ରାଜ୍ୟର ଶହେ ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ, ବିଦ୍ୟାଳୟରେ ଦ୍ୱାଦଶ ଯାଏ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରେ ଶହେଟି ହାଇସ୍କୁଲରେ ଖୋଲିବ ଯୁକ୍ତ ୨ । ଆସନ୍ତାବର୍ଷରୁ ପାଠପଢ଼ା ଆରମ୍ଭ ହେବ । ୨୮ ଶହରୁ ଅଧିକ ସିଟରେ ନାମଲେଖା ହେବ । ଗଞ୍ଜାମ ଜିଲ୍ଲାର ସର୍ବାଧିକ ୮ଟି ସ୍କୁଲ ଉନ୍ନୀତ ହେବ । ଏଥିପାଇଁ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ବିକାଶକୁ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ୧୦୦ଟି ଉଚ୍ଚ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ । ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀ ଦ୍ୱାଦଶ ଯାଏ ପଢ଼ିବେ । ପ୍ରାଥମିକ ପର୍ଯ୍ୟାୟରେ କେବଳ କଳା ବିଭାଗ ଖୋଲିବାକୁ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲିବ ।

ପ୍ରାଥମିକ ପର୍ଯ୍ୟାୟରେ ୧୨୮ଟି ଲେଖାଏଁ ସିଟ୍ ରହିବ । ଅର୍ଥାତ୍ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ୧୨ ହଜାର ୮୦୦ଟି ଅଧିକ ଯୁକ୍ତ ୨ କଳା ସିଟ୍ ଉପଲବ୍ଧ ହେବ । ଏଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ନିକଟରେ ଆବେଦନ କରାଯାଇଥିଲା, ଏବଂ ଅନୁମତି ମିଳି ସାରିଛି । ଶହେଟି ସ୍କୁଲ ଚିହ୍ନଟ କରି ପ୍ରକ୍ରିୟା ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ  । ପ୍ରଥମେ ୪୩ ପରେ ୫୭ଟି ହାଇସ୍କୁଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେବ । ଅନୁମୋଦନ ଅନୁସାରେ ବଲାଙ୍ଗୀରର ୬ଟି, ଦେବଗଡ଼ର ୪ଟି , ଗଞ୍ଜାମର ୮ଟି, କଳାହାଣ୍ଡିର ୭ଟି, କେନ୍ଦୁଝରର ୩ଟି, ମାଲକାନଗିରି ଓ ନବରଙ୍ଗପୁରର ୫ଟି ଲେଖାଏଁ ଅନୁଗୁଳ, ବରଗଡ଼, କଟକ, ଗଜପତି ଓ ବୌଦ୍ଧର ୨ଟି ଲେଖାଏଁ ହାଇସ୍କୁଲ ଉଚ୍ଚମାଧ୍ୟମମିକ ବିଦ୍ୟାଳୟକୁ ଉନ୍ନୀତ ହେବ ।