ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କୁ ସତର୍କ କରାଇଛି କୃଷି ବିଭାଗ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଫସଲ ସୁପରିଚାଳନା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛି କୃଷି ବିଭାଗ । ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ଥିବାରୁ ଚାଷୀଙ୍କୁ ସତର୍କ କରାଇଛି ବିଭାଗ । ୮୫ ଭାଗ ପଚିଯାଇଥିବା ସହଳ କିସମ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ । ଅମଳ ହୋଇଥିବା ଧାନକୁ ବେଙ୍ଗଳା କରିଦିଅନ୍ତୁ । କିମ୍ବା ପଲିଥିନ ଘୋଡାଇ ସୁରକ୍ଷିତ ରଖନ୍ତୁ । ବର୍ଷା ଦିନିଆ ମକା ଫସଲ ଅମଳ କରିବାକୁ ପରାମର୍ଶ । ଖରିଫ ଫସଲ ନିରାପଦ ସ୍ଥାନକୁ ନେବାକୁ ସତର୍କତା ।

ବର୍ଷା ସ୍ଥିତି ଦେଖିବା ପରେ ଧାନ ଓ ଅଣଧାନ ଜମିରୁ ବଳକା ପାଣି ବାହାର କରି ନାଳ କରିଦିଅନ୍ତୁ । ପନିପରିବା ତଳି ଘେରାକୁ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ । ଫସଲରେ ସାର ଓ କୀଟନାଶକ ପ୍ରୟୋଗ ସାମୟିକ ବନ୍ଦ କରିବାକୁ ପରାମର୍ଶ । ବର୍ଷା ପବନରେ ବଡ଼ବଡ଼ ଗଛ ଭାଙ୍ଗିବା ସମ୍ଭାବନା ଥିବାରୁ ଗଛକୁ ଢିରା ଦିଅନ୍ତୁ । ବର୍ଷା ଛାଡିବା ପରେ ରବି ଫସଲ ବୁଣିବାକୁ ପରାମର୍ଶ ଦେଇଛି କୃଷି ବିଭାଗ ।