ସହରାଞ୍ଚଳ ଗରିବଙ୍କୁ ଜାଗା ସହ ଘର କରିବାକୁ ମିଳିବ ୨ ଲକ୍ଷ

ଭୁବନେଶ୍ବର: ସହରାଞ୍ଚଳ ଭୂମିହୀନ ଆର୍ଥିକ ଅନଗ୍ରସରଙ୍କୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ । ଏକସାଙ୍ଗେ ଜଣେ ହିତାଧିକାରୀଙ୍କୁ ମାଗଣା ଜମି ଅଧିକାର ସହିତ ଘର ନିର୍ମାଣ ପାଇଁ ମିଳିବ ଆର୍ଥିକ ସହାୟତା । ଯେଉଁଥିପାଇଁ ରାଜ୍ୟ ସରକାର ଜାଗା ମିଶନକୁ ଓଡ଼ିଶା ସହାରଞ୍ଚଳ ବାସଗୃହ ମିଶନ ସହ ଏକାଠି କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ଏଭଳି ଅଭିନବ ପଦକ୍ଷେପକୁ ଜାତୀୟ ସ୍ତରରେ ପ୍ରଥମ  । ଯାହାକୁ କେନ୍ଦ୍ର ସ୍ବୀକୃତି ଦେଇଛି । ଯେଉଁଥିପାଇଁ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ରାଜକୋଟରେ ହେବାକୁ ଅର୍ବାନ ହାଉସିଂ କନକ୍ଲେଭରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପୁରସ୍କୃତ କରିବେ ।

ସହରାଞ୍ଚଳରେ ବସ୍ତିବାସିନ୍ଦା କିମ୍ବା ସରକାରୀ ଜମିରେ ରହିଥିବା ଆର୍ଥିକ ଅନଗ୍ରସର ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ଭିତରେ ସୀମିତ ସେହିମାନେ ହିଁ ଏହାର ହିତାଧିକାରୀ ଭାବେ ଚିହ୍ନଟ ହୋଇଛନ୍ତି । ମହାନଗର ନିଗମକୁ ଛାଡ଼ି ଓଡ଼ିଶା ସରକାର ରାଜ୍ୟରେ ୧୧୫ଟି ପୌରାଞ୍ଚଳର ୨ ହଜାର ୯୧୯ଟି ବସ୍ତି ପାଇଁ ଜାଗା ମିଶନ ଯୋଜନା ଲାଗୁ କହିଛନ୍ତି । ଚିହ୍ଟଟ ହୋଇଛନ୍ତି ୧ ଲକ୍ଷ ୭୨ ହଜାର ୬୫୬ ପରିବାର । ଆପତ୍ତିବିହୀନ ଜମି ଦଖଲରେ ଥିବା ବସ୍ତିବାସିନ୍ଦାଙ୍କୁ ଜଣକ ପିଛା ୩୦ ବର୍ଗ ମିଟର ଜମି ପାଇଁ ମାଗଣା ଜମି ଅଧିକାର ପ୍ରମାଣପତ୍ର ବା ଲ୍ୟାଣ୍ଡ୍ ରାଇଟ୍ସ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି । ଏବେ ସୁଦ୍ଧା ୮୦ ହଜାର ୫୫୫ ଜଣ ହିତାଧିକାରୀଙ୍କୁ ସ୍ଥିତାବସ୍ଥା ଜମି ପଟ୍ଟା ପ୍ରଦାନ କରାଗଲାଣି ।

ସେହିପରି ଆପତ୍ତି ଥିବା ଜମିରେ ବାସଗୃହ କରି ରହିଥିବା ଗରିବଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣ ପତ୍ର କିମ୍ବା ଲ୍ୟାଣ୍ଡ ଏନ୍ଟାଇଟଲମେଣ୍ଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ୯୨ ହଜାର ୧୦୧ ହିତାଧିକାରୀଙ୍କୁ ଏହି ସାର୍ଟିଫିକେଟ୍ ପାଇଲେଣି । ପିଏମ୍ ଆବାସ ଯୋଜନାରେ ଲାଗୁ ନେଇ ଯେଉଁ ରାଷ୍ଟ୍ରୀୟ ଦଳର କେନ୍ଦ୍ରୀୟ ନେତାମାନେ ରାଜ୍ୟ ସରକାରଙ୍କୁ ଯେପରି ସମାଲୋଚନା କରୁଥିଲେ, ସେମାନଙ୍କୁ ଏବେ କେନ୍ଦ୍ର ସରକାର ଉଚିତ ଜବାବ ଦେଇଛନ୍ତି ।

ଘରଟିଏ ନଥିଲା । ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଗରିବଟିଏ ନିଜ ପାଇଁ ପକ୍କା ଘର କରିପାରିଛି । ଯେଉଁଥିପାଇଁ ଓଡ଼ିଶାର ୩ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଅର୍ବାନ୍ କନକ୍ଲେଭରେ ପୁରସ୍କୃତ କରିବେ । ହିତାଧିକାରୀମାନେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଧାମନଗର ବିଜ୍ଞପିତ ପରିଷଦର ବାଇନ ଜେନା, ଗଜପତି କାଶୀନଗର ବିଜ୍ଞପିତ ପରିଷଦର ପୋଲାକି ସଞ୍ଜୀବ ରାଓ ଏବଂ ଚୌଦ୍ବାର ମ୍ୟୁନିସିପାଲିଟିର ବାବନ ଖିଲାରଙ୍କୁ ଉତ୍ତମ ଗୃହ ନିର୍ମାଣ ପାଇଁ ପୁରସ୍କୃତ କରିବେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଏହି ପୁରସ୍କାର ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବ ।

ଜାଗା ମିଶନ ନିୟମ ଅନୁଯାୟୀ ଆର୍ଥିକ ଅନଗ୍ରସର ହୋଇନଥିବା ବର୍ଗର ହିତାଧିକାରୀ ସମ୍ପୃକ୍ତ ଜମିର ବେଞ୍ଚ ମାର୍କର ୫୦ ପ୍ରତିଶତ ଅର୍ଥ ଜମା କରିବେ । ଏହାସହିତ ମ୍ୟୁନିସିପାଲଟିରେ ଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି ୩୦ରୁ ୪୫ ବର୍ଗ ମିଟର ଜମି ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବେ । ସେହିପରି ଏନ୍ଏସିରେ ୩୦ରୁ ୬୦ ବର୍ଗମିଟର ଜମି ଅଧିକାର ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବାକୁ ପଡିବ । ଏବେ ସହାରଞ୍ଚଳ ବାସଗୃହ ମିଶନ ଓ ଜାଗା ମିଶନର ଏକତ୍ରୀକରଣ ଯୋଗୁଁ ଜମି ଓ ଘର ପାଇବା ଆହୁରି ସହଜ ହୋଇଯିବ ।