spot_img
Home Blog Page 4027

ରାଷ୍ଟ୍ରପତି ନିର୍ବାଚନ ଭୋଟଦାନର ପୋଷ୍ଟମର୍ଟମ, ବିରୋଧୀ ଦଳର ସାଂସଦ ଓ ବିଧାୟକ କରିଛନ୍ତି କ୍ରସଭୋଟିଂ

ନୂଆଦିଲ୍ଲୀ: ସରିଲା ରାଷ୍ଟ୍ରପତି ନିର୍ବାଚନ । ଆରମ୍ଭ ହେଲା ଭୋଟଦାନର ପୋଷ୍ଟମର୍ଟମ । ନିର୍ବାଚନରେ କ୍ରସଭୋଟିଂ ନେଇ ହୋଇଛି ବଡ଼ ଖୁଲାସା । ୧୭ ଜଣ ସାଂସଦ ଓ ବିରୋଧୀ ଦଳର ପ୍ରାୟ ୧୨୫ ବିଧାୟକ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ କରିଛନ୍ତି କ୍ରସ ଭୋଟିଂ । ଏପରିକି ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ଏନଡିଏର କୌଣସି ଜଣେ ବିଧାୟକ ନଥିଲେ ବି ତାଙ୍କୁ ମିଳିଛି ଗୋଟିଏ ଭୋଟ୍ । ରାଜ୍ୟରେ ଶାସକ ବାମପନ୍ଥୀ ନେତୃତ୍ୱାଧୀନ ମେଣ୍ଟ ଓ ବିରୋଧୀ ତଥା କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ମେଣ୍ଟ ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିଥିଲେ ବି ଗୋଟିଏ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ଯାଇଛି ।

ଆସାମରେ ବିରୋଧୀ ଦଳର ୨୫ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସର ୯୫ ବିଧାୟକ ଥିଲେ ବି ଯଶଓ୍ୱନ୍ତଙ୍କୁ ମିଳିଛି ୭୯ଟି ଭୋଟ । ମେଘାଳୟରେ ତୃଣମୂଳ କଂଗ୍ରେସର କିଛି ବିଧାୟକ କ୍ରସଭୋଟିଂ କରିଥିବାବେଳେ ମଣିପୁରରେ ବି କଂଗ୍ରେସର କିଛି ବିଧାୟକ ଏନଡିଏ ସପକ୍ଷରେ କ୍ରସଭୋଟିଂ କରିଛନ୍ତି । ବିହାର ଓ ଛତିଶଗଡ଼ରେ ବିରୋଧୀ ଦଳର ୬ ଜଣ ଲେଖାଏ ବିଧାୟକ, ଗୋଆର ୪ ଜଣ, ଗୁଜରାଟର ୧୦ ଜଣ ବିଧାୟକ ଏନଡିଏ ସପକ୍ଷରେ କ୍ରସଭୋଟିଂ କରିଛନ୍ତି ।

 

ଦରବୃଦ୍ଧି, ମୁଦ୍ରାସ୍ଫୀତି ନେଇ ହଙ୍ଗାମା, ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିରୋଧୀ ସାଂସଦଙ୍କ ନାରାବାଜି

ନୂଆଦିଲ୍ଲୀ: ସଂସଦ ଅଧିବେଶନରେ ଜୋରଦାର ହଙ୍ଗାମା । ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା ହୋଇଛି । ଦରବୃଦ୍ଧି, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ସଂସଦ ବାହାରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିରୋଧୀ ସାଂସଦ କରିଛନ୍ତି ନାରାବାଜି । ବିଭିନ୍ନ ଏଜେନ୍ସିଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗରେ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାରୁ ରାଜ୍ୟସଭା ମୁଲତବୀ ହୋଇଥିଲା । ଏହା ସହ ବେକାରୀ ପ୍ରସଙ୍ଗ, ଜିଏସଟି ପ୍ରସଙ୍ଗରେ ସାଂସଦମାନେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ମୁଲତବି ହୋଇଥିଲା ।

ସେପଟେ ସଂସଦରେ ଗୃହକାର୍ଯ୍ୟ ପରିଚାଳନା ତଥା ସରକାରଙ୍କ ରଣକୌଶଳ ନେଇ କେତେକ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହ, ପ୍ରହ୍ଲାଦ ଯୋଶୀ, ଅନୁରାଗ ଠାକୁର, ପୀୟୂଷ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ ।

 

ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବ ଦ୍ରୌପଦୀ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାବାସୀଙ୍କ ତରଫରୁ ଜଣାଇଲେ ଅଭିନନ୍ଦନ । ଏହି ସଫଳତାରେ ପୂରା ରାଜ୍ୟ ଗର୍ବିତ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

ବିଶ୍ୱ ଚାମ୍ପିୟନସିପ୍ ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଆଉ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା । ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିୟନସିପର ଫାଇନାଲରେ ବେପ୍ରଶ କରିଛନ୍ତି ନୀରଜ ଚୋପ୍ରା । ଏହି ଇଭେଣ୍ଟର ପ୍ରଥମ ଉଦ୍ୟମରେ ହିଁ ୮୮.୩୯ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛନ୍ତି । ଏହି ମୁକାବିଲାରେ ବିଭିନ୍ନ ଦେଶର ୩୪ ଖେଳାଳି ସାମିଲ ହୋଇଥିଲେ ।

ବିଶ୍ୱ ଚାମ୍ପିୟନସିପର ଜାଭେଲିନ୍ ଇଭେଣ୍ଟର ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ-ଏରେ ଥିଲେ । ଏହି ଗ୍ରୁପରେ ନୀରଜ ୮୮.୩୯ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି । ଜାଭେଲିନ ଇଭେଣ୍ଟର ଫାଇନାଲ ମୁକାବିଲା ରବିବାର ସକାଳେ ଅନୁଷ୍ଠିତ ହେବ । ତେବେ ୮୮.୩୯ ମିଟର ଜାଭେଲିନ ଫିଙ୍ଗିବା ନୀରଜଙ୍କ କ୍ୟାରିୟର ତୃତୀୟ ଶ୍ରେଷ୍ଠ ପ୍ରଦର୍ଶନ ।

 

ଇଣ୍ଡିଜ ଗସ୍ତରେ ଟିମ୍ ଇଣ୍ଡିଆ, ଆଜିଠୁ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଦିନିକିଆ ଶୃଙ୍ଖଳା

ନୂଆଦିଲ୍ଲୀ: ଇଂଲଣ୍ଡ ପରେ ଓ୍ୱେଷ୍ଟଇଣ୍ଡିଜ ଗସ୍ତରେ ଟିମ୍ ଇଣ୍ଡିଆ । ଆଜିଠୁ ଆରମ୍ଭ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଦିନିକିଆ ଶୃଙ୍ଖଳା । ଶିଖର ଧାଓ୍ୱନଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଓ୍ୱେଷ୍ଟଇଣ୍ଡିଜରେ ୩ଟି ଦିନିକିଆ ୫ଟି ଟି-ଟ୍ୱେଣ୍ଟି ଖେଳିବ ମେନ ଇନ୍ ବ୍ଲୁ । ଏହି ୩ ଟିକିଆ ଦିନିକିଆ ସିରିଜର ଆଜି ହେଉଛି ପ୍ରଥମ ଦିନିକିଆ । ଭାରତୀୟ ସମୟ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଏହି ମ୍ୟାଚ୍ ।

ଭାରତୀୟ ଦଳରେ ଧାଓ୍ୱନ ଅଧିନାୟକ ଥିବାବେଳେ ୟୁଜବେନ୍ଦ୍ର ଚହଲ, ଶ୍ରେୟସ ଆୟର, ଆଭେଶ ଖାନ୍, ଈଶାନ କିଶନ ଏବଂ ମହମ୍ମଦ ସିରାଜଙ୍କୁ ସ୍ଥାନ ମିଳିଛି । ଇଂଲଣ୍ଡ ବିପକ୍ଷରେ ଟି-୨୦ ଓ ଦିନିକିଆ ସିରିଜ ଜିତି ଭାରତର ମନୋବଳ ଦୃଢ଼ ରହିଛି । ଆରମ୍ଭରୁ ମ୍ୟାଚ୍ ଜିତି ସିରିଜ ବିଜୟ ପାଇଁ ଆଗକୁ ପାଦ ବଢ଼ାଇବାକୁ ଉଦ୍ୟମ କରିବ ଧାଓ୍ୱନ ବାହିନୀ । ସେପଟେ ଭାରତକୁ ଜବାବ ଦେବା ପାଇଁ ରଣନୀତି କରିଛି ଓ୍ୱେଷ୍ଟଇଣ୍ଡିଜ୍ । ଆଜିଠୁ ଦିନିକିଆ ସିରିଜ ହେବାକୁ ଥିବାବେଳେ ଆସନ୍ତା ୨୯ ତାରିଖରୁ ଟି-୨୦ ଶୃଙ୍ଖଳା ଖେଳାଯିବ । ଟି-୨୦ରେ ଅଧିନାୟକ ଭାର ସମ୍ଭାଳିବେ ରୋହିତ ଶର୍ମା ।

ପ୍ରକାଶ ପାଇଲା CBSE ରେଜଲ୍ଟ, ପାସ୍ ହାର ୯୨.୭୧ %         

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଯେଉଁ ଛାତ୍ରଛାତ୍ରୀମାନେ ଦ୍ୱାଦଶ ପରୀକ୍ଷା ଦେଇଥିଲେ ସେମାନେ cbse.gov.in, cbseresults.nic.in, digilocker ଓ cbse.nic.inରେ ପରୀକ୍ଷା ଫଳ ଜାଣିପାରିବେ । ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ଦିନ ୨ଟାରେ ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇବ । ଚଳିତ ବର୍ଷ ପାସ୍ ହାର ୯୨.୭୧ % ରହିଛି ।  ତେବେ CBSE ଦ୍ୱାଦଶରେ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ ।  ଦ୍ୱାଦଶରେ ୯୪.୫୪% ଛାତ୍ରୀ ପାସ୍ କରିଥିବାବେଳେ ୯୧.୨୫ % ଛାତ୍ର ପାସ୍ କରିଛନ୍ତି । ସେହିପରି ୩୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ୯୫% ରୁ ଅଧିକ ନମ୍ବର ରଖିଛନ୍ତି ।

ଚଳିତ ବର୍ଷ ଦେଶରେ ମୋଟ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ୱାଦଶ ପରୀକ୍ଷା ଦେଇଥିଲେ । ପ୍ରକାଶ ପାଇଥିବା ରେଜଲ୍ଟରୁ ତ୍ରିଭେନ୍ଦ୍ରମ୍ ରିଜିଅନରେ ସର୍ବାଧିକ ୯୮.୮୩% ପାସ୍ ରହିଛି । ସେହିପରି ଭୁବନେଶ୍ୱର ରିଜିୟନରେ ପାସ୍ ହାର ୯୦.୩୭% ରହିଛି ।

ଭାଇରାଲ୍ ହେଉଛି ଦ୍ରୌପଦୀ ମୁର୍ମୁଙ୍କ କଲେଜ ଦିନର ଫଟୋ

ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପ୍ରଥମ ଓଡ଼ିଆ ଭାବରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଭିଷିକ୍ତ ହେବ ଦ୍ରୌପଦୀ । ଆବଶ୍ୟକଠାରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି ଦ୍ରୌପଦୀ । ଦ୍ରୌପଦୀ ମୁର୍ମୁ ପ୍ରଥମ ଆଦିବାସୀ ଭାବେ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛି । ରାଷ୍ଟ୍ରପତି ଭାବରେ ବିଜୟଲାଭ କରିବା ପରେ ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତେବେ ଏହାରି ମଧ୍ୟରେ ଦ୍ରୌପଦୀ ମୁର୍ମୁଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୬୪ ବର୍ଷୀୟା ଦ୍ରୌପଦୀ ମୁର୍ମୁଙ୍କ  କଲେଜ ବେଳର ବ୍ଲାକ୍ ଆଣ୍ଡ ହ୍ୱାଇଟ ଗ୍ରୁପ୍ ଫଟୋ ଭାଇରାଲ ହେଉଛି । ଏହି ଫଟୋରେ ଦ୍ରୌପଦୀ ଶାଢ଼ୀ ପିନ୍ଧିଥିବାର ଦେଖିବାକୁ ମିଳିଛି ।

୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନବୀନ

ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ଭାରତରେ ଜଣେ ଆଦିବାସୀ ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଭିଷିକ୍ତ ହେବ । ଆବଶ୍ୟକ ସଂଖ୍ୟାଠାରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ଭାବରେ ଆସନ୍ତା ଜୁଲାଇ ୨୫ରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶପଥ ଗ୍ରହଣରେ ଯୋଗଦେବାକୁ ନବୀନଙ୍କୁ କରାଯାଇଛି ନିମନ୍ତ୍ରଣ । ଗସ୍ତ ଅବସରରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଜୁଲାଇ ୨୩ରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି ।

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । NDA ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ପ୍ରଥମେ ବିଜେଡି ତାଙ୍କୁ ସହଯୋଗ କରିବ ବୋଲି ଘୋଷଣା କରିଥିଲେ ନବୀନ । ନିର୍ବାଚନରେ ଯେପରି ଓଡ଼ିଶାରୁ କୌଣସି ଭୋଟ୍ ନାକାଚ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ । ଦଳମତ ନିର୍ବିଶେଷରେ ସବୁ ଦଳ ଓଡ଼ିଆ ଝିଅଙ୍କୁ ଭୋଟ୍ ଦେବାକୁ ମଧ୍ୟ ଆହ୍ୱାନ କରିଥିଲେ ନବୀନ ପଟ୍ଟନାୟକ ।

ମରଣଯନ୍ତା ପାଲଟିଛି NH ୫୫, ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ: ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୫୫ । ରାଜପଥ କାମ ସଂପ୍ରସାରଣରେ ବିଳମ୍ବ ଯୋଗୁ ସମସ୍ୟା ଭୋଗୁଛନ୍ତି ଜନସାଧାରଣ । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଢେଙ୍କାନାଳ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମନମାନି ବିରୋଧରେ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ବନ୍ଦ ରହିଛି ଦୋକାନ ବଜାର ଓ ଗାଡ଼ି ଚଳାଚଳ । ସକାଳ ୭ଟାରୁ ୯ ପର୍ଯ୍ୟନ୍ତ ରେଳ ରୋକ କରାଯିବ । ବନ୍ଦ ପାଳନକୁ ସମର୍ଥନ କରିଛି ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ।

ସମସ୍ତ ଗାଡ଼ି ଚଳାଚଳ ଅପରାହ୍ନ ୨ଟା ଯାଏ ବନ୍ଦ ରଖାଯିବ ବୋଲି ଜିଲ୍ଲା ଘରୋଇ ବସ ଓ ଟ୍ରକ ମାଲିକ ସଂଘ ନିଷ୍ପତ୍ତି ନେଇଛି । ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ସଂଘ । ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟ ଘେରାଉ କରି ଜବାବ ମାଗିବ ସଂଘ । ଅଭିଯୋଗ ଅନୁସାରେ, ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଅଧାରେ ଅଟକିଛି । ଫଳରେ ଦୀର୍ଘ ମାସ ଧରି କଟକ ମଙ୍ଗୁଳିଠାରୁ ଅନୁଗୁଳ ଯାଏ ରାସ୍ତା ମରଣଯନ୍ତା ପାଲଟିଛି । ଏନେଇ ବାରମ୍ବାର ପ୍ରତିବାଦ ପରେ ବି କୌଣସି ସମାଧାନ ହୋଇପାରୁନି ।

ଆଜିଠୁ ୨୬ ଯାଏ ଅବିଶ୍ରାନ୍ତ ବର୍ଷା, ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ପୁଣି କାଚିବ ବର୍ଷା । ଉପାନ୍ତରୁ ଉପକୂଳ ମିଳିବନି ନିସ୍ତାର । ୨୬ ତାରିଖ ଯାଏଁ ଅବିଶ୍ରାନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳହାଣ୍ଡି, ବଲାଙ୍ଗୀର ଏବଂ ନୟାଗଡ଼ରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଅନୁଗୁଳ, ସୋନପୁର, ସମ୍ବଲପୁର ଏବଂ ଜଗତସିଂହପୁରରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେହିଭଳି ୨୩ ତାରିଖରେ ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୨୪ ତାରିଖରେ ୫ ଜିଲ୍ଲାକୁ ଅରେଞ୍ଜ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସ୍ଥିତି ସଙ୍ଗୀନ ହୋଇପାରେ । ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏବେ ମୌସୁମୀ ଟ୍ରପଲାଇନ୍ ସକ୍ରିୟ ରହିଛି । ଏହାର ପ୍ରଭାବରେ ବର୍ଷା ଜାରି ରହିଛି । ୨୬ ତାରିଖ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।