏବେ ମଧ୍ୟ ସଂକଟାପନ ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢି଼ପାରେ ବୋଲି ଆଶଙ୍କା କରାଯାଉଛି ।