ଚିନ୍ତା ବଢ଼ାଉଛି ଡେଙ୍ଗୁ, ଡେଙ୍ଗୁ ଆକ୍ରାନ୍ତ କ୍ଷେତ୍ରରେ ରେଡ୍ ଜୋନରେ ଖୋର୍ଦ୍ଧା

1 min read

ଭୁବନେଶ୍ୱର: ଚିନ୍ତା ବଢାଉଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ପାଲଟିଛି ହଟସ୍ପଟ୍ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସହିତ ଦୈନିକ ଟେଷ୍ଟିଂ ପଜିଟିଭ ହାର ମଧ୍ୟ କମ୍ ଅଛି । ତଥାପି ଜିଲ୍ଲାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ନିୟମିତ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିନ୍ତା ପ୍ରକଟ କରିଛି । ଖୋର୍ଦ୍ଧା ଜିଲ୍ଲାପାଳ, ବିଏମସି କମିଶନର, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ ଗତକାଲି ସୁଦ୍ଧା ଜିଲ୍ଲାରେ ମୋଟ ୨୬୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୪୬୪ ଜଣ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର । ଖୋର୍ଦ୍ଧା ଜିଲ୍ଲାରେ ଅଗଷ୍ଟ ମାସରେ ୭୬୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ୧୩୧୦ ଓ ଅକ୍ଟୋବର ୧୩ ତାରିଖ ସୁଦ୍ଧା ୧୯୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି ।

ଭୁବନେଶ୍ୱରରେ ନୀଳାଦ୍ରିବିହାରରୁ ସର୍ବାଧିକ ୩୪୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨୫୪, ଆଇଆରସି ଭିଲେଜରୁ ୨୩୦, ୟୁନିଟ-୩ରୁ ୧୪୪ ଏବଂ ସାଲିଆ ସାହିରୁ ୧୯୪ଜଣ ରୋଗୀ ସରକାରୀ ଭାବେ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁକୁ ରୋକିବାକୁ ଯାଇ ବିଏମସି ପକ୍ଷରୁ ସାପ୍ତାହିକ ଦୁଇଦିନ ଡ୍ରାଏ ଡେ ପାଳନ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ତ୍ବ ଦିଆଯାଇଛି । ନିୟମିତ ବୁଦା କାଟି ସଫା କରିବା ସହ ମଶା ଧୂଆଁ ଛଡାଯାଉଛି।

ସେପଟେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଟେଷ୍ଟିଂକୁ ବ୍ୟାପକ କରାଯିବା ସହ କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରରାଯାଇଛି । ଡେଙ୍ଗୁ ରୋଗୀଙ୍କ କ୍ଷେତ୍ରରେ ରକ୍ତରୁ ପ୍ଲେଟଲେଟ କମିଯିବାର ସମ୍ଭାବନା ଥିବାରୁ ରକ୍ତ ଭଣ୍ଡାରରେ ରକ୍ତ ୟୁନିଟ ଗଚ୍ଛିତ ରଖାଯାଇଛି ।