ଖଡଗେଙ୍କ ଅକୁହା କାହାଣୀ, ଆଖି ସାମନାରେ ମାଙ୍କୁ ପୋଡି ହତ୍ୟା କରିଥିଲେ ଦୁର୍ବୃତ୍ତ

ବେଙ୍ଗାଲୁରୁ: ପାଖାପାଖି ୭ ହଜାର ଭୋଟରେ ପ୍ରତିଦ୍ବନ୍ଦୀଙ୍କୁ ହରାଇ ଏଆଇସିସି ବାଜି ମାରିଲେ ମଲିକ୍କାର୍ଜୁନ ଖଡଗେ । ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣ ଗାନ୍ଧୀ ଏଆଇସିସି ଅଧ୍ୟକ୍ଷ ପଦ ଜିତିଛନ୍ତି । ୯ ଥରର ବିଧାୟକ ଓ ଦୁଇ ଥର ସାଂସଦ ହୋଇଥିବା ଖଡଗେଙ୍କ ସଂଘର୍ଷ ଓ ସଫଳତା ଯେ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ରିପୋର୍ଟରେ ପଢନ୍ତୁ କେମିତି ଥିଲା ମଲ୍ଲିକାର୍ଜୁନଙ୍କ ଯାତ୍ରା ।

୧୯୪୭ ଅଗଷ୍ଟ ମାସ ମୈସୁର ଜିଲ୍ଲା (କର୍ଣ୍ଣାଟକ)ର ବରବଟି ଗାଁରେ ସେତେବେଳେ ନିଜାମ ଶାସନ ଚାଲିଥିଲା । ବରବଟି ଗାଁରେ ଏକଦା ନିଜାମ ସେନା ଆକ୍ରମଣ କରିଥିଲେ । ସମଗ୍ର ଗାଁରେ ନିଆଁ ଲଗାଇ ଦେଇଥିଲେ ନିଜାମ ସେନା । ଯେଉଁଠି ଆଖି ସାମନାରା ମାଙ୍କୁ ପୋଡି ଯାଉଥିବା ଦେଖିଥିଲେ ଖଡଗେ ।
ମାଆଙ୍କ ମୃତ୍ୟୁ ପରେ ବାପା ମପନ୍ନା ଖଡଗେ ମଲ୍ଲିକାର୍ଜୁନଙ୍କୁ ସାଥୀରେ ନେଇ କାମ ଖୋଜିବାକୁ ଗୁଲବର୍ଗା ଚାଲିଯାଇଥିଲେ । କିନ୍ତୁ କାମ କରିବାକୁ ଯାଇ ପୁଅ ମଲ୍ଲିକାର୍ଜୁନଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡି ଯିବାକୁ ପଡୁଥିଲା । ଏକ ମାସ ଅଲଗା ରହିବା ପରେ ପୁଅର ଭବିଷ୍ୟତ ଚିନ୍ତା କରି କାମ ଛାଡି ପୁଣିଥରେ ନିମ୍ବୁର ଫେରିଥିଲେ ବାପା । କାମ ସନ୍ଧାନରେ ପ୍ରାୟ ତିନି ମାସ ଧରି ଜଙ୍ଗଲରେ ରହିଥିଲେ ବାପା ପୁଅ । ଦଳିତ ସମୁଦାୟର ମପନ୍ନା ଜୀବିତ ଥିବା ପର୍ଯ୍ୟନ୍ତ କେବେ ମଲ୍ଲିକାର୍ଜୁନଙ୍କୁ କାମ କରିବାକୁ ସୁଯୋଗ ଦେଇ ନାହାନ୍ତି । ବରଂ ନିଜେ ମୃତ୍ୟୁ ପର୍ଯ୍ୟନ୍ତ ଏକ କପଡା ମିଲ୍‌ରେ କାମ କରୁଥିଲେ । ପରେ ବସବାନଗରରେ ରହି ସେହି ସ୍କୁଲରେ ପାଠ ପଢୁଥିଲେ ମଲ୍ଲିକାର୍ଜୁନ ।

ନିର୍ବାଚନ ସମୟରେ ଆଜି ବି ମଲ୍ଲିକାର୍ଜୁନ ସେହି ସ୍କୁଲକୁ ଭୋଟ ଦେବାକୁ ଆସିଥାନ୍ତି । ବାପାଙ୍କ ଘର ଥିବା ସ୍ଥାନରେ ମଲ୍ଲିକାର୍ଜୁନ ଏବେ ଦୁଇ ମହଲା ବିଶିଷ୍ଟ ଘର ନିର୍ମାଣ କରିଛନ୍ତି । ଗୁଲବର୍ଗାର ସେଠ୍‌ ଶଙ୍କରଲାଲ ଲୋହାଟି ଲ’କଲେଜରୁ ଆଇନରେ ସ୍ନାତକ ହାସଲ କରିଛନ୍ତି ମଲ୍ଲିକାର୍ଜୁନ । ତାଙ୍କ ଚତୁରତାରେ ପ୍ରଭାବିତ ହୋଇ ସୁପ୍ରିମକୋର୍ଟ ଓକିଲ ଶିବରାଜ ପାଟିଲ ମଲ୍ଲିକାର୍ଜୁନଙ୍କୁ ନିଜ ଆସିଷ୍ଟାଣ୍ଟ କରିଥିଲେ ।

କଂଗ୍ରେସ ଯେତେବେଳ କର୍ଣ୍ଣାଟକରେ ଶାସନ ଗାଦି ହାତେଇଥିଲା ୨୦୦୪ରେ ଖଡଗେଙ୍କ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ଥିଲା । କିନ୍ତୁ ତାଙ୍କ ବନ୍ଧୁ ଧର୍ମ ସିଂଙ୍କ ନାମ ସାମନାକୁ ଆସିବା ପରେ ପଛକୁ ହଟି ଯାଇଥିଲେ ଖଡଗେ । ୨୦୧୩ରେ ବି କଂଗ୍ରେସ ବିଧାୟକ ଦଳ ନେତା ଭାବେ ତାଙ୍କର ଚୟନ ହେବାର ଥିଲା । କିନ୍ତୁ ସେତେବେଳେ ସିଦ୍ଧରମୈୟାଙ୍କୁ ଚୟନ କରିଥିଲା କଂଗ୍ରେସ । ୧୯୮୦ପରେ ସମସ୍ତ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ତୁଲାଇଥିଲେ ମଲ୍ଲିକାର୍ଜୁନ । ହେଲେ ରାଜ୍ୟ ରାଜନୀତିରେ ଲିଙ୍ଗାୟତ ସମୁଦାୟ କାରଣରୁ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ ସେ । ୮ଟି ଭାଷା ଜାଣିଥିବା ଖଡଗେଙ୍କୁ ମରାଠି ଭାଷା ବି ଭଲଭାବେ ଜଣାଥିଲା । ଏଥିପାଇଁ ୨୦୧୮ରେ ପାର୍ଟି ତାଙ୍କୁ ମହାରାଷ୍ଟ୍ର ଦାୟିତ୍ବ ଦେଇଥିଲା ।