ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଗୁଜବ, ଭୟଭୀତ ଯାତ୍ରୀ

1 min read

ନୂଆଦିଲ୍ଲୀ: ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଗୁଜବକୁ ନେଇ ଆତଙ୍କ । ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଲ୍ୟାଣ୍ଡ କଲା ଫ୍ଲାଇଟ SU-23 । ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଏୟାରପୋର୍ଟରେ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଥିଲେ । ବୋମା ନିରୋଧକ ଟିମ୍ ସହ ରେସ୍କ୍ୟୁ ଟିମ୍ ବିମାନବନ୍ଦରରେ ପହଞ୍ଚିଥିଲେ । ରନ୍ ଓ୍ୱେ ୨୯ରେ ଅବତରଣ କରିବା ପରେ ବିମାନର ଚେକିଂ କରାଯାଇଥିଲା । ସବୁ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଫ୍ଲାଇଟରେ ବମ୍‌ ମିଳି ନଥିଲା । ବିମାନରେ  ୩୮୬ ଜଣ ଯାତ୍ରୀ ଓ ୧୬ ଜଣ କ୍ରୁ ମେମ୍ବର୍ସ ଥିଲେ।

ସୂଚନା ଅନୁସାରେ ଗତକାଲି ରାତି ୧୧ଟା ୧୫ରେ ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନ SU 232ରେ ବୋମା ରହିଛି ବୋଲି ଏକ ଫୋନ୍ କଲ ଆସିଥିଲା । ଏହି ଫୋନ୍ କଲ ଆସିବା ପରେ ବିମାନଟି ରାତି ୩ଟା୨୦ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା । ବିମାନ ରନ୍ ୱେ ୨୯ରେ ଲ୍ୟାଣ୍ଡ୍ କରିବା ପରେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହା ସହ ବିମାନ ଭିତରେ ଭଲ ଭାବରେ ଯାଞ୍ଚ କରାଯାଇଥିଲା। ହେଲେ କୌଣସି ବୋମା ମିଳିନଥିଲା।