ଅଳିଆମୁକ୍ତ ସହର ପାଇଁ ଅଣ୍ଟା ଭିଡିଲା ବିଏମସି, ମାଷ୍ଟର କ୍ୟାଣ୍ଟିନରୁ ଆରମ୍ଭ ସଫେଇ

ଭୁବନେଶ୍ବର: ରାଜଧାନୀକୁ ଅଳିଆ ମୁକ୍ତ ସହର କରିବା ପାଇଁ ବିଏମସିର ମାସ୍ କ୍ୟାମ୍ପେନିଂ । ପ୍ରତି ଓ୍ବାର୍ଡର କୋଣ ଅନୁକୋଣରେ ସଫେଇ ଜାରି ରହିଥିବା ବେଳେ ପୂର୍ଣ୍ଣ ମାତ୍ରାରେ ସହଯୋଗ ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ଆଜି ମାଷ୍ଟର କ୍ୟାଣ୍ଟିନ୍ ଠାରୁ ଆରମ୍ଭ ହୋଇଛି ସଫେଇ । ମେୟର ଓ କମିଶନରଙ୍କ ସମେତ ବିଏମସି ଅଧିକାରୀ, କର୍ପୋରେଟର ଓ ସାନିଟାରୀ ଇନ୍ସପେକ୍ଟରମାନେ ସାମିଲ ହୋଇଥିଲେ ।

ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ପ୍ରତ୍ୟେକ ୱାର୍ଡରେ ଏକାଧିକ ସ୍ଥାନ ଚିହ୍ନଟ ହୋଇଛି । ଏହି ସବୁ ଜାଗାରେ ସଫେଇ ଅଭିଯାନ ଚାଲିବ । ସେପଟେ ଆଗକୁ ଭୁବନେଶ୍ବର ଅନୁଷ୍ଠିତ ହେବ ହକି ବିଶ୍ବକପ । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ ଖେଳାଳି ଓ ସାଧାରଣ ଲୋକେ ଭୁବନେଶ୍ୱର ଆସିବେ । ରାଜଧାନୀକୁ ସଫା, ସବୁଜ, ସୁନ୍ଦର କରିବାର ପ୍ରୟାସ ବିଏମସି ଚଲାଇଛି ବୋଲି କହିଛନ୍ତି ମେୟର । ସେହିପରି ଖୁବଶୀଘ୍ର ଭୁବନେଶ୍ବରର ସମସ୍ତ ଡ୍ରେନେଜ ସିଷ୍ଟମକୁ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।