କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ, ପ୍ରତିବାଦରେ ସଂଘର୍ଷ ସମିତିର ଆନ୍ଦୋଳନ

1 min read

ବଲାଙ୍ଗୀର: କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ । ରେଳ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ମୁଣ୍ଡ ଟେକିଛି ଆନ୍ଦୋଳନ । ବହୁପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କେନ୍ଦ୍ର ସରକାରଙ୍କ ଚରମ ଅବହେଳାର ଶିକାର ହୋଇଛି । ୩୦ ବର୍ଷ ଭିତରେ ଏହି ପ୍ରକଳ୍ପକୁ ଜାଣିଶୁଣି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ଓଡ଼ିଶାକୁ ସବୁବେଳେ କେନ୍ଦ୍ର ରେଳ ବିଭାଗ ପାତରଅନ୍ତର କରିଛି । ବିଶେଷକରି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଏହାର ଏକ ଉଦାହରଣ । ପ୍ରକଳ୍ପ ପାଇଁ ପାଖାପାଖି ଚାରି ହାଜର କୋଟି ଟଙ୍କା ବଜେଟର ଘୋଷଣା ହୋଇଛି । କିନ୍ତୁ ୧୭ ଶହ କୋଟି ଖର୍ଚ୍ଚ କରାଯାଇଛି । ଗତ ୨୦୧୯ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀରରୁ ବିଛୁପାଲି ରେଳ ଷ୍ଟେସନ ମାତ୍ର ୧୫ କିମି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ ।

୨୦୨୨ ମସିହା ପର୍ଯ୍ୟନ୍ତ ବଲାଙ୍ଗୀରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷାଣ କରିଥିଲେ । କିନ୍ତୁ ୨୦୨୨ ଶେଷ ହେବାକୁ ବସିଲାଣି କିନ୍ତୁ ସୋନପୁର ପର୍ଯ୍ୟନ୍ତ ୫୦ କିମି ରେଳପଥ ନିର୍ମାଣ ହୋଇପାରିନାହିଁ । ବିଚ୍ଛୁପାଳିରୁ ଝାରତରଭା ମାତ୍ର ତିନି ବର୍ଷରେ ୧୦ କିମି ରେଳପଥ ନିର୍ମାଣ କାମ ସାରିଛି । କୋଭିଡ ସମୟରୁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି । କେନ୍ଦ୍ରର ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କିଛି ଦିନ ତଳେ ବୈଠକରେ ଚେତାବନୀ ଦେଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଆଜି ଆନ୍ଦୋଳନକୁ ଓହ୍ଲାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଧାରଣାରେ ସଂଘର୍ଷ ସମିତି ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି ।