spot_img
Home Blog Page 4011

ଆଜିଠୁ ରାଜଧାନୀରେ ଗଡ଼ିବ ଇ-ବସ୍ 

ଭୁବନେଶ୍ୱର:  ମୋ ବସର ସଫଳତା ପରେ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ। ଇ-ବସ ସହିତ ଇ-ରିକ୍ସା ମଧ୍ୟ ଚଳାଚଳ କରିବ ବୋଲି ସୂଚନା ଦେଇଛି ମୋ ବସ ପରିଚାଳନା ସଂସ୍ଥା (କ୍ରୁଟ୍)।

ଗତ ୨ମାସ ତଳୁ ଭୁବନେଶ୍ବରରେ ଇ-ବସ୍ ପହଞ୍ଚି ସାରିଛି। ବସ ଚଳାଚଳ ପାଇଁ ସ୍ବତନ୍ତ୍ର କ୍ୟାପଟେନଙ୍କୁ ଚୟନ କରାଯାଇ ତାଲିମ ଦେବା ସହିତ ଏହାର ଟ୍ରାଏଲ ରନ୍ କରାଯାଇଛି। ବସରେ ବାଲିବସ୍ତା ରଖାଯାଇ ଟ୍ରାଏଲ କରାଯାଇଛି। ବସରେ ଯାତ୍ରୀଙ୍କ ସଂଖ୍ୟା ୩୦ରେ ସୀମିତ ରହିବ। ସବୁ ବସ ଶୀତତାପ ନିୟନ୍ତ୍ରିତ ରହିଛି।

ପଟିଆ ଓ ଭଗବାନପୁରରେ ସ୍ଥାପିତ ଅତ୍ୟାଧୁନିକ ବସ ଡିପୋରେ ବସ ଗୁଡ଼ିକ ରହିବ। ଏଠାରେ ସେଗୁଡ଼ିକୁ ଚାର୍ଜିଂ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ ଚାଲିବାକୁ ଥିବାବେଳେ ଖୁବଶୀଘ୍ର ଏହା ୫୦କୁ ବୃଦ୍ଧି ପାଇବ। ଏହାଦ୍ବାରା ଉଭୟ ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକାଯାଇପାରିବ।

ତେବେ ଇ-ବସ ସେବା ସହିତ ଇ-ରାଇଡ ସେବା ମଧ୍ୟ ଆରମ୍ଭ ହେବ। ଯେଉଁଥିପାଇଁ  ୪୫ଟି ଇ-ରିକ୍ସା ଲୋକାପ୍ରଣ ହେବ। ଇ-ରିକ୍ସା ଜରିଆରେ ମୋ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସୁବିଧାରେ ଯାତାୟତ କରିପାରିବେ ଜନସାଧାରଣ।

ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ସହିଦ

ବାରମେରା: ରାଜସ୍ଥାନର ବାରମେରରେ ବାୟୁସେନାର ବିମାନ ଦୁର୍ଘଟଣା । ଧ୍ବଂସ ହୋଇଗଲା ମିଗ୍-୨୧ ବିମାନ । ଦୁର୍ଘଟଣାରେ ଦୁଇ ପାଇଲଟ ସହିଦ ହୋଇଛନ୍ତି । ଦୁର୍ଘଟଣା ପରେ ଫାଇଟର ଜେଟଟି ସମ୍ପୂର୍ଣ୍ଣ ଜଳି ଯାଇଛି ।

ଦୁର୍ଘଟଣାସ୍ଥଳରେ ବାୟୁସେନା ଅଧିକାରୀମାନେ ପହଞ୍ଚିଛନ୍ତି । ଏପଟେ ଘଟଣା ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସୂଚନା ଦେଲେ ବାୟୁସେନା ମୁଖ୍ୟ  । ଟ୍ରେନିଂ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବାରମେର ବାୟୁସେନାର ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ।

