spot_img
Home Blog Page 4012

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ମହଙ୍ଗା ଭତ୍ତା ୩ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପୂଜା ଭେଟି। ମହଙ୍ଗା ଭତ୍ତା ୩ପ୍ରତିଶତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାକୁ ଚଳିତ ବର୍ଷ ଜାନୁଆରୀ ପହିଲାରୁ ପିଚ୍ଛିଲା ଭାବରେ ଲାଗୁ କରାଯାଇଛି ।

ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀଙ୍କ ଟିଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । କର୍ମଚାରୀ ଓ ପେନ୍‌ସନଭୋଗୀ ମାନେ ଚଳିତ ମାସର ଦରମାରେ ଏହି ବର୍ଦ୍ଧିତ ଭତ୍ତା ପାଇବେ । ଏଥିସହ ୨୦୨୨ ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ଦିଆଯିବ । ଏହାଦ୍ବାରା ରାଜ୍ୟ ସରକାରଙ୍କ ୪ଲକ୍ଷ କର୍ମଚାରୀ ଓ ୩.୫ ଲକ୍ଷ ପେନ୍‌ସନଭୋଗୀ ଉପକୃତ ହେବେ ।

ବଡ଼ ମେଡିକାଲରେ ମଦ ପିଇବା ମହଙ୍ଗା ପଡ଼ିଲା, ନିଲମ୍ବିତ ହେଲେ ଲିଫ୍ଟ ଅପରେଟର

କଟକ ଏସସିବି ମେଡିକାଲରେ ଡ୍ୟୁଟି ସମୟରେ ମଦ ପିଇବା ପଡ଼ିଲା ମହଙ୍ଗା । ଲିଫ୍ଟ ଅପରେଟର ସନ୍ତୋଷ ଦାସଙ୍କୁ ସସପେଣ୍ଡ କଲେ ଏସସିବି କର୍ତ୍ତୃପକ୍ଷ । ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ ଏହି ସୂଚନା ଦେଇଛନ୍ତି । ଦୁର୍ଘଟଣାଜନିତ କାଜୁଆଲଟିର ରିସେପସନରେ ଡ୍ୟୁଟି ସମୟରେ ଲିଫ୍ଟ ଅପରେଟର ସନ୍ତୋଷ ବିଅର ପିଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ପାଖରେ ଜଣେ ମହିଳା ବସିଥିଲେ ମଧ୍ୟ ବାବୁଙ୍କର ଖାତିର ନଥିଲା । ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲା । ତଦନ୍ତ ପରେ ଲିଫ୍ଟ ଅପରେଟର ସନ୍ତୋଷ ଦାସଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି ।

ଅଟୋ ଡ୍ରାଇଭରଙ୍କ ଭାଗ୍ୟ ଖୋଲିଲା, ଲଟେରୀରେ ଜିତିଲେ ୨୫ କୋଟି ଟଙ୍କା

ଥିରୁଅନନ୍ତପୁରମ: ଅଟୋ ଡ୍ରାଇଭରଙ୍କ ବଦଳିଲା ଭାଗ୍ୟ । ଲଟେରୀରେ ଜିତିଲେ ୨୫ କୋଟି ଟଙ୍କା । କେରଳ ଥିରୁଅନନ୍ତପୁରମର ଶ୍ରୀବରହମରେ ରହୁଥିବା ଅନୁପ ଶନିବାର ରାତିରେ ଏହି ଲଟେରୀ କିଣିଥିଲେ, ଯାହାର ଫଳାଫଳ ରବିବାର ଘୋଷଣା କରାଯାଇଥିଲା । ଅନୁପଙ୍କ ନାଁରେ ୨୫ କୋଟି ଟଙ୍କା ଉଠିଛି । ତେବେ ଟ୍ୟାକ୍ସ କଟିବା ପରେ ଅନୁପଙ୍କୁ ୧୫.୭୫ କୋଟି ଟଙ୍କା ମିଳିବ । ୩୦ ବର୍ଷୀୟ ଅନୁପ ଅଟୋରିକ୍ସା ଚଳାଇବା ପୂର୍ବରୁ ଏକ ହୋଟେଲରେ ସେଫ ଭାବରେ କାର୍ଯ୍ୟ କରୁଥିଲେ ଏବଂ ପୁଣିଥରେ ମାଲେସିଆ ଯିବାର ପ୍ରସ୍ତୁତି କରୁଥିଲେ । ମାଲେସିଆ ଯିବା ପାଇଁ ତାଙ୍କ ବ୍ୟାଙ୍କ ଲୋନ୍ ମଧ୍ୟ ମଞ୍ଜୁର ହୋଇଯାଇଥିଲା ।

ଏହାପରେ ସେ ୫୦୦ ଟଙ୍କାରେ ଲଟେରୀ ଟିକେଟ କିଣିଥିଲେ, ଯେଉଁଥିରେ ତାଙ୍କର ବମ୍ପର ଲଟେରୀ ଲାଗିଛି । ବ୍ୟାଙ୍କରୁ ଲୋନ୍ ମଞ୍ଜୁର ହେବାର ଗୋଟିଏ ଦିନ ପରେ ତାଙ୍କ ଭାଗ୍ୟ ବଦଳିଯାଇଛି । ଏବେ ସେ ଆଉ କାମ କରିବା ପାଇଁ ମାଲେସିଆ ଯିବେନାହିଁ ବୋଲି କହିଛନ୍ତି । ଏହି ଅର୍ଥରେ ନିଜର ବିଜନେସ୍ ଆରମ୍ଭ କରିବା ସହ ଘର ତିଆରି କରିବା ପାଇଁ ଯୋଜନା ରଖିଛନ୍ତି ଅନୁପ । ଦୀର୍ଘ ବର୍ଷ ୨୨ ଧରି ସେ ଲଟେରୀ ଟିକେଟ କିଣୁଥିବା ବେଳେ ହଜାରେ, ୨ହଜାର ଟଙ୍କାର ପୁରସ୍କାର ଜିତିଥିଲେ । ହେଲେ ଉଇନିଂ ଆମାଉଣ୍ଟ କେବେ ଜିତି ନଥିଲେ ବୋଲି ଅନୁପ କହିଛନ୍ତି । ପ୍ରଥମେ ମୋବାଇଲକୁ ମ୍ୟାସେଜ ଆସିବା ପରେ ବିଶ୍ୱାସ କରିପାରିନଥିଲେ ।

ଚଳିତ ବର୍ଷର ବମ୍ପର ଉପହାର କେରଳ ଇତିହାସରେ ଏଯାବତ ସବୁଠୁ ବଡ଼ ଉପହାର ଅଟେ । ପ୍ରଥମ ଉପହାରରେ ୨୫ କୋଟି, ଦ୍ୱିତୀୟରେ ୫ କୋଟି ଏବଂ ତୃତୀୟ ଉପହାର ରୂପରେ ୧୦ ଜଣଙ୍କୁ ୧କୋଟି ଲେଖାଏଁ ଦିଆଯାଇଛି । ଚଳିତ ବର୍ଷ କେରଳରେ ୬୭ ଲକ୍ଷ ଓନାମ ବମ୍ପର ଲଟେରୀ ଟିକେଟ୍ ପ୍ରିଣ୍ଟ କରାଯାଇଥିଲା, ସେଥିମଧ୍ୟରୁ ପ୍ରାୟ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିଲା । ସୂଚନାଥାଉକି, ଗତବର୍ଷ ମଧ୍ୟ ୧୨କୋଟି ଟଙ୍କାର ଲଟେରୀ ଜଣେ ଅଟୋ ଚାଳକ ଜିତିଥିଲେ ।

ଯୋଗୀ ସରକାର ବିରୋଧରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ବିଶାଳ ପଦଯାତ୍ରା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୌସୁମୀ ଅଧିବେଶନ ପୂର୍ବରୁ ବିରୋଧୀଙ୍କ ହଙ୍ଗାମା । ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ପଦଯାତ୍ରା । ୟୁପିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ବେରୋଜଗାରୀ, ଦରଦାମ ବୃଦ୍ଧି, ମହିଳା ବିରୋଧୀ ହିଂସା ବୃଦ୍ଧି ଆଦିକୁ ବିରୋଧ କରି ସମାଜବାଦୀ ପାର୍ଟି ପକ୍ଷରୁ ପଦଯାତ୍ରାର ଆୟୋଜନ କରାଯାଇଛି । ସପା ବିଧାୟକମାନେ ପଦଯାତ୍ରା କରି ବିଧାନସଭା ଗେଟ୍‌ ନିକଟରେ ପହଞ୍ଚିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି ।

ଦଳୀୟ ବିଧାୟକଙ୍କ ସହ ଅଖିଳେଶ ଯାଦବ ମଧ୍ୟ ପଦଯାତ୍ରାରେ ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ କରି ବିଧାୟକଙ୍କୁ ପୋଲିସ ଅଟକାଇଥିବା ବେଳେ ବିଧାୟକମାନେ ରାସ୍ତା ଉପରେ ବସି ପ୍ରତିବାଦ କରିଛନ୍ତି । ସାରାରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ବେଳେ ମିଛ କେସରେ ଲୋକଙ୍କୁ ଫସାଯାଉଛି ।

ଲୋକଙ୍କ ଦାବିକୁ ବିଧାନସଭାରେ ଉଠାଇବାକୁ ବିଧାୟକମାନେ ପଦଯାତ୍ରାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିବା ଦଳ ଅଭିଯୋଗ ହୋଇଛି । ସମାଜବାଦୀ ପାର୍ଟିର ପଦଯାତ୍ରା ପାଇଁ ଲକ୍ଷ୍ନୗ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେପଟେ ପଦଯାତ୍ରା ନାଁରେ ସମାଜବାଦୀ ବିଧାୟକ ଫଟୋ ସେସନ ଚଳାଇଛନ୍ତି ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ।

ଆଜି ବିଜେପିରେ ସାମିଲ ହେବେ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ଆଜି ବିଜେପିରେ ସାମିଲ ହେବେ କ୍ୟାପଟେନ । ପଦ୍ମ ଧରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂ । ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହେବେ । କ୍ୟାପଟେନଙ୍କ ସହ ୭ ଜଣ ବିଧାୟକ ଓ ଜଣେ ପୂର୍ବତନ ଏମପି ବିଜେପିରେ ସାମିଲ ହେବେ ।

ବିଜେପିରେ ସାମିଲ ହେବା ସହ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ମଧ୍ୟ ବିଜେପିରେ ବିଲୀନ ହେବ । ଲଣ୍ଡନରୁ ସ୍ପାଇନାଲ ସର୍ଜରୀ କରି ଫେରିବା ପରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ କ୍ୟାପଟେନ । ୨୦୨୧ ସେପ୍ଟେମ୍ବରରେ କ୍ୟାପଟେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା କଂଗ୍ରେସ ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ପଞ୍ଜାବ ଲୋକ କଂଗ୍ରେସ ନାମରେ ଦଳ ଗଢ଼ିଥିଲେ କ୍ୟାପଟେନ । ହେଲେ ବିଧାନସଭା ନିର୍ବାଚନରେ ସେ ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇନଥିଲେ । ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଷ୍ଣୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ତଥା ଧାମନଗର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଆଜି ସକାଳେ ନିଧନ ଘଟିଛି । ରାଜନୈତିକ ମହଲରେ ତାଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁକୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତି କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକ ବ୍ୟକ୍ତ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ କରି ଲେଖିଛନ୍ତି ‘ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦାନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମାନ କରୁଛି ।’

ଚଣ୍ଡିଗଡ଼ ଭିଡିଓ ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୨ ୱାର୍ଡେନ ସସ୍ପେଣ୍ଡ

ମୋହାଲି: ପଞ୍ଜାବର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏମଏମଏସ ଭିଡିଓ ଭାଇରାଲ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ମୋହାଲିରେ ଛାତ୍ରୀମାନଙ୍କ ଭାଇରାଲ୍ ଭିଡିଓ ମାମଲା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହଷ୍ଟେଲର ଦୁଇ ୱାର୍ଡେନଙ୍କୁ ନିଲମ୍ବିତ କରିଦେଇଛି । ଏମାନଙ୍କ ମଧ୍ୟରେ ଜଣେ ୱାର୍ଡେନ ଭାଇରାଲ୍ ହୋଇଥିବା ଭିଡିଓରେ ନଜର ଆସିଥିଲେ, ଯିଏକି ଅଭିଯୁକ୍ତ ଛାତ୍ରୀଙ୍କୁ ଭର୍ତ୍ସନା କରୁଥିଲେ । ଏଥିସହିତ କ୍ୟାମ୍ପସକୁ ଛଅ ଦିନ ପାଇଁ ବନ୍ଦ କରିଦିଆଯାଇଛି ।

ସୂଚନାଥାଉକି, ଜଣେ ଛାତ୍ରୀ ନିଜ ସହପାଠୀ ଛାତ୍ରୀଙ୍କ ଗାଧୋଇବା ସମୟର ୫୦ ରୁ ୬୦ ଭିଡିଓ କ୍ଲିପ ରେକର୍ଡ କରି ବଏଫ୍ରେଣ୍ଡକୁ ପଠାଇଥିଲା । ଏହାପରେ ଉକ୍ତ ଯୁବକ ଜଣଙ୍କ ଭିଡିଓ କ୍ଲିପଗୁଡିକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ କରିଦେଇଥିଲା । ଯାହାପରେ ଘଟଣାକୁ ନେଇ ତୁମୁଳାକାଣ୍ଡ ଘଟିଥିଲା । ଅନେକ ଛାତ୍ରୀ ଲୋକଲଜ୍ୟା ଡରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ନ୍ୟାୟ ଦାବିରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଛାତ୍ରୀ ଓ ସିମଲାର ଜଣେ ଯୁବକଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରୁଛି । ଛାତ୍ରଛାତ୍ରୀମାନଙ୍କ ସବୁ ଦାବି ପ୍ରଶାସନ ମାନିବା ପରେ ଗତକାଲି ବିଳମ୍ବିତ ରାତିରେ ଆନ୍ଦୋଳନ ସମାପ୍ତ କରାଯାଇଛି ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନିଧନ, ୬୧ ବର୍ଷ ବୟସରେ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କଲେ

ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ପରଲୋକ । ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମାତ୍ର ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଧାମନଗର ବିଜେପି ବିଧାୟକ ଥିଲେ ବିଷ୍ଣୁ ସେଠୀ । କିଡନୀ ରୋଗରେ ପୀଡ଼ିତ ହୋଇ ICUରେ ଭର୍ତ୍ତି ହୋଇଥିଲେ । ପ୍ରାୟ ଏକମାସ ହେବ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଆଜି ସକାଳ ୭ଟା ୪୫ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ନେଇ ମେଡିକାଲ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ପ୍ରଭାତ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି । ତାଙ୍କ ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ରାଜ୍ୟ ବିଜେପି ଓ ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ।

ରୋକ୍ ଠୋକ୍ ନେତା ଭାବେ ସେ ଜଣାଯାଉଥିଲେ । ଅସମୟରେ ତାଙ୍କର ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି । ପ୍ରଥମେ ଚାନ୍ଦବାଲି ଓ ପରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜନେତା ସହ ଜଣେ ଲେଖକ ଓ ସାହିତ୍ୟିକ ଭାବେ ସେ ପରିଚିତ ଥିଲେ । ଭଦ୍ରକ ଜିଲ୍ଲା ତିହିଡିରେ ୧୯୬୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ରାଜନୈତିକ ଯାତ୍ରା କଥା ଦେଖିବାକୁ ଗଲେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୨୦୦୪ରେ ଏହି ଆସନରୁ ସେ ପରାଜିତ ହୋଇଯାଇଥିଲେ । ୨୦୦୬ ମସିହାରେ ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯ ଏବଂ ୨୦୧୪ରୁ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ହେଲେ ଦୁଇଥର ଯାକ ପରାଜିତ ହୋଇଥିଲେ । ଗତ ନିର୍ବାଚନ ଅର୍ଥାତ ୨୦୧୯ରେ ଧାମନଗର ଆସନରୁ ଶେଷରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଭୟଙ୍କର ହେଉଛି ରୁଷ୍-ୟୁକ୍ରେନ ଯୁଦ୍ଧ: ୟୁକ୍ରେନର ବିଭିନ୍ନ ସହର ଶ୍ମଶାନ ପାଲଟିଛି

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ଥମିନଥିବା ବେଳେ ଏବେ ୟୁକ୍ରେନ୍ରେ ଶ୍ମଶାନର ସଂଖ୍ୟା ବଢିଚାଲିଛି । ୟୁକ୍ରେନର ବିଭିନ୍ନ ସହରରେ ଚଳଚଞ୍ଚଳ ସ୍ଥାନ ଗୁଡିକ ଏବେ ପାଲଟିଛି ଶ୍ମଶାନ । ନିଜର ପ୍ରୀୟଜନଙ୍କୁ ହରାଇ ଲୋକେ ଯେକୌଣସି ସ୍ଥାନରେ ଅନ୍ତିମ କ୍ରିୟା କରୁଛନ୍ତି । ଶହ ଶହ ଶବକୁ ଗୋଟିଏ ସ୍ଥାନରେ ଋଷ୍ ସେନା ପୋତି ଦେଇଥିବା ବେଳେ ଏବେ ସେଗୁଡିକ କଢା ଯାଇ ପୁଣି ଥରେ ଅନ୍ତିମକ୍ରିୟା କରୁଛନ୍ତି ୟୁକ୍ରେନ୍ ବାସୀ ।

ବଡ଼ ବଡ଼ ପାର୍କ ଏବେ ଶ୍ମଶାନ ପାଲଟିଥିବା ବେଳେ ଯାଗାର ଅଭାବ ପଡୁଛି । ଜଙ୍ଗଲ କାଟି ମୃତଦେହକୁ ସମାଧି ଦିଆଯାଉଛି । ୟୁକ୍ରେନ୍ରେ ଏଭଳି ସ୍ଥିତି ପାଇଁ ଋଷ୍କୁ ଦାୟୀ କରିଛନ୍ତି ବିଭିନ୍ନ ଦେଶ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଋଷକୁ ସମାଲୋଚନା କରିବା ସହ ଏଭଳି ଓ୍ବାର କ୍ରାଇମ ପାଇଁ ଜବାବ ଦେବାକୁ ପଡିବ ବୋଲି କହିଛନ୍ତି । ଭବିଷ୍ୟତ ପିଢି କେବେ ବି ଋଷ୍କୁ କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ସମାଲୋଚନା କରିଛନ୍ତି ।

ଅର୍ଥ ହେରଫେର ମାମଲାରେ ଆଜି ପୁଣି ଦିଲ୍ଲୀ ପୋଲିସରେ ହାଜର ହେବେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍

ନୂଆଦିଲ୍ଲୀ: ୨୦୦ କୋଟି ଅର୍ଥ ହେରଫେର ମାମଲାରେ ଆଜି ପୁଣି ଦିଲ୍ଲୀ ପୋଲିସରେ ହାଜର ହେବେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ଠକ ସୁକେଶ ଚନ୍ଦ୍ର ଶେଖର ଦେଇଥିବା ଗିଫ୍ଟ ଏବଂ ଅର୍ଥ ସହାୟତା ଉପରେ ଜେରା କରାଯିବ । ସୁକେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ ଜ୍ୟାକଲିନ୍ ପର୍ଣ୍ଣାଡିସ୍ । ତାକୁ ନେଇ ମଧ୍ୟ ପଚରାଉଚରା ହେବ ।

ଠକକୁ ପ୍ରେମ କରି ମନର ରାଜକୁମାର ଭାବୁଥିଲେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ । ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ନଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଜ୍ୟାକଲିନ୍ ସୁକେଶକୁ ବିବାହ କରିବାକୁ ଚାହୁଁଥିଲେ । ସୁକେଶଙ୍କ ଅପରାଧ ବିଷୟରେ ଜାଣି ସୁଦ୍ଧା ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

ହେଲେ ନୋରା ଫତେହିଙ୍କ ସହ ସୁକେଶଙ୍କ ସମ୍ପର୍କ ରହିଥିବା ସନ୍ଦେହ ପରେ ଆଉ ସମ୍ପର୍କ ରଖିନଥିଲେ ଜ୍ୟାକଲିନ୍ ।  ଅର୍ଥନୈତିକ ଅପରାଧ ଶାଖାର ସ୍ୱତନ୍ତ୍ର ପୋଲିସର କହିବାନୁଯାୟୀ, ଜ୍ୟାକଲିନ୍ ସୁକେଶଙ୍କ ଅପରାଧ ବିଷୟରେ ଜାଣିବା ପରେ ବି ସମ୍ପର୍କ ଭାଙ୍ଗିନଥିଲେ । ନୋରାଙ୍କୁ ସନ୍ଦେହ ହେବା ମାତ୍ରେ ସେ ସୁକେଶଙ୍କ ଠାରୁ ଦୂରେଇଯାଇଥିଲେ ।