ଅଣଦେଖା ହେବେନି କର୍କଟ ରୋଗୀ, କ୍ୟାନ୍ସରକୁ ରିପୋର୍ଟେବୁଲ ଡିଜିଜ୍ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅଣଦେଖା ହେବେ ନାହିଁ ରାଜ୍ୟରେ କୌଣସି କର୍କଟ ରୋଗୀ । ପ୍ରାଣଘାତୀ ରୋଗର ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କ୍ୟାନ୍ସରକୁ ରିପୋର୍ଟେବୁଲ ଡିଜିଜ୍ ଭାବେ ଘୋଷଣା କରାଯାଇଛି । ଏଣିକି ରୋଗୀଙ୍କ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ରହିବ । ଏନେଇ ସମସ୍ତ ତଥ୍ୟ ଦେବେ ହସ୍ପିଟାଲ କର୍ତ୍ତୃପକ୍ଷ । ନୂଆ କ୍ୟାନ୍ସର ରୋଗୀ ହସ୍ପିଟାଲରେ ଆଡମିଟ୍ ହେଲେ କିମ୍ବା କ୍ୟାନ୍ସର ରୋଗୀ ଚିହ୍ନଟ ହେଲେ ରାଜ୍ୟ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ କରାଯାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ନୋଟିସ୍ ।

ଏହାଦ୍ୱାରା କେଉଁ କ୍ୟାନ୍ସର ରୋଗ ଅଧିକ ଦେଖାଦେଉଛି ତାହା ଜାଣିହେବ । ଏହାସହ କେଉଁ ଅଞ୍ଚଳରେ କର୍କଟ ରୋଗ ଅଧିକ ହେଉଛି ତାହାର ତଥ୍ୟ ମଧ୍ୟ ସରକାର ପାଇପାରିବେ । ଫଳରେ ଏହି ରୋଗର ମୁକାବିଲା ସହଜ ହେବ ବୋଲି କୁହାଯାଇଛି । ତେଣୁ ମେଡିକାଲକୁ ଆସୁଥିବା ରୋଗୀଙ୍କ ଶରୀରରେ କର୍କଟ ରୋଗ ଚିହ୍ନଟ ହେଲେ ତୁରନ୍ତ ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ କୁହାଯାଇଛି ।