spot_img
Home Blog Page 4009

ଅଗଷ୍ଟ ପହିଲାରେ ଶିକ୍ଷକ ନିଯୁକ୍ତି, କଳିଙ୍ଗ ଷ୍ଟାଡିୟମରେ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର:  ଅଗଷ୍ଟ ପହିଲାରେ ରାଜ୍ୟରେ ନିଯୁକ୍ତି ପାଇବେ 6891 ଶିକ୍ଷକ । କଳିଙ୍ଗ ଷ୍ଟାଡିୟମରେ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ । ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ସମସ୍ତଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ହଜାର ୮୯୧ ଜଣ କଳା, ବିଜ୍ଞାନ, ପିଇଟି ଓ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଅନୁସାରେ ରାଜ୍ୟରେ ଏବେ ୧୧ ହଜାର ୮୦୦ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ଆସନ୍ତା ୧ତାରିଖରେ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶିକ୍ଷକ ନିଯୁକ୍ତି ପକ୍ରିୟା ଆରମ୍ଭ ହୋଇଛି  । ଶିକ୍ଷା କ୍ଷେତ୍ରକୁ ଶସକ୍ତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି  ।

ସିନ୍ଦେ କ୍ୟାବିନେଟ୍: ୬୫-୩୫ ଫର୍ମୁଲାରେ ବଣ୍ଟାଯିବ ମନ୍ତ୍ରୀ ପଦ

ମୁମ୍ବାଇ: ପ୍ରଥମେ ବିଦ୍ରୋହ, ତା’ପରେ ବିଜେପି ସମର୍ଥନରେ ସରକାର ଗଠନ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଛନ୍ତି ଏକନାଥ ସିନ୍ଦେ । ହେଲେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ଗଠନ ହୋଇନାହିଁ କି ଏହାକୁ ନେଇ କିଛି ସୂଚନା ନାହିଁ । ତେବେ ମିଳିଥିବା ତାଜା ତଥ୍ୟ ଅନୁସାରେ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳ ଗଠନର ରୂପରେଖ ପ୍ରସ୍ତୁତ ହୋଇ ସାରିଛି । ଯେଉଁଥିରେ ୪୨ ମନ୍ତ୍ରୀ ରହିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସିନ୍ଦେ କ୍ୟାବିନେଟରେ ରହିବେ ୪୨ ମନ୍ତ୍ରୀ ।

ସୂଚନାଯୋଗ୍ୟ, ସିନ୍ଦେଙ୍କ ସହ ବିଦ୍ରୋହୀ ଗ୍ରୁପରେ ସାମିଲ ହୋଇଥିବା ବିଧାୟକଙ୍କ ମଧ୍ୟରେ ୯ ଜଣ ଶିବସେନା ସରକାରରେ ମନ୍ତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୪ ଜଣ ରାଜ୍ୟମନ୍ତ୍ରୀ ଥିଲେ । ଆଶା କରାଯାଉଛି ଏମାନଙ୍କୁ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ । ଏହାସହ ସିନ୍ଦେଙ୍କ ବିଦ୍ରୋହୀ ଗ୍ରୁପକୁ ୧୫ରୁ ୧୬ ମନ୍ତ୍ରୀ ପଦ ମିଳିପାରେ ।

ତେବେ ସିନ୍ଦେ ସରକାରରେ ବିଜେପି ଖାତାକୁ ଅଧିକ ମନ୍ତ୍ରୀ ପଦ ଯାଇପାରେ । ବିଜେପି ଓ ସିନ୍ଦେ ଗ୍ରୁପ ମଧ୍ୟରେ ୬୫/୩୫ ପ୍ରତିଶତରେ ମନ୍ତ୍ରୀ ହୋଇପାରନ୍ତି । ଏମିତି ହେଲେ ବିଜେପି ଖାତାକୁ ୨୪ରୁ ୨୫ ମନ୍ତ୍ରୀ ପଦ ଯିବ । ଅନ୍ୟପକ୍ଷେ ସିନ୍ଦେ ଗ୍ରୁପକୁ ୧୫ରୁ ୧୬ ମନ୍ତ୍ରୀ ପଦ ମିଳିବ । ଏହାବାଦ କିଛି ଛୋଟ ଦଳ ଓ ସ୍ବାଧୀନ ବିଧାୟକ ମଧ୍ୟ ସରକାରକୁ ସମର୍ଥନ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କାହାକୁ ବି ମନ୍ତ୍ରୀ କରାଯାଇପାରେ ।

ଛାତ ଉପରେ ପ୍ରକୃତି, ବାଲକୋନିରେ ବାବୁସାନ୍

ଭୁବନେଶ୍ୱର: ବିବାଦ ଭିତରେ ନଜର ଆସିଲେ ପ୍ରକୃତି ମିଶ୍ର । ଛାତ ଉପରକୁ ଆସି ଗଣମାଧ୍ୟମକୁ ଭେଟିଲେ ପ୍ରକୃତି । ୪ଦିନ ପରେ ଘରୁ ବାହାରି ଛାତରେ ବୁଲିଛନ୍ତି ପ୍ରକୃତି । ଠିକ ସମୟ ଆସିଲେ ସବୁ କଥା କହିବି ବୋଲି ସେ କହିଛନ୍ତି । ପ୍ରକୃତିଙ୍କ ସହିତ ତାଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ସାମ୍ନାକୁ ଆସିଛନ୍ତି । ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ବିବାଦ ଆଗକୁ ତୁଟିଯିବ ।

ସେହିପରି ଘଟଣାକୁ ନେଇ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ଝିଅ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଠିକ ଅଛି । ଖୁବଶୀଘ୍ର ସେ ନିଜର କର୍ତ୍ତବ୍ୟସ୍ଥଳ ମୁମ୍ବାଇକୁ ଫେରିଯିବା ବୋଲି ମନ୍ମଥ କହିଛନ୍ତି । ତେବେ ଆଜି ଭାଇରାଲ ହୋଇଥିବା ଅଡିଓ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ପ୍ରକୃତି ଓ ତାଙ୍କ ବାପା ।

ଗତକାଲି ବାବୁସାନ ମହାନ୍ତି ଘଟଣାରେ ନଜର ଆସିଥିବାବେଳେ ଆଜି ପ୍ରକୃତି ମିଶ୍ର ସାମ୍ନାକୁ ଆସିଛନ୍ତି  । ବାବୁସାନ ବାଲକୋନିରେ ନିଜ ମାଆ ଅପରାଜିତା ମହାନ୍ତିଙ୍କ ସହ ସାମ୍ବାଦିକଙ୍କ ସାମ୍ନାକୁ ଆସିଥିଲେ  । ପୋଲିସର ପଚରାଉଚରା ପରେ ସବୁ ପ୍ରତିକ୍ରିୟା ଦେବି ବୋଲି କହିଥିଲେ ବାବୁସାନ  । ଆଜି ପ୍ରକୃତି ମିଶ୍ର ବାପା ମନ୍ମଥ ମିଶ୍ରଙ୍କ ସହ ସାମ୍ନାକୁ ଆସିଛନ୍ତି  । ନିଜ ଛାତ ଉପରେ ଦେଖିବାକୁ ମିଳିଥିଲେ  । ଏଥିସହିତ ସେ ମଧ୍ୟ ସମସ୍ତ କଥା ସାମ୍ବାଦିକଙ୍କୁ କହିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି  ।

 

ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଘରେ ରବି ମିଶ୍ର, ସମାଧାନ ପାଇଁ ସାଜିଲେ ମଧ୍ୟସ୍ଥି

ଭୁବନେଶ୍ୱର:ବାବୁସାନ୍ ବିବାଦର ଆପୋସ ବୁଝାମଣା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କୁ ବୁଝାଇବାକୁ ଚେଷ୍ଟା ଚାଲିଛି। ତୃପ୍ତିଙ୍କ ଘରେ ପହଁଚି ତୃପ୍ତିଙ୍କୁ ବୁଝାଇବାକୁ ଉଦ୍ୟମ କରିଛନ୍ତି ଅଭିନେତା ରବି ମିଶ୍ର । ଅଭିନେତା ରବି ମିଶ୍ର  ବାବୁସାନଙ୍କ ପାରିବାରିକ ବନ୍ଧୁ ହୋଇଥିବାବେଳେ ସ୍ୱାମୀ – ସ୍ତ୍ରୀ ଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ତୃପ୍ତିଙ୍କ ଘରେ ପହଁଚିଛନ୍ତି  ।

ସେପଟେ ଆଜି ଥାନାରେ ହାଜର ହୋଇପାରନ୍ତି ବାବୁସାନ । ବାବୁସାନ୍ ତୃପ୍ତି ପ୍ରକୃତି ବିବାଦର ସତ କଣ ? ପ୍ରକୃତିଙ୍କ ସହିତ ରହିଥିଲା କି ବାବୁଙ୍କ ପ୍ରେମ ସମ୍ପର୍କ। ଥାନାରେ ହାଜର ହୋଇ ପୋଲିସ ଆଗରେ ନିଜର ପକ୍ଷ ରଖିବେ ବାବୁସାନ ମହାନ୍ତି। ପୂର୍ବରୁ ମାମଲାରେ ପ୍ରକୃତିଙ୍କୁ ଜେରା କରିସାରିଛି ପୋଲିସ।

ଅନ୍ୟପଟେ ପ୍ରକୃତି ଓ ବାବୁସାନଙ୍କ ଏକ ଫୋନ୍ ବାର୍ତ୍ତାଳାପର ଅଡିଓ ଭାଇରାଲ୍ ହୋଇଛି। ଅଡିଓରେ ବାବୁସାନଙ୍କ ପାଇଁ ଯନ୍ତ୍ରଣା ପାଉଛନ୍ତି ବୋଲି କହିଛନ୍ତି ପ୍ରକୃତି । ଏଥିପାଇଁ ପ୍ରକୃତିଙ୍କୁ କ୍ଷମା ମାଗୁଛନ୍ତି ବାବୁସାନ୍ । ଅଡିଓରେ ପ୍ରକୃତି କେଉଁ କଲର ଶାଢ଼ି ପିନ୍ଧିବେ ସେକଥା ମଧ୍ୟ ବାବୁସାନ ପଚାରୁଛନ୍ତି । ଶେଷରେ ଉଭୟ ପରସ୍ପରଙ୍କୁ ଲଭ ୟୁ ବୋଲି କହି ଫୋନ କାଟୁଛନ୍ତି । ଏଥିରୁ ପ୍ରମାଣ ମିଳୁଛି ବାବୁ ଓ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କ କେତେ ନିବିଡ଼ ରହିଥିଲା  ।

ଗୋଟେପଟେ ବାବୁସାନ ଓ ପତ୍ନୀ ତୃପ୍ତିଙ୍କ ମଧ୍ୟରେ ସମ୍ପର୍କ ଯୋଡିବାକୁ ପ୍ରୟାସ ଚାଲିଥିଲାବେଳେ ଅନ୍ୟପଟେ ଭାଇରାଲ ଅଡ଼ିଓ କଲ ଏବେ ସମ୍ପର୍କରେ ଜୁଆର ଆଣିବା ନେଇ ସମ୍ଭାବନା ଦେଖାଦେଇଛି  । ତେବେ ଏହି ଷ୍ଟାର କଳିରେ ବାବୁସାନ ମହାନ୍ତି ପ୍ରତିଟି ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି । ପୋଲିସର ପଚରାଉଚରା ପରେ ସାମ୍ବାଦିକ ମାନଙ୍କ ଆଗରେ ସବୁ କହିବେ  । ଯାହା ଘଟଣାରେ ଆହୁରି ସସପେନ୍ସ ରହୁଛି  । ତେବେ ଦେଖିବାକୁ ବାକି ରହିଲା ଆଗକୁ ଏହି ମାମଲାର ଗତି କୁଆଡ଼େ ଯାଉଛି  ।

ରନଓ୍ବେରୁ ଖସିଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ନିରାପଦ

ଆସାମ: ଆସାମ ଜୋରହାଟ ବିମାନ ବନ୍ଦରରେ ରନଓ୍ବେରୁ ଖସିଗଲା ଇଣ୍ଡିଗୋ । ଜୋରହାଟରୁ କୋଲକାତା ଯିବାକୁ ଥିବା ବିମାନର ଚକ କାଦୁଅରେ ଫସିଯିବା ପରେ ପ୍ରତିକ୍ରିୟା ରଖିଛନ୍ତି କମ୍ପାନି କର୍ତ୍ତୃପକ୍ଷ । ୬E-୭୫୭ ଇଣ୍ଡିଗୋ ବିମାନ ଜୋରହାଟରୁ କୋଲକାତା ଯିବାର ଥିଲା । ମାତ୍ର ଉଡାଣ ବେଳେ ଏହାର ଚକ କାଦୁଅରେ ପଶିଯିବାରୁ ଏହାକୁ ପୁଣି ବେ କୁ ଅଣାଯାଇଥିଲା । ବିମାନରେ ଥିବା ୯୮ ଯାତ୍ରୀ ନିରାପଦ ଥିଲେ । ପରେ ଏହି ବିମାନର ଉଡାଣ ବାତିଲ କରାଯାଇଥିଲା । ପାଇଲଟ ଏହି ସୂଚନା ଦେବା ପରେ ବିମାନର ଉଡାଣ ବାତିଲ କରାଯାଇ ଯାଞ୍ଚ କରାଯାଇଥିଲା । ଗତ ଗୁରୁବାର ଏହି ଘଟଣା ଘଟିଥିଲା ।

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ କଲେ ବାପା

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ। ଥାନାରେ ଅଭିଯୋଗ କଲେ ବାପା ଅଶୋକ କୁମାର ସେଠୀ । ପୁଅକୁ ଭୁବନେଶ୍ବର କେଭି-୧ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଛି । ଯୁକ୍ତ ଦୁଇ ଛାତ୍ରଙ୍କୁ ରାଗିଂ ନେଇ ଖାରବେଳନଗର ଥାନାରେ ଏତଲା ଦିଆଯାଇଛି । ୧୫ ଜଣ ଯୁବକ ଲୁହାରଡ଼, ବାଉଁଶରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ରାଗିଂକୁ ବିରୋଧ କରିବାରୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛି ପୋଲିସ । ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଗାଏବ ୪ଟି ଲକଜରି ଗାଡ଼ି

ନୂଆଦିଲ୍ଲୀ: ଗିରଫ ଅଭିନେତ୍ରୀ ତଥା ବିଦା ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ୪ଟି ଲକଜରି ଗାଡ଼ି ଗାଏବ। ସେହି ଫ୍ଲାଟରେ ଥିବାବେଳେ ଅର୍ପିତାଙ୍କୁ ଗିରଫ କରାଯାଇଥିଲା ଏବଂ ଗିରଫ ପରେ ପରେ ତାଙ୍କ ଫ୍ଲାଟରୁ କାର୍ ଗାଏବ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଗାଏବ କାର୍ ମଧ୍ୟରେ ରହିଛି ଅଡି-ଏ୪, ମର୍ସିଡିଜ ବେଞ୍ଜ, ହଣ୍ଡାସିଟି, ହଣ୍ଡା ସିଆରଭି । ଏହି ସମସ୍ତ କାର୍‌ରେ ଟଙ୍କା ଭର୍ତ୍ତି କରାଯାଇ ଗାଏବ କରାଯାଇଥିଲା ବୋଲି ସୂଚନା ମିଳିଛି । ସିସିଟିଭି ଫୁଟେଜ ଅନୁସାରେ ପୋଲିସ ଘଟଣାର ତଦନ୍ତ କରୁଛି । ବେଲଘରିଆସ୍ଥିତ କ୍ଲବଟାଉନ ହାଇଟସରେ ଅର୍ପିତାଙ୍କ ରହିଛି ଦୁଇଟି ଫ୍ଲାଟ। ଗୋଟିଏ ଫ୍ଲାଟରୁ ୩୦ କୋଟି ଟଙ୍କା ଜବତ ହୋଇଥିବାବେଳେ ଅନ୍ୟ ଫ୍ଲାଟରୁ କିଛି ମିଳି ନଥିଲା। ଗତ ୨୨ ତାରିଖରେ ଡାଏମଣ୍ଡ ସିଟି ଫ୍ଲାଟରୁ ୨୧ କୋଟି ଟଙ୍କା ଜବତ ହୋଇଥିବାବେଳେ ବିପୁଳ ବୈଦେଶିକ ମୁଦ୍ରା ମିଳିଥିଲା ।

ଡାଏମଣ୍ଡ ସିଟି କମ୍ପ୍ଲେକ୍ସରୁ ୪ଟି ଗାଡି ଗାଏବ ହେବା ଘଟଣାକୁ ନେଇ ସସପେନସ ଜାରି ରହିଛି । ଗତକାଲି ଦଳର ସମସ୍ତ ପଦ ପଦବୀରୁ ପାର୍ଥଙ୍କୁ ବିଦା କରିଥିଲେ ଦିଦି । ଅର୍ପିତାଙ୍କ ଦୁଇଟି ଘରେ ହୋଇଥିବା ରେଡରେ ମିଳିଥିଲା ପ୍ରାୟ ୫୦ କୋଟି ଟଙ୍କା । ଏହାସହ ପ୍ରାୟ ୭ କେଜିର ସୁନା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଟଏଲେଟରୁ ବି ମିଳିଥିଲା କୋଟି କୋଟି ଟଙ୍କାର ନୋଟ । ସୁନାରେ ତିଆରି ଫଟୋ ଫ୍ରେମ ଜବତ ହୋଇଥିବା ବେଳେ ସୁନାର କଲମ ମଧ୍ୟ ପାଇଥିଲା ଇଡି । ସେପଟେ ଉତ୍ତର ଚବିଶ ପରଗଣାରେ ଚର୍ମନଗରୀ ପଛ ପଟେ ଥିବା ଏକ ଦଶ ମାଣ ଜମି ଠାବ ହୋଇଛି । ଏହି ଜମି ଅର୍ପିତା ମୁଖାର୍ଜୀଙ୍କ ନାମରେ ଥିବାବେଳେ ୨୦୧୭ରେ ଏହି ଜମି ସେ କିଣିଥିଲେ।

ଦେଶରେ ବେକାରୀ ହାର ବଢ଼ି ଚାଲିଛି

ନୂଆଦିଲ୍ଲୀ: ଦେଶରେ ବେକାରୀ ହାର ବଢ଼ି ଚାଲିଛି। ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ଚିତ୍ର । ଗତ ୮ ବର୍ଷରେ ସରକାରୀ ଚାକିରି ପାଇଁ ୨୨.୦୫ କୋଟି ଆବେଦନ କରାଯାଇଥିବାବେଳେ ମାତ୍ର ୭.୨୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଦିଆଯାଇଛି ଏହି ସୂଚନା । ବେକାରୀ ପ୍ରସଙ୍ଗରେ ସଂସଦରେ ବିରୋଧୀ ହଙ୍ଗାମା ଜାରି ରଖିଛନ୍ତି ।

ସରକାର ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାକୁ ଏଡ଼ାଇବା ପାଇଁ ସରକାର ବିରୋଧୀ ସାଂସଦଙ୍କ ନିଲମ୍ବନକୁ ଅସ୍ତ୍ର କରିଥିବା କୁହାଯାଉଛି । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ୨୦୧୪-୧୫ରୁ ୨୦୨୧-୨୨, ୮ବର୍ଷ ମଧ୍ୟରେ ୨୨.୦୫ କୋଟି ଆଶାୟୀ କେନ୍ଦ୍ର ସରକାରରେ ଚାକିରି ପାଇଁ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ୭.୨୨ ଲକ୍ଷଙ୍କୁ ଚାକିରି ମିଳିଛି । ସରକାର ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଉଲ୍ଲେଖ କରିଛନ୍ତି । ତେବେ ମନ୍ତ୍ରୀଙ୍କ ଉତ୍ତର ବିରୋଧୀ ସାଂସଦମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ ।

ସୂଚନା ଅନୁଯାୟୀ ୨୦୨୧-୨୨ରେ ୧, ୮୬, ୭୧, ୧୨୧ ଆବେଦନ କରାଯାଇଥିବାବେଳେ ମାତ୍ର ୩୮, ୮୫୦ ଜଣ ଚାକିରି ପାଇଥିଲେ। ସେହିପରି ୨୦୨୦-୨୧ରେ ୧, ୮୦, ୦୧, ୪୬୯ ଆବେଦନ ଏବଂ ୭୮, ୫୫୫ ନିଯୁକ୍ତି, ୨୦୧୯-୨୦ରେ ୧, ୭୮, ୩୯, ୭୫୨ ଆବେଦନ ଏବଂ ୧, ୪୭, ୦୯୬ ନିଯୁକ୍ତି, ୨୦୧୮-୧୯ରେ ୫, ୦୯, ୩୬, ୪୭୯ ଆବେଦନ ଏବଂ ୩୮, ୧୦୦ ନିଯୁକ୍ତି, ୨୦୧୭-୧୮ରେ ୩, ୯୪, ୭୬, ୮୭୮ ଆବେଦନ ଏବଂ ୭୬, ୧୪୭ ନିଯୁକ୍ତି, ୨୦୧୬-୧୭ରେ ୨, ୨୮, ୯୯, ୬୧୨ ଆବେଦନ ଏବଂ ୧,୦୧, ୩୩୩ ନିଯୁକ୍ତି, ୨୦୧୫-୧୬ରେ ୨,୯୫, ୫୧, ୮୪୪ ଆବେଦନ ଏବଂ ୧, ୧୧, ୮୦୭ ନିଯୁକ୍ତି, ୨୦୧୪-୧୫ରେ ୨,୩୨, ୨୨, ୦୮୩ ଆବେଦନ କରିଥିବାବେଳେ ୧, ୩୦, ୪୨୩ ନିଯୁକ୍ତି ପାଇଥିଲେ।

ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି କି? ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଯଦି ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ତେବେ ବେଳହୁଁ ହୁଅନ୍ତୁ ସାବଧାନ। ମନଇଚ୍ଛା କୌଣସି ବ୍ୟକ୍ତି ବିରୋଧରେ କିଛି ପୋଷ୍ଟ କରନ୍ତୁ ନାହିଁ । ଯଦି ସୋସିଆଲ ମିଡିଆରେ ଏସସି ଓ ଏସଟି ବ୍ୟକ୍ତିଙ୍କ ବିରୋଧରେ କିଛି ମନ୍ତବ୍ୟ ପୋଷ୍ଟ କରୁଛନ୍ତି । ତେବେ ଏସସି/ଏସଟି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇପାରନ୍ତି ।

ଏନେଇ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରିବା ସହ ଜଣେ ୟୁଟ୍ୟୁବରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି। ୟୁଟ୍ୟୁବର ଜଣକ ବିଭିନ୍ନ ସୋସିଆଲ ମିଡିଆରେ ଜଣେ ତଫସିଲଭୁକ୍ତ ଜନଜାତି ବର୍ଗର ବ୍ୟକ୍ତିଙ୍କ ବିରୋଧରେ କେତେକ ଟିପ୍ପଣୀ ଦେବା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

କେରଳର ଟ୍ରୁ ଟିଭି ନାମକ ଏକ ଅନଲାଇନ ନ୍ୟୁଜ ପ୍ଲାଟଫର୍ମର ପରିଚାଳନା ନିର୍ଦ୍ଦେଶକଙ୍କ ଆଗୁଆ ଜାମିନ ଆବେଦନ ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ପବ୍ଲିକ ପ୍ରସିକ୍ୟୁଟର କେ.ଏ. ନୌସାଦ ଯୁକ୍ତି ଦର୍ଶାଇଥିଲେ, ଡିଜିଟାଲ ଯୁଗରେ ଏସସି-ଏସଟି ଆଇନର ଆଭିମୁଖ୍ୟକୁ ଉପଯୁକ୍ତ ଭାବେ ପାଳନ କରିବାର ଆବଶ୍ୟକତା ରହିଛି। ମାମଲାର ଶୁଣାଣି କରି ଜଷ୍ଟିସ ବେଚୁ କୁରିଆନ ଥୋମାସ କହିଛନ୍ତି ଏସସି-ଏସଟି ବ୍ୟକ୍ତିଙ୍କ ବିରୋଧରେ କୌଣସି ଅଶାଳୀନ ବା ଅରୁଚିକର ଟିପ୍ପଣୀ ଏସସି-ଏସଟି ଆଇନର ପରିସରଭୁକ୍ତ ହେବ।

ଘରୋଇ ବ୍ୟାଙ୍କଗୁଡିକର ପ୍ରଦର୍ଶନ ନୈରାଶ୍ୟଜନକ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଘରୋଇ ବ୍ୟାଙ୍କଗୁଡିକର ପ୍ରଦର୍ଶନ ନୈରାଶ୍ୟଜନକ। ବିଭିନ୍ନ ସମୀକ୍ଷା ବୈଠକରେ ଏହା ପ୍ରତିଫଳିତ ହେଉଥିଲେ ମଧ୍ୟ ସରକାରୀ ଦେୟ, କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଅନୁଦାନ ରାଶି ଆଦି ଏହି ଘରୋଇ ବ୍ୟାଙ୍କଗୁଡିକରେ ଜମା ରଖିବା ନିମନ୍ତେ ସରକାରୀ ବାବୁମାନେ ବେଶୀ ଆଗ୍ରହୀ। ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ତେବେ ଅଧିକାଂଶ ଘରୋଇ ବ୍ୟାଙ୍କଗୁଡିକର ରାଜ୍ୟ ବିକାଶରେ ଅବଦାନ ଅତ୍ୟନ୍ତ ନଗଣ୍ୟ। ଘରୋଇ ବ୍ୟାଙ୍କଗୁଡିକର ଜମା ଓ ଋଣ ଅନୁପାତ ଅତ୍ୟନ୍ତ ନୈରାଶ୍ୟଜନକ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ହାର ନିରୁତ୍ସାହଜନକ। ଯୁବଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ଏହି ବ୍ୟାଙ୍କ ଗୁଡିକ ଅମନଯୋଗୀ। ବିଭିନ୍ନ ସମୟରେ ସମୀକ୍ଷା ବୈଠକରେ ଏହା ପ୍ରତିଫଳିତ ହୋଇଛି ।

ଅପରପକ୍ଷେ ଘରୋଇ ବ୍ୟାଙ୍କ ପରିବର୍ତ୍ତେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ରଖିବାକୁ ମୁଖ୍ୟଶାସନ ସଚିବ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚାଷୀଙ୍କୁ ଯେତିକି ଅର୍ଥ ଋଣ ପ୍ରଦାନ କରାଯାଉଛି ତାହାର ସିଂହଭାଗ ସମବାୟ ବ୍ୟାଙ୍କ ପ୍ରଦାନ କରୁଛି। ମୋଟ ଋଣର ୫୦ ପ୍ରତିଶତରୁ ଅଧିକ କେବଳ ସମବାୟ ବ୍ୟାଙ୍କ ମଞ୍ଜୁର କରୁଛି। ଅନୁରୂପ ଭାବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପ୍ରଦର୍ଶନ ୫୫ ପ୍ରତିଶତ ରହିଥିବାବେଳେ ଘରୋଇ ବ୍ୟାଙ୍କଗୁଡିକ ଏ କ୍ଷେତ୍ରରେ ମାତ୍ର ୧୫ ଦଶମିକ ୫୪ ପ୍ରତିଶତ ସଫଳତା ହାସଲ କରିଛନ୍ତି। ତେଣୁ ଘରୋଇ ବ୍ୟାଙ୍କ ପରିବର୍ତ୍ତେ ସରକାରୀ ବ୍ୟାଙ୍କରେ ସରକାରୀ ଅର୍ଥ ଜମା ରଖିବା ନିମନ୍ତେ ଅନେକ ସମୟରେ ମତ ପ୍ରକାଶ ପାଉଛି।