ଚ୍ୟାଲେଞ୍ଜ ହାରିଲେ ଗଡ଼କାରୀ: ୩୨ କେଜି ଓଜନ କମାଇ ୨୩ ଶହ କୋଟିର ପ୍ରୋଜେକ୍ଟ ମାଗିଲେ ଅନିଲ

ଉଜ୍ଜୟନୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କାରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ୩୨ କେଜି ଓଜନ କମାଇଲେ ଉଜ୍ଜୟନୀର ବିଜେପି ସାଂସଦ ଅନିଲ ଫିରୋଜିଆ । ଦାବି କଲେ ୨୩ ଶହ କୋଟି ଟଙ୍କାର ପ୍ରୋଜେକ୍ଟ । ଏନେଇ ଅନିଲ ନିଜ ଇନଷ୍ଟାଗ୍ରାମ ପେଜରେ ତାଙ୍କର ଏକ ଏକ୍ସରସାଇଜ୍ ଫଟୋ ପୋଷ୍ଟ କରି ଏମିତି ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ନିଜ ଅଞ୍ଚଳର ଉନ୍ନୟନ କାମର କିଛି ପ୍ରୋଜେକ୍ଟ ନେଇ ଅନିଲ ଗଡ଼କାରୀଙ୍କୁ ଭେଟିଥିଲେ । ସେ ସମୟରେ ତାଙ୍କ ଓଜନ ବହୁତ ଅଧିକ ଥିଲା । ଅନିଲଙ୍କ ପ୍ରୋଜେକ୍ଟ ଦେଖିବା ପରେ ଗଡ଼କାରୀ ତାଙ୍କୁ ଓଜନ କମାଇବାକୁ କହିଥିଲେ । ଏହାସହ ସେ ଚ୍ୟାଲେଞ୍ଜ ଦେଇଥିଲେ, ଓଜନ କମାଇ ଦେଖାଅ, ତୁମ ଉନ୍ନୟନ ପ୍ରୋଜେକ୍ଟକୁ କ୍ଲିୟରାନ୍ସ ମିଳିବ । ଗଡ଼କାରୀଙ୍କ ଏହି ଚ୍ୟାଲେଞ୍ଜକୁ ଅନିଲ ଗ୍ରହଣ କରି ସେଠାରୁ ଫେରି ଆସିଥିଲେ ।

ଏହାପରେ ଅନିଲ ନିଜ ଓଜନ କମାଇବା ପାଇଁ ଝାଳ ବୁହା ପରିଶ୍ରମ ଆରମ୍ଭ କରି ଦେଇଥିଲେ । ବ୍ୟାୟାମ କରିବା ସହ ହାଲକା ଖାଇବା ନେବା ଆରମ୍ଭ କରିଥିଲେ । ଏବେ ସେ ପରିଶ୍ରମର ଫଳ ପାଇଛନ୍ତି । ଏକ୍ସରସାଇଜ କରି ସେ ୩୨ କେଜି ଓଜନ କମାଇ ପାରିଛନ୍ତି ।

ଏହାପରେ ସେ କେନ୍ଦ୍ରମନ୍ତ୍ରୀ ଗଡ଼କାରୀଙ୍କ ଭେଟି ଓଜନ କମାଇବା କଥା କହିଥିଲେ । ଏହା ମଧ୍ୟ ତାଙ୍କ ଶରୀରରୁ ଦିଶି ଯାଉଥିଲା । ଚ୍ୟାଲେଞ୍ଜ ଗ୍ରହଣ କରି ଅନିଲ ଓଜନ କମାଇ ଥିବାରୁ ଗଡ଼କାରୀ ଖୁସି ବ୍ୟକ୍ତି କରିଥିଲେ ।

ଅନିଲଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ୟୁଜର୍ସଙ୍କ କମେଣ୍ଟ ଆସିବାରେ ଲାଗିଛି । ବହୁ ୟୁଜର୍ସ ଏବେ ନୀତୀନ ଗଡ଼କାରୀଙ୍କୁ ତାଙ୍କ କଥା ରଖିବାକୁ ପରାମର୍ଶ ଦେଇଛନ୍ତି । ଉନ୍ନୟନ କାମ ପାଇଁ ୨୩ ଶହ କୋଟି ଟଙ୍କାର ପ୍ରୋଜେକ୍ଟକୁ ମଞ୍ଜୁରୀ ଦେବାକୁ ବହୁ ୟୁଜର୍ସ କମେଣ୍ଟ କରିଛନ୍ତି ।