ମୋ ପୁଅ ଶୀଘ୍ର ମୋ ପାଖକୁ ଫେରିବ: ବାବୁସାନ

ଭୁବନେଶ୍ବର: ସାରା ଦିନର ଅପେକ୍ଷା ପରେ ଘରୁ ବାହାରିଲେ ବାବୁସାନ । ଘର ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି କଥା ହେଲେ । ଘରକୁ ଯାଇ ଖିଆପିଆ କରିବାକୁ ଅନୁରୋଧ କଲେ । ଏହାସହ ପୋଲିସକୁ ବୟାନ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି କହିଲେ । ଏହାସହ ପୋଲିସ ଡାକିବା ଅନୁସାରେ ହାଜର ହେବେ ବୋଲି କହିଲେ ।

ଏହି ସମୟରେ ବାବୁସାନ ଏକ ବଡ଼ ବୟାନ ଦେଇଛନ୍ତି । ମୋ ପୁଅ ମୋ କୋଳକୁ ଶୀଘ୍ର ଫେରିବ ବୋଲି ସେ କହିଛନ୍ତି । ସେ ସୁସ୍ଥ ଥିବା ଓ ବାପା ଉତ୍ତମ ମହାନ୍ତିଭ୍କ ଦେହ ଭଲ ଥିବା କହିଛନ୍ତି । ଏହାସହ ସେ ଚାପରେ ନଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

ଓଡ଼ିଶା ସରକାରଙ୍କୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ବର: ଦିନିକିଆ ଓଡ଼ିଶା ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓ ସଦସ୍ୟ ଡ. ବିନୋଦ ପଲ । ଓଡ଼ିଶା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟକାରିତା ପରଖିଛନ୍ତି ନୀତି ଆୟୋଗ ଟିମ୍ । ଏହାସହ ଓଡ଼ିଶା ସରକାରଙ୍କୁ କରିଛନ୍ତି ପ୍ରଶଂସା ।

ମଞ୍ଚେଶ୍ବରରେ ଥିବା ବିଶ୍ବ ଦକ୍ଷତା କେନ୍ଦ୍ର ବୁଲି ଦେଖିବା ସହ ପିପିଲିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଉଦ୍ୟୋଗ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଫାଇଭ-ଟିରେ ହେଉଥିବା ବିଦ୍ୟାଳୟର ରୂପାନ୍ତରଣ ସହ ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଥିଲେ । ଏହାପରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ବିଭାଗୀୟ ସଚବିଙ୍କ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ବାବଦରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଇନିସିଏଟିଭକୁ ନୀତି ଆୟୋଗ ପ୍ରଶଂସା କରିବା ସହ ଆଗକୁ ବିଭିନ୍ନ ଉନ୍ନୟନ କାମରେ ଆୟୋଗର ସହଯୋଗ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ସଦସ୍ୟ ଡ. ପଲ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଆସନ୍ତା ନୀତି ଆୟୋଗ ପରିଷଦ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ପରିଷଦ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ ।

୧୭ ବର୍ଷରୁ ଭୋଟର କାର୍ଡରେ ହେବ ନାଁ ପଞ୍ଜିକରଣ

ନୂଆଦିଲ୍ଲୀ: ଏଣିକି ୧୭ ବର୍ଷରୁ ଭୋଟର କାର୍ଡରେ ନିଜର ନାମ ପଞ୍ଜିକରଣ କରିପାରିବେ ଯୁବକ ଓ ଯୁବତୀ । ହେଲେ ୧୮ ବର୍ଷରୁ ଭୋଟ୍‌ ଦେବେ  । ୧୭ରୁ ଅଧିକ ବର୍ଷର ବ୍ୟକ୍ତିଙ୍କ ପାଇଁ ଏଭଳି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏଥିସହ ଭୋଟର କାର୍ଡରେ ନାମ ପଞ୍ଜିକରଣ ପାଇଁ ଆବଶ୍ୟକୀୟ ମାନଦଣ୍ଡର ପୂରଣ ପାଇଁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ ।

ବର୍ଷକରେ ତିନିଥର ଭୋଟର କାର୍ଡ ପାଇଁ ଆବେଦନ କରିହେବ । ଏପ୍ରିଲ, ଜୁଲାଇ, ଅକ୍ଟୋବର ପହିଲାରେ ଆବେଦନ କରିପାରିବେ । ଏନେଇ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ପୂର୍ବରୁ ୧୮ ବର୍ଷ ହେଲା ପରେ କେବଳ ଜାନୁଆରୀ ପହିଲାରେ ହିଁ ଆବେଦନ କରାଯାଉଥିଲା । ଏଥିସହ ଭୋଟର କାର୍ଡ ସହ ଆଧାର କାର୍ଡ ସଂଯୋଗ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଗଷ୍ଟ ପହିଲାରୁ ଡିସେମ୍ବର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନ ଜାରି ରହିବ ।

ଆରମ୍ଭ ହେଲା ଚେସ୍ ଅଲିମ୍ପିଆଡ

ଚେନ୍ନାଇ: ଆରମ୍ଭ ହେଲା ୪୪ତମ ଅନ୍ତର୍ଜାତୀୟ ଚେସ୍ ଅଲିମ୍ପିଆଡ୍‌ । ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଇଭେଣ୍ଟକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନୀ ସମାରୋହରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଉପସ୍ଥିତ ଥିଲେ । ସାଉଥ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଉଦଘାଟନୀ ସମାରୋହରେ ସାମିଲ ହୋଇଥିଲେ ।

ଉଦଘାଟନୀ ଉତ୍ସବରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ଭାଗ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୨ ଶହ ଦେଶର ପ୍ରାୟ ୨ ହଜାର ଖେଳାଳି ସାମିଲ ହେବେ । ଏହି ସ୍ପେଶାଲ ଇଭେଣ୍ଟ ପାଇଁ ଚେନ୍ନାଇରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ଅନେକ ସ୍ଥାନକୁ ଚେସ୍‌ ଥିମରେ ସଜ୍ଜା ଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ଜୁଲାଇ ୨୮ ଓ ୨୯ ତାରିଖରେ ସହର ମଧ୍ୟରେ ଡ୍ରୋନ୍ ଉଡାଣ ଉପରେ ରୋକ ଲଗାଯାଇଛି । ଏହାସହ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । ଏହି ଅନ୍ତର୍ଜାତୀୟ ଚେସ୍ ଅଲିମ୍ପିଆଡ୍ ଅଗଷ୍ଟ ୧୦ ତାରିଖରେ ଉଦଯାପିତ ହେବ । ଚେସ୍ ଅଲିମ୍ପିଆଡ୍ ଋଷ୍‌ରେ ଅନୁଷ୍ଠିତ ହେବାର ଥିଲା । ମାତ୍ର ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହାକୁ ଭାରତ ସିଫ୍ଟ କରାଯାଇଛି ।

ଅବସର ନେବାର ମାସକ ପରେ ମିଳିବ ପେନସନ୍

ଭୁବନେଶ୍ବର: ଏଣିକି ନିମୟ ଅନୁସାରେ ସରକାରୀ ଚାକିରିରୁ ଅବସର ନେବାର ମାସକ ପରେ ପେନସନ୍ ଦେବାକୁ ଉଦ୍ୟମ କରାଯିବ । ଏକ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରି ଅବସର ନେବାର ମାସକ ପରେ ପେନସନ ପ୍ରଦାନ ବ୍ୟବସ୍ଥା କରାଯିବ । ପେନସନ ଦେବା ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି ଦେଲେ ସୂଚନା । ଆଜି ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପେନସନ୍ ଅଦାଲତରେ ଏଜି ଏହି ସୂଚନା ଦେଇଛନ୍ତି । ଏଥିପାଇଁ ନୂଆ ଟେକ୍ନୋଲୋଜିର ନିଆଯିବ ସହାୟତା ।

