ପାକିସ୍ତାନର ଧମକ: ଶାହଙ୍କ ମନ୍ତବ୍ୟର ପରିଣାମ ଭୟଙ୍କର ହେବ

ଲାହୋର: ପାକିସ୍ତାନରେ ଏସିଆ କପ୍ ହେବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏସିଆନ କ୍ରିକ୍ରେଟ କାଉନସିଲ ଅଧ୍ୟକ୍ଷ ତଥା ବିସିସିଆ ସଚିବ ଜୟ ଶାହଙ୍କ ଏସିଆ କପ୍ ଭେନ୍ୟୁ ପରିବର୍ତ୍ତନ ବୟାନକୁ ପାକିସ୍ତାନ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ନିନ୍ଦା କରିଛି । ପିସିବି ତରଫରୁ ଔପଚାରିକ ବୟାନ ଆସିଛି । ଏଥିରେ ପିସିବି ପକ୍ଷରୁ କୁହାଯାଇଛି, ‘ଏପରି ବୟାନ ନିୟମ ଉଲ୍ଲଂଘନ କରୁଛି । ଏହାକୁ ନେଇ ତୁରନ୍ତ ଏସିଆନ କ୍ରିକେଟ୍ କାଉସିଲର ବୈଠକ ଡକାଯିବାର ଆବଶ୍ୟକତା ରହିଛି ।’

ବୋର୍ଡ ପକ୍ଷରୁ କୁହାଯାଇଛି, ‘ଜୟ ଶାହଙ୍କ ମନ୍ତବ୍ୟକୁ ନେଇ ଆମେ ଆଶ୍ଚର୍ଯ୍ୟ ଓ ନିରାଶ ବ୍ୟକ୍ତ କରୁଛୁ । ଏସିଆ କପ୍ ନିରପେକ୍ଷ ସ୍ଥାନରେ କରାଯିବା ନେଇ ଶାହଙ୍କ ବୟାନ ନନ୍ଦନୀୟ । କୌଣସି ବୋର୍ଡ ମେମ୍ବର କିମ୍ବା ଆୟୋଜକ ଟିମ୍ ପାକିସ୍ତାନ ସହ ଚର୍ଚ୍ଚା ନକରି ଏମିତି ମନ୍ତବ୍ୟ ଦେଇଛନ୍ତି । ଯାହାର ପରିଣାମ ଆଗକୁ ଭୟଙ୍କର ହେବ ।’

ବୋର୍ଡ ତରଫରୁ ଆହୁରି କୁହାଯାଇଛି, ‘ଏସିଆନ କ୍ରିକେଟ୍ କାଉନସିଲ ବୈଠକରେ ଦୀର୍ଘ ସମୟ ଚର୍ଚ୍ଚା ଓ ସମସ୍ତଙ୍କ ସହମତିରେ ପାକିସ୍ତାନରେ ଏସିଆ କପ୍ ହେବା ନିଷ୍ପତ୍ତି ହୋଇଥିଲା । ହେଲେ ଶାହଙ୍କ ମନ୍ତବ୍ୟ ଏହାର ଉଲ୍ଲଂଘନ । ୧୯୮୩ରେ ଏସିଆନ କ୍ରିକେଟ୍ କାଉନସିଲ ଗଠନର ଭାବନାକୁ ଏହା ପ୍ରତିହତ କରୁଛି ।’

ଏହାସହ ପିସିବି ଧମକ ଦେଇ କହିଛି, ‘ଏମିତି ବନାନ ଏସିଆନ କ୍ରିକେଟ ଦେଶ ଓ ଅନ୍ତର୍ଜାତୀୟ କ୍ରିକେଟ୍ ସମ୍ପର୍କକୁ ଖରାପ କରିବ ଓ ଦେଶମାନଙ୍କୁ ଭାଗ ଭାଗ ଗୋଷ୍ଠୀରେ ବିଭକ୍ତ କରିବାରେ ସହାୟକ ହେବ । ଏହାସହ ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ବକପ ଓ ୨୦୩୧ ପର୍ଯ୍ୟନ୍ତ ହେବାକୁ ଥିବା ଅନ୍ୟ ମ୍ୟାଚ୍ ଉପରେ ମଧ୍ୟ ପ୍ରଭାବ ପକାଇବ ।’

ଏନେଇ ତୁରନ୍ତ ଏସିଆନ କ୍ରିକେଟ କାଉନସିଲର ବୈଠକ ଡାକିବାକୁ ପାକିସ୍ତାନ ବୋର୍ଡ ଦାବି କରିଛି ।

ସୂଚନାଯୋଗ୍ୟ, ୧୮ ଅକ୍ଟୋବରରେ ଜୟ ଶାହ କହିଥିଲେ ୨୦୨୩ ଏସିଆ କପ୍ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ । ଏସିଆ କପ୍ ନ୍ୟୁଟ୍ରାଲ ଭେନ୍ୟୁରେ କରାଯିବ ।