ଓଡ଼ିଆ ସିନେମାକୁ ବଞ୍ଚାଇବାକୁ ରାଜଧାନୀରେ ପ୍ରଯୋଜକଙ୍କ ପଦଯାତ୍ରା

ଭୁବନେଶ୍ୱର: ଓଡ଼ିଆ ସିନେମାକୁ ବଞ୍ଚାଇବାକୁ ରାଜଧାନୀରେ ପ୍ରଯୋଜକଙ୍କ ପଦଯାତ୍ରା । ହାତରେ ପ୍ଲାକାର୍ଡ ମୁହଁରେ ନୀରବତା । ଓଡ଼ିଆ ସିନେମା ଶିଳ୍ପକୁ ବଞ୍ଚାଇବାକୁ ଏହି ନିଆରା ପଦଯାତ୍ରା । ରାଜଧାନୀ ରାଜରାସ୍ତାରେ ପ୍ରଯୋଜକଙ୍କ ପ୍ରତିବାଦ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଓଡ଼ିଆ ସିନେମା ତିଆରି କରୁଛନ୍ତି ହେଲେ ଲାଭ ହେଉନି । ସିନେମା ଚାଲିବା ପାଇଁ ହଲ ମିଳୁ ନଥିବା ବେଳେ କେମିତି ସିନେମା ହେଉଛି ଦେଖିପାରୁନାହାଁନ୍ତି ଦର୍ଶକ । ଯାହାକୁ ନେଇ ଆରମ୍ଭ ହୋଇଛି ଅଭିନବ ପ୍ରତିବାଦ । ୬ ଜଣ ପ୍ରଯୋଜକ ଜୟଦେବ ଭବନଠାରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇ ନୀରବ ପ୍ରତିବାଦ ଜଣାଇଛନ୍ତି । ଓଡ଼ିଆ ସିନେମା ପାଇଁ ଓଡ଼ିଶାରେ ହଲ ନାହିଁ । ୨୦୦୮ରୁ ମିଳୁନି ସବସିଡି ସୁବିଧା । ଏଭଳି ସ୍ଥିତିରେ ଏବେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ସନ୍ଦିହାନ ପ୍ରଯୋଜକ ।

ଓଡ଼ିଆ ସିନେମା ଉନ୍ନୟନ ପରିଷଦରେ ଜଣକ ପରେ ଜଣେ ଥଇଥାନ ହେଉଛନ୍ତି ପଛେ ବଦଳୁନି ସିନେମା ଶିଳ୍ପର ଭାଗ୍ୟ ଓ ଭବିଷ୍ୟ । ଆଗରୁ ଯେତିକି ଓଡ଼ିଆ ଫିଲ୍ମ ନିର୍ମାଣ ହେଉଥିଲା, ଏବେ ତା’ର ସଂଖ୍ୟା ବଢ଼ିଛି । କିନ୍ତୁ ସିନେମା ହଲରେ ଓଡ଼ିଆ ସିନେମା ବଦଳରେ ଅଣଓଡ଼ିଆ ସିନେମା ରାଜ୍ କରୁଛି । ନିକଟରେ ହଲ ନ ମିଳିବା ଯୋଗୁଁ କଲ୍ୟାଣ ମଣ୍ଡପରେ ରିଲିଜ ହୋଇଥିଲା ଓଡ଼ିଆ ଫିଲ୍ମ । ଭଲ କାହାଣୀ ଥାଇ ଓଡ଼ିଆ ସିନେମା ନିର୍ମାଣ ହେଉଛି ହେଲେ ଲୋକେ ଦେଖିପାରୁ ନାହାଁନ୍ତି । କପି ପେଷ୍ଟର ଟ୍ରେଣ୍ଡ ଭିତରେ ଭଲ ସିନେମା ସ୍ଥାନ ପାଉନି । ପଦଯାତ୍ରାରେ ପ୍ରଯୋଜକ ସଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ସଞ୍ଜୟ କୁମାର ପାତ୍ର, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ସାମିଲ ହୋଇଥିଲେ ।