ଆକାଉଣ୍ଟାଣ୍ଟ ଜେନେରାଲ ଅଫିସରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପେନସନ୍ ଅଦାଲତରେ ସରକାରୀ ଚାକିରିରୁ ଅବସର ନେଇଥିବା ଲୋକଙ୍କ ଭିଡ଼ । କିଏ ୨୦୦୫ରୁ ଅବସର ନେଲେଣି ତ କିଏ ୧୯୮୫ରୁ । କିନ୍ତୁ ଏଯାଏଁ ପେନସନ ସମସ୍ୟାର ସମାଧାନ ହୋଇନାହିଁ । କିଏ ପ୍ରୋଭିଜନାଲ ପେନସନ୍ ପାଉଛନ୍ତି ତ କିଏ ଫାମିଲି ପେନସନକୁ ଅପେକ୍ଷା କରିଛନ୍ତି । କାହାକୁ ସପ୍ତମ ବେତନ କମିଶନ ଅନୁସାରେ ପେନସନ ମିଳୁନି ତ ପୁଣି କିଏ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ହତାଶ ହେଲେଣି ।

ଯିଏ ଯେଉଁ ବିଭାଗରେ ଥିଲେ ବି ଅବସର ପରେ ତାଙ୍କୁ ପେନସନ୍ ଦେବା ଦାୟିତ୍ବ ମହା-ଲେଖାଗାରଙ୍କର । ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର, ଅବସରର ସୂଚନା ମିଳିବା ମାତ୍ରେ ପେନସନ୍ ଦେବା ବ୍ୟବସ୍ଥା ହେବା କଥା । ଅବସର ନେବାର ମାସକ ମଧ୍ୟରେ ପେନସନ୍ ପାଇବାକୁ କର୍ମଚାରୀ ହକଦାର । ହେଲେ ଏହା ଠିକ୍ ସମୟରେ ହେଉନାହିଁ । ସମସ୍ୟାକୁ ମହା-ଲେଖାଗାର ସ୍ବୀକାର କରିଛନ୍ତି । ବିଭାଗୀୟ ତଥ୍ୟ ବିନିମୟରେ ଥିବା ସମସ୍ୟାରେ ସୁଧାର ସହ ଟେକ୍ନୋଲୋଜିର ବ୍ୟବହାର କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଏଜି ଅନନ୍ତ ବେହେରା ।

ଖୋର୍ଦ୍ଧା ଜିଲ୍ଲାରେ ପେନସନ ସମସ୍ୟା ମାମଲା ଅଢ଼େଇ ହଜାର ଉପରେ । ଅନ୍ୟ ଜିଲ୍ଲାରେ ବି ଏଭଳି ମାମଲା କିଛି କମ୍ ନାହିଁ । ଆଗକୁ ସବୁ ଜିଲ୍ଲା ସ୍ତରରେ ପେନସନ ଅଦାଲତ କରି ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯିବ ।

ଟେକ୍ନୋଲୋଜି ମାଧ୍ୟମରେ ସଭ୍ୟ ସଂଗ୍ରହ କରିବ ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳର ୨୫ ବର୍ଷ ଅବସରରେ ବ୍ୟାପକ ହେବ ସଭ୍ୟ ସଂଗ୍ରହ ଅଭିଯାନ । ଯୁବ ଓ ଛାତ୍ର ବିଜେଡି ଏହି ଦାୟିତ୍ବ ନେଇଛନ୍ତି । ଏଥିପାଇଁ ଏକ ଓ୍ବେବସାଇଟ୍ ଡିଜାଇନ୍ କରାଯାଇଛି । ଯେଉଁଥିରେ ଆବେଦନ କରିବାକୁ ଆପ୍ଲିକେସନ୍ ଖୁବ୍ ଶୀଘ୍ର ଲୋଡ୍‌ କରାଯିବ । ଆପ୍ଲିକେସନର ନାଁ ରହିଛି  bjd25.com । ଏହାକୁ ଲଗ୍ ଇନ୍ କଲେ ବିଜେଡିର ଯୁବ କି ଛାତ୍ର ଓ୍ବିଙ୍ଗରେ ସାମିଲ ହୋଇପାରିବେ ।

ଓ୍ବେବପେଜର ଡିଜାଇନ୍ ସରିଛି । କେବଳ ଅନ୍ୟାନ୍ୟ ଆପ୍ଲିକେସନ୍ ପାଇଁ ହାଇକମାଣ୍ଡଙ୍କ ଅନୁମୋଦନକୁ ଅପେକ୍ଷା କରିଛି ଦଳ । ଏଣିକି ସମ୍ପୂର୍ଣ୍ଣ ଭାବେ ଟେକ୍ନୋଲୋଜି ମାଧ୍ୟମରେ ଯୁବ ଓ ଛାତ୍ରଙ୍କୁ ବିଜେଡିରେ ସାମିଲ କରାଯିବ । ପ୍ରତି ପଞ୍ଚାୟତ ଓ ପୌରାଞ୍ଚଳ ଓ୍ବାର୍ଡରୁ ୨୫ ଜଣଙ୍କୁ ସଦସ୍ୟ କରାଯିବ । ଏଥିରୁ ୧୩ ଜଣ ସଦସ୍ୟ ଯୁବ ଓ୍ବିଙ୍ଗ ଓ ୧୨ ଜଣ ଛାତ୍ର ବିଜେଡିରେ ରହିବେ । ଏଥିସହ କିଛି ପ୍ରତିଷ୍ଠିତ ଲୋକଙ୍କୁ ଇନଫ୍ଲୁଏନସର ଭାବେ ବଛାଯିବ । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ସମ୍ପର୍କରେ ଯୁବ ଓ ଛାତ୍ରଙ୍କୁ ଅବଗତ କରି ସଦସ୍ୟ କରିବେ ।

ସଦସ୍ୟତା ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିବା ପରେ ଛାତ୍ର ଓ ଯୁବ କମିଟିକୁ ନେଇ ସମୀକ୍ଷା କରିଥିଲେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଛାତ୍ର ଓ ଯୁବ ବିଜେଡିର ବ୍ଲକ ସଭାପତି ଓ ଓ୍ବାର୍ଡ ସଭାପତିଙ୍କ ସମେତ ଅନ୍ୟାନ୍ୟ ଦଳୀୟ ପଦାଧିକାରୀ ସଭ୍ୟ ସଂଗ୍ରହ ଅଭିଯାନକୁ ସକ୍ରିୟ କରିବେ । ଆବଶ୍ୟକ ପଡ଼ିଲେ ସେମାନେ ନିଜେ ଛାତ୍ର ଓ ଯୁବକଙ୍କ ପାଖକୁ ଯାଇ ସଦସ୍ୟ କରିବେ ।

ଚଳିତବର୍ଷ ଡିସେମ୍ବର ୨୬ ତାରିଖର ବିଜେଡିକୁ ୨୫ ବର୍ଷ ପୂରିବ । ଏକ ଆଞ୍ଚଳିକ ଦଳ ଭାବେ ନିରଙ୍କୁଶ ଭାବେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକଙ୍କ ସମର୍ଥନ ପାଇ ଆସୁଛି ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଯୋଗୁଁ ଏହା ସମ୍ଭବ ହୋଇଛି ।

କେନ୍ଦ୍ର ଦେଲା ସାର୍ଟିଫିକେଟ, ବିରୋଧୀଙ୍କ ମୁହଁ ବନ୍ଦ

ଭୁବନେଶ୍ବର: ପୁଣି ଓଡ଼ିଶାକୁ କେନ୍ଦ୍ରର ସାର୍ଟିଫିକେଟ । ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇବାରେ ଓଡ଼ିଶାର ରେକର୍ଡ । ଦେଶର ୫ଟି ସର୍ବଶ୍ରେଷ୍ଠ ରାଜ୍ୟ ଭିତରେ ଓଡ଼ିଶା । ଜୀବିକା ମିଶନ, ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପରି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶାକୁ ମିଳିଛି ସଫଳତା ।

କେନ୍ଦ୍ର ଅନୁଦାନ କାର୍ଯ୍ୟକାରୀ କରିବାରେ ରାଜ୍ୟ ବେଶ ଆଗୁଆ । ବିରୋଧୀଙ୍କ ମୁହଁ ବନ୍ଦ କଲା କେନ୍ଦ୍ର ସାର୍ଟିଫିକେଟ । ରାଜ୍ୟର ସଫଳତାକୁ ଖୋଦ କେନ୍ଦ୍ର ସରକାର ଉଜାଗର କରିଛନ୍ତି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି ।

କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ କରିବାରେ ରେକର୍ଡ କରିଛି ଓଡ଼ିଶା । ମନରେଗା ଯୋଜନାରେ ଗତ ସାଢେ ତିନି ବର୍ଷ ଭିତରେ ୧୭ ଲକ୍ଷ ୮୯ ହଜାର ୬୬୭ଟି ପ୍ରକଳ୍ପ ଶେଷ ହୋଇଛି । ଯେଉଁଥି ପାଇଁ ସାରାଦେଶରେ ଓଡ଼ିଶା ଟପ ଫାଇଭ ରାଜ୍ୟ ଭିତରେ ସ୍ଥାନ ପାଇଛି । ଏପରିକି କୋଭିଡ ମହାମାରୀ ଦୁଇବର୍ଷରେ ବି ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ମନରେଗା ହିତାଧିକାରୀଙ୍କୁ କର୍ମ ସଂସ୍ଥାନ ଯୋଗାଇବାରେ ରାଜ୍ୟ ରେକର୍ଡ କରିଛି ।

ଓଡ଼ିଶାରେ 5T ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ ହେବାପରଠାରୁ ପୂର୍ବଭଳି ଡେଡଲାଇନ ଭିତରେ ପ୍ରତ୍ୟେକ ଯୋଜନା କାର୍ଯ୍ୟକାରି ହେଉଛି । କେନ୍ଦ୍ର ସରକାର ସିଏସ୍ଏସ ଯୋଜନାରେ ରାଜ୍ୟ ଦେଉଛି ୪୦ ପ୍ରତିଶତ ଅର୍ଥ । ଯେଉଁଥି ପାଇଁ ଆର୍ଥିକ ବୋଝ ସତ୍ତ୍ବେ ବି ଓଡ଼ିଶା ସରକାର ଲୋକଙ୍କୁ ମୌଳିକ ସେବା ଯୋଗାଇବାକୁ ସିଏସ୍ଏସର ସଫଳ ରୂପାୟନ ପାଇଁ ବଜେଟରେ ଅଗ୍ରାଧିକାର ଦେଉଛନ୍ତି । ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ଯ୍ୟକାରୀ କରିବାରେ ଦେଶରେ ଓଡ଼ିଶା ରେକର୍ଡ କରିଛି । ଖୋଦ କେନ୍ଦ୍ରମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ୧୭ ହଜାର ୯୨୯ଟି ରାସ୍ତାରୁ ଗତ ୨୨ ତାରିଖ ସୁଦ୍ଧା ୧୬ ହଜାର ୫୪୯ଟି ରାସ୍ତା ସମ୍ପୂର୍ଣ୍ଣ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁମୋଦିତ ସଂଖ୍ୟାଠାରୁ ଚଳିତମାସ ୨୩ ତାରିଖ ସୁଦ୍ଧା ୫୦ ପ୍ରତିଶତ ଘର ସମ୍ପୂର୍ଣ୍ଣ ହୋଇଛି ।

ବିଦ୍ୟାଳୟ ରୂପାନ୍ତରଣ ନେଇ ଓଡ଼ିଶା ସରକାରଙ୍କ ପଦକ୍ଷେପ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ସାଉଁଟିଛି । ବାଳକ ଓ ବାଳିକାଙ୍କ ପାଇଁ ମୌଳିକ ସୁବିଧା କଥା ହେଉ କି ଶିକ୍ଷା ବିକାଶ ନେଇ ଭିତ୍ତିଭୂମି ନେଇ କେନ୍ଦ୍ର ସରକାର ବି ତାଜୁବ ହେଲେଣି ।

ନଭେମ୍ବର ୩୦ ତାରିଖରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ । ଏଥିପାଇଁ ଆଜି IPICOL ଓ FICCI ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଦେଶ ତଥା ଦେଶ ବାହାରୁ ପୁଞ୍ଜିପତିମାନେ ଯୋଗଦେବେ ।

ଏମଓୟୁ ସ୍ବାକ୍ଷର ସମାରୋହରେ ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ଶିଳ୍ପ ବିଭାଗର ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଫିକିର ମହାନିର୍ଦ୍ଦେଶକ ଅରୁଣ ଚାଓ୍ବଲା ପ୍ରମୁଖ ଉପସ୍ଥିତ ଥିଲେ । 2016ରେ ପ୍ରଥମ ମେକ୍ ଇନ୍ ଓଡିଶା କନକ୍ଳେଭ ହୋଇଥିଲା । ସେଥିରେ 2 ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପାଇଁ ପ୍ରତିଶ୍ରୁତି ମିଳିଥିଲା । ଏଥିରେ 5000ରୁ ଅଧିକ ପ୍ରତିନିଧି ଭାଗ ନେଇଥିଲେ । ସେହିଭଳି ୨୦୧୮ରେ ଦ୍ବିତୀୟ ସଂସ୍କରଣରେ 4 ଲକ୍ଷ 19 ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିଥିଲା ।

ଚଳିତବର୍ଷ କନକ୍ଲେଭ୍‌ର ଲକ୍ଷ୍ୟ ହେଉଛି ସମସ୍ତ ଆଶାକୁ ଅତିକ୍ରମ କରିବା ଏବଂ ଓଡିଶାକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେବା ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି । ଏହାସହ ଆମର ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ୍ ସୁବିଧା ଯୋଗୁଁ ଓଡ଼ିଶା ଧାତୁ ଏବଂ ସହଯୋଗୀ କ୍ଷେତ୍ରଗୁଡିକର ଶିଳ୍ପ ପାଇଁ ପସନ୍ଦର ସ୍ପଟ ପାଲଟିଛି ବୋଲି ସେ କହିଛନ୍ତି । ରାସାୟନିକ ପଦାର୍ଥ ଏବଂ ପେଟ୍ରୋକେମିକାଲ୍ସ, ବୟନ ଶିଳ୍ପ ଓ ପୋଷାକ ପରି ସେକ୍ଟର ସହିତ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମକୁ ବ୍ୟାପକ କରିବା ପାଇଁ ସରକାର ସକ୍ରିୟ ଭାବରେ ପଦକ୍ଷେପ ନେଇଛନ୍ତି । ପୂର୍ବ ଦୁଇଟି ସଂସ୍କରଣରେ ଭାଗ ନେଇଥିବା ୫୩ ପ୍ରତିଶତ ପୁଞ୍ଜି ନିବେଶକାରୀ ଓଡିଶାରେ ସେମାନଙ୍କର ଶିଳ୍ପ ଆରମ୍ଭ କଲେଣି ବୋଲି ସେ କହିଛନ୍ତି ।

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହ ରୋଜଗାର ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟ । ସେଥିପାଇଁ ରାଜ୍ୟକୁ କିଭଳି ପୁଞ୍ଜିପତିମାନେ ଆସିବେ ସେ ନେଇ ମେକ ଇନ୍ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।