ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୨ ତାରିଖରେ ନେବ ଅବପାତର ରୂପ

1 min read

ଭୁବନେଶ୍ୱର: ଘନଉଛି ବାତ୍ୟା ବିପଦ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆସନ୍ତାକାଲି ନେବ ଅବପାତର ରୂପ । ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବ । ବାତ୍ୟାର ତୀବ୍ରତା କେତେ ରହିବ? କେଉଁଠି ଲ୍ୟାଣ୍ଡଫଲ କରିବ ? ପବନର ବେଗ କେତେ ରହିବ ? କେଉଁ ଦିଗରେ ଗତି କରିବ ? କେଉଁ କେଉଁ ଜିଲ୍ଲାରେ ପଡିବ ପ୍ରଭାବ ? ଫନି ବାତ୍ୟାର ଗତି ପଥରେ ଆସିଲେ ଅଧିକ ଘାତକ ହେବ କି ? ଏନେଇ ଖୁବ୍ ଶୀଘ୍ର ସ୍ପଷ୍ଟ କରିବ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ECMWF, GFS, NCUM ମଡେଲର ଆକଳନ ଅନୁସାରେ ୨୫ତାରିଖ ବେଳଳୁ ବାତ୍ୟା ପଶ୍ଚିମବଙ୍ଗର ଦୀଘା କିମ୍ବା ବାଂଲାଦେଶର ପଥରଘାଟରେ ଲ୍ୟାଣ୍ଡଫଲ କରିପାରେ । ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଝଡ ବର୍ଷା ସହ ଘଣ୍ଟା ପ୍ରତି ୪୫ରୁ ୫୫କିମି ଏବଂ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲଘୁଚାପ ଘନୀଭୂତ ହୋଇ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ ।

ଗଭୀର ସମୁଦ୍ରରେ ବାତ୍ୟା ଦେଖାଇବ କରାଳ ରୂପ । ଏଥିପାଇଁ ୨୨ ତାରିଖ ପୂର୍ବରୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସଜୀବୀଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ୨୩ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ । ବାତ୍ୟାଟି ଅତି ଭୀଷଣ ରୂପ ନେବାପାଇଁ ପାଗ ଅନୁକୂଳ ରହିଛି ।