spot_img
Home Blog Page 3973

ଝାରସୁଗୁଡ଼ା ଲଖନପୁର ବ୍ଲକରେ ବ୍ୟାପିଲା ଡାଇରିଆ, ବାଦିମାଳ ଗାଁରେ ଜଣେ ଯୁବତୀଙ୍କ ନେଲା ଜୀବନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପିଥିଣ୍ଡା ଗ୍ରାମରେ ବ୍ୟାପିଲା ଡାଇରିଆ । ଝାଡାବାନ୍ତିରେ ବାଦିମାଳ ଗାଁର ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଝାଡାବାନ୍ତିରେ ଆକ୍ରାନ୍ତ ହେବା ପରେ ଉକ୍ତ ଯୁବତୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଝାଡ଼ାବାନ୍ତିରେ ପିଥଣ୍ଡା ଗାଁରେ ୨୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ, ୧୮ ଜଣଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବା ସହ ପିଥିଣ୍ଡା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

ଫେଲ୍ ମାରିଲା ଆର୍ମି କ୍ୟାମ୍ପରେ ଅନୁପ୍ରବେଶ ଉଦ୍ୟମ, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

କାଶ୍ମୀର: ଉରି ଭଳି ଆକ୍ରମଣ ଉଦ୍ୟମ ପଣ୍ଡ । ସ୍ୱାଧୀନତା ଦିବସ ପୂର୍ବରୁ ଫେଲ୍ ମାରିଲା ଆର୍ମି କ୍ୟାମ୍ପ ଉପରେ ବଡ଼ ଧରଣର ଆକ୍ରମଣ । ଜମ୍ମୁ କାଶ୍ମୀର ପରଗଲରେ ଥିବା ଆର୍ମି କ୍ୟାମ୍ପରେ କିଛି ଆତଙ୍କବାଦୀ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବିଫଳ ହୋଇଛି ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନା । ଯବାନଙ୍କ ଗୁଳିମାଡ଼ରେ ଟଳିଲେ ୨ ଜଣ ଆତଙ୍କବାଦୀ । ସେହିପରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏବେ ବି ସ୍ଥାନୀୟ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଘଟଣାସ୍ଥଳରେ ସେନାର ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଉରୀ ଭଳି ରକ୍ତପାତ କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର ରଚିଥିଲେ । ହେଲେ ଆତଙ୍କବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରିବାରେ ସକ୍ଷମ ହୋଇଛନ୍ତି ଯବାନ । ୨୦୧୬ରେ ଜୈଶ-ଏ-ଅହମ୍ମଦର ଆତଙ୍କବାଦୀ ଜମ୍ମୁ କାଶ୍ମୀରର ଉରିରେ ଥିବା ସେନାର କ୍ୟାମ୍ପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୯ ଜଣ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୩୦ ଜଣ ଯବାନ ଆହତ ହୋଇଥିଲେ । ଏହି ଆକ୍ରମରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ଯବାନ ।

ସାରା ରାଜ୍ୟରେ ଜାରି ରହିଛି ବର୍ଷା, ୧୩ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଅବପାତ ଦୁର୍ବଳ ହେବା ପରେ ଏବେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତାକାଲି ବର୍ଷା ସାମାନ୍ୟ କମିବ, ତେବେ ୧୩ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଓ୍ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ଏଥିପାଇଁ ୧୩ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ୧୪ରେ ବର୍ଷାର ପରିମାଣ ବଢ଼ିବା ସହ ୧୪ ଜିଲ୍ଲାରେ ଭୀଷଣ ବର୍ଷା ହେବ । ୧୬ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ତେଣୁ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ ।

ଗତ କିଛି ଦିନ ହେବ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ଲାଗି ରହିଛି । ଯାହା ଫଳରେ ମହାନଦୀ ଉପରମୁଣ୍ଡ ଓ ତଳମୁଣ୍ଡରେ ନଦୀ ଜଳସ୍ତର ବଢ଼ୁଛି । ସେହିଭଳି ଦକ୍ଷିଣ ଓଡ଼ିଶାର ସବୁ ନଦୀର ଜଳସ୍ତର ବୃଦ୍ଧି ପାଇଛି । ୧୩ରୁ ଲଗାଣ ବର୍ଷା ହେଲେ ବନ୍ୟା ହେବା ନେଇ ଆଶଙ୍କା ଦେଖାଦେଇଛି । ବିଶେଷ କରି ମହାନଦୀ, ବୈତରଣୀ, ଜଳକା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୁଲ୍ୟା, ହରଭଙ୍ଗି ଭଳି ନଦୀରେ ବନ୍ୟା ଆସିପାରେ ।

 

ଆଜି ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଜଗଦୀପ ଧନଖଡ଼ । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ ଜଗଦୀପ ଧନଖଡ଼ ନିଜ ପ୍ରତିଦ୍ୱନ୍ଦି ଏମ ଆଲଭାଙ୍କୁ ହରାଇ ନିର୍ବାଚନ ଜିତିଥିଲେ । ଧନଖଡ଼ଙ୍କ ସପକ୍ଷରେ ୫୨୮ଟି ଭୋଟ୍ ପଡ଼ିଥିବା ବେଳେ ଆଲଭାଙ୍କ ସପକ୍ଷରେ ୧୮୨ ଖଣ୍ଡ ଭୋଟ୍ ପଡ଼ିଥିଲା ।

ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ ୯୨.୯୪ ପ୍ରତିଶତ ମତଦାନ ହୋଇଥିଲା । ସମସ୍ତ ବୈଧ ଭୋଟରୁ ଧନଖଡ଼ ୭୪.୩୬ ପ୍ରତିଶତ ଭୋଟ୍‌ ହାସଲ କରିଥିଲେ । ୧୯୯୭ ପରଠାରୁ ଦେଶରେ ଅନୁଷ୍ଠିତ ୬ଟି ଉପରାଷ୍ଟ୍ରପତି ନିର୍ବାଚନରେ ଏହା ସର୍ବାଧିକ ବିଜୟ ବ୍ୟବଧାନ ବୋଲି ଜଣାପଡ଼ିଛି ।

ଆଜିଠୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ, ୩୧ରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ । ଦିନ ୧୧ଟାରୁ ସାମସ୍ ପୋର୍ଟାଲ ଜରିଆରେ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ । ସେପ୍ଟେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା । ସେହିପରି ସେପ୍ଟେମ୍ବର ୧୧ରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ୧୨ରୁ ୧୪ ଯାଏ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ।

ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ତାଲିକା ପ୍ରକାଶ କରିବ ଉଚ୍ଚଶିକ୍ଷା ବିଭାଗ । ଅଗଷ୍ଟ ୧୬ରେ ସାମସ ଓ୍ୱେବସାଇଟରେ ଉପଲବ୍ଧ ହେବ ବଳକା ସିଟ୍ ତାଲିକା । ବଳକା ସିଟରେ ସ୍ପଟ ଆଡମିଶନ ପାଇଁ ଅଗଷ୍ଟ ୧୯ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଯେଉଁ ଛାତ୍ରଛାତ୍ରୀମାନେ ୧୧ ତାରିଖରେ କାଫ୍ ବା କମନ ଆପ୍ଲିକେସନ ଫର୍ମ ପୂରଣ କରିଥିବେ ସେହି ଛାତ୍ରୀଛାତ୍ରୀ ହିଁ ସ୍ପଟ୍ ଆଡମିଶନରେ ଅଂଶ ଗ୍ରହଣ କରିପାରିବେ ।

ଆଜି ଭାଇ ହାତରେ ସ୍ନେହର ଡୋରି ବାନ୍ଧିବ ଭଉଣୀ, ସୁରକ୍ଷା ନେଇ ପ୍ରତିଜ୍ଞା କରିବ ଭାଇ

ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇବ । ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିବ । ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ । ଏହି ସ୍ନେହ-ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ କଥା ଦେଇଥାଏ । ତେବେ ଏହି ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି । ସେହିପରି ରାକ୍ଷୀ ପୂର୍ଣ୍ଣିମାର ଅନ୍ୟନାମ ଗହ୍ମା ପୂର୍ଣ୍ଣିମା । ଯାହାକୁ ହଳମୂଷଳଧାରୀ ଭଗବାନଙ୍କ ବଳଭଦ୍ରଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ । ତେଣୁ ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ ।

ରାଜଧାନୀରେ ମାତିଲେ ଲୁଟେରା, କାର୍ କାଚ ଭାଙ୍ଗି ନେଇଗଲେ ଲାପଟପ୍

ଭୁବନେଶ୍ୱର: ରାଜଧାନୀରେ ମାତିଲେ ଲୁଟେରା। ଯୁବ ପ୍ରଫେସରଙ୍କ କାରର କାଚ ଭାଙ୍ଗି ନେଇଗଲେ ଲାପଟପ। ଖାରବେଳ ନଗର ଥାନା ରାମମନ୍ଦିର ଛକ ନିକଟରେ ଘଟିଛି ଘଟଣା। ଅଭିଯୋଗକାରୀ ଜଣକ ଛକରେ ଥିବା ବ୍ୟାଙ୍କ ପାଖରେ କାର ପାର୍କିଂ କରି କାମରେ ଯାଇଥିଲେ। ଫେରି ଦେଖିଲା ବେଳକୁ କାରର ବାମ ପଟ ପଛ ଡୋରର କାଚ ଭଙ୍ଗା ହୋଇଛି। କାର ଭିତରୁ ଲାପଟପ ସହିତ କିଛି ଗୁରୁତ୍ୱ ପୂର୍ଣ କାଗଜ ପତ୍ର ଲୁଟ ହୋଇଛି ।

ଏ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଲତାଡ଼ କରିଛନ୍ତି । ଛକରେ ଥିବା ଏକ ଘରୋଇ ବ୍ୟାଙ୍କ ଓ ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି ପୋଲିସ।

କଡ଼ାକଡ଼ି ହେବ ତଟ୍ଟ ସୁରକ୍ଷା: ସମନ୍ୱୟ ମାଧ୍ୟମରେ ସୁରକ୍ଷା ଦୃଢ଼ୀଭୂତ କରିବାକୁ ସିଏସଙ୍କ ନିର୍ଦ୍ଦେଶ

ଭିବନେଶ୍ୱର: କଡ଼ାକଡ଼ି ହେବ ତଟ୍ଟ ସୁରକ୍ଷା । ତଟ୍ଟ-ନିରାପତ୍ତା ସଂସ୍ଥାମାନଙ୍କ ମଧ୍ୟରେ କ୍ଷେତ୍ରସ୍ତରୀୟ ସମନ୍ୱୟରଖି ତଟ୍ଟ ସୁରକ୍ଷାକୁ ଦୃଢ଼ିଭୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଚିଲିକା ସ୍ଥିତ ଭାରତୀୟ ନୌବାହିନୀ ଷ୍ଟେସନରେ ଅନୁଷ୍ଠିତ ତଟ୍ଟସୁରକ୍ଷା ଆପେକ୍ସ କମିଟି ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଓଡ଼ିଶାର ପୂର୍ବତଟ୍ଟସୁରକ୍ଷା ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ତଟ୍ଟସୁରକ୍ଷା ପୋଲିସ୍ ଷ୍ଟେସନ୍, କୋଷ୍ଟଗାର୍ଡ, ନୌବାହିନୀ, ବିଭିନ୍ନ ବନ୍ଦର କର୍ତ୍ତୁପକ୍ଷ, ମତ୍ସ ଓ ପଶୁସଂପଦ ବିଭାଗ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି ପରସ୍ପର ମଧ୍ୟରେ ସମନ୍ୱୟ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଉପକୂଳରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ, ଚୋରାଚାଲାଣ, ବେଆଇନ୍ କାର୍ଯ୍ୟକଳାପ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ସଂସ୍ଥା ଓ ବିଭାଗମାନେ ମିଳିତଭାବେ କାର୍ଯ୍ୟ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ନୌବାହିନୀର ଭାଇସ୍ ଆଡ଼ମିରାଲ୍ ବିଶ୍ବଜିତ୍ ଦାସଗୁପ୍ତା, କୋଷ୍ଟ ଗାର୍ଡର ଆଇ.ଜି. ଶ୍ରୀ ଏମ୍.ଭି. ପାଠକ , ପୋଲିସ ଡି.ଜି. ତଥା ତଟ୍ଟ-ନିରାପତ୍ତା ନୋଡାଲ୍ ଅଫିସର ସୁଧାଂଶୁ ଷଢ଼ଙ୍ଗୀ, ଆଇ.ଟି.ଆର. ଚାନ୍ଦିପୁରର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନୁରାଗ ସେନଙ୍କ ସମେତ ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର କର୍ତ୍ତୁପକ୍ଷ ବୈଠକର ଉପସ୍ଥିତ ରହିଥିଲେ ।

ନୀତି ଆୟୋଗ ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ରେ ‘ଫ୍ରଣ୍ଟ ରନର’କୁ ଉନ୍ନୀତ ହେଲା