ସିଙ୍ଗିଲ ଓ୍ବିଣ୍ଡୋ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ଅନୁମୋଦନ

1 min read

ଭୁବନେଶ୍ବର: ସିଙ୍ଗିଲ ଓ୍ବିଣ୍ଡୋ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ଅନୁମୋଦନ । ୧୯ଶହ ୨୩ କୋଟି ୬୦ଲକ୍ଷ ଟଙ୍କାର ପୁଞ୍ଜି ନିବେଶକୁ ମଂଜୁରୀ ମିଳିଛି । ପ୍ରକଳ୍ପ ପ୍ରତିଷ୍ଠା ହେଲେ ନିଯୁକ୍ତି ପାଇବେ ୫ହଜାର ୧୭୦ଜଣ । ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ଶକ୍ତି, ଅକ୍ଷୟ ଶକ୍ତି, ରସାୟନ, IT ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ତୈଳ, ଗ୍ୟାସ ଓ ବୟନଶିଳ୍ପ ।

ଲୁମିନସ ପାଓ୍ବାର ଟେକ୍ନୋଲୋଜି ଅନୁଗୁଳରେ ପ୍ରତିଷ୍ଠା କରିବ ଆଲୁମିନିୟମ ପାର୍କ । ଏଥିପାଇଁ ୪୮୧ କୋଟି ୯୬ ଲକ୍ଷ ଟଙ୍କା ନିବେଶ କରାଯିବ । ଏହାଦ୍ବାରା ୧ହଜାର ୧୫୬ ଜଣ ରୋଜଗାର ପାଇବେ । ସେହିପରି ପାରାଦୀପ ଶିଳ୍ପାଞ୍ଚଳରେ ୫୦୦ କୋଟି ଟଙ୍କା ନିବେଶରେ ରସାୟନ ପଦାର୍ଥ ଉତ୍ପାଦନ କରିବ ସାଇଲକ୍ସ ଇଣ୍ଡିଆ । ଏହାଦ୍ବାରା ୮୧୦ ଜଣ ନିଯୁକ୍ତି ପାଇବେ  । ସେହିପରି ଖୋର୍ଦ୍ଧା ଇନଫୋଭ୍ୟାଲି ଅଞ୍ଚଳରେ ୧୬୫ କୋଟି ୬୦ ଲକ୍ଷ ଟଙ୍କା ବିନିଯୋଗରେ ସଫ୍ଟଓୟାର ପ୍ରସ୍ତୁତି ଓ ସୁବିଧା କେନ୍ଦ୍ର କରିବ ହାପିଏଷ୍ଟ ମାଇଣ୍ଡସ ଟେକ୍ନୋଲୋଜି । ବାଲେଶ୍ବର ଶିଳାଞ୍ଚଳରେ ଆଇଏଫବି ଇଣ୍ଡଷ୍ଟିଜ୍ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପ କରିବ । ପୁରୀ ଓ କେନ୍ଦ୍ରାପଡ଼ାରେ ତୈଳ ଓ ଗ୍ୟାସ ଅନୁସନ୍ଧାନ କେନ୍ଦ୍ର ଏବଂ କେନ୍ଦୁଝରରେ ଷ୍ଟିଲ ଡାଉନଷ୍ଟ୍ରିମ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ହେବ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ସହାୟକ ହେବ । ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆବଶ୍ୟକ ଜମି ଓ ଜଳର ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।