ପୁଣି ଖୋଲିବ ଜୟଲଳିତାଙ୍କ ଡେଥ ଫାଇଲ୍, ଅଡୁଆରେ ଶଶୀକଳା

1 min read

ଚେନ୍ନାଇ: AIADMKର ବହିଷ୍କୃତ ନେତା ଶଶୀକଳାଙ୍କ ବଢିଲା ଅଡୁଆ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛର ଖଳନାୟିକା କି ଶଶୀକଳା ? କ୍ଷମତା ହାସଲ ପାଇଁ ବନ୍ଧୁ ତଥା ସହଯୋଗୀ ଜୟଲଳିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ  ସେ ହଟାଇ ଦେଇଥିଲେ କି ? ଏମିତି ଅନେକ ପ୍ରଶ୍ନ ଭିତରେ ଏବେ ଜୟଲଳିତା ମୃତ୍ୟୁ ରହସ୍ୟ । ଦୀର୍ଘ ୬ ବର୍ଷ ପରେ ତଦନ୍ତ ସୁପାରିଶ କରି ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଛନ୍ତି ଅରୁମୁଗାସ୍ବାମୀ କମିଶନ ଅଫ ଇନକ୍ୱାରୀ । ଶଶୀକଳା, ଜୟଲଳିତାଙ୍କ ବ୍ୟକ୍ତିଗତ ଡାକ୍ତର କେ. ଶିବକୁମାର, ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସି ବିଜୟ ଭାସ୍କର ଓ ସଚିବ ରାଧାକ୍ରିଷ୍ଣନଙ୍କ ଭୁମିକାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସୁପାରିଶ କରିଛନ୍ତି ସିଓଆଇ । ଯାହାର ଉତ୍ତର ଦେବାକୁ ଯାଇ ଶଶୀକଳା କହିଛନ୍ତି ମୁଁ ସବୁ ତଦନ୍ତକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛି  ।

ଗତ ଅଗଷ୍ଚରେ ଅବସରପ୍ରାପ୍ତ ଜଷ୍ଟିସ ଅରୁମୁଗାସ୍ବାମୀ ଜୟଲଳିତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ମୁ୍ଖ୍ୟମନ୍ତ୍ରୀ ଷ୍ଟାଲିନକୁ ୫ ବର୍ଷ ପରେ ରିପୋର୍ଟ ପ୍ରଦାନ କରିଥିଲେ । ୨୦୧୬ରେ ଜୟଲଳିତାଙ୍କ ହସ୍ପିଟାଲରେ ଭର୍ତ୍ତି ପ୍ରକ୍ରିୟାଠୁ ମୃତ୍ୟୁକୁ ନେଇ ଜୋର୍‌ ଧରିଥିଲା ବିବାଦ । ରାଜନୈତିକ ମହଲରେ ସେତେବେଳେ ଏହାକୁ ଷଡଯନ୍ତ୍ରର ଆଖ୍ୟା ଦେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନିରସିଲଭମ ଜୟଲଳିତାଙ୍କ ମୃତ୍ୟୁ କାରଣ ତଦନ୍ତ କରିବା ପାଇଁ ଦାବି ମଧ୍ୟ କରିଥିଲେ । ଯାହାପରେ ଅରୁମୁଗାସ୍ବାମୀ କମିଶନଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା ।

ଅରୁମୁଗାସ୍ବାମୀ କମିଶନ ତାମିଲ ଭାଷାରେ ୬୦୮ ପୃଷ୍ଠା ଓ ଇଂରାଜୀରେ ୫୦୦ ପୃଷ୍ଠା ସମ୍ବଳିତ ଫାଇନାଲ ରିପୋର୍ଟ ଦାଖଲ କରିଥିଲେ । ୧୫୯ ସାକ୍ଷ୍ୟଙ୍କ ବୟାନ ଅନୁସାରେ ରିପୋର୍ଟ ଦାଖଲ କରିଥିଲେ କମିଶନ ।

ଅପରପକ୍ଷେ ଏମ୍ସ ଡାକ୍ତରଙ୍କ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସ୍ୱର୍ଗତ ଜୟଲଳିତାଙ୍କୁ ଦିଆଯାଇଥିବା ଚିକିତ୍ସାରେ କୌଣସି ତୃଟି ପରିଲିଖିତ ହୋଇନଥିଲା । ଯେଉଁଥିପାଇଁ ସେତେବେଳେ ଆପୋଲୋ ହସ୍ପିଟାଲକୁ କ୍ଲିନ୍‌ ଚିଟ୍ ମିଳିଯାଇଥିଲା । ଅସୁସ୍ଥତା ପରେ ଜୟଲଳିତାଙ୍କୁ ଆପୋଲୋରେ ଭର୍ତ୍ତି କରାଯାଇଥିଲା ।

ସେହିପରି ପୂର୍ବତନ ମୁଖ୍ୟ ଶାସନ ସଚିବ ରାମା ମୋହନ ରାଓ ଏବଂ ଦୁଇ ଜଣ ଡାକ୍ତର ଡାକ୍ତର ଓ୍ବାଇଭିସି ରେଡ୍ଡୀ ଏବଂ ଡ ବାବୁ ଆବ୍ରାହମଙ୍କ ବିରୋଧରେ ତଦନ୍ତ କରିବାକୁ ସୁପାରିଶ କରିଛି ଅରୁମୁଗାସ୍ବାମୀ କମିଶନ । କିନ୍ତୁ ଜୟଲଳିତାଙ୍କ ମୃତ୍ୟୁରେ ଡାକ୍ତରଙ୍କ ସମ୍ପୃକ୍ତି ନେଇ ରିପୋର୍ଟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ଆପୋଲୋ ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ପ୍ରତାପ ସି ରେଡ୍ଡୀଙ୍କ ବିରୋଧରେ ତଦନ୍ତ ହେବ କି ନାହିଁ ତାମିଲନାଡୁ ସରକାର ନିଷ୍ପତ୍ତି ନେବେ ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି କମିଶନ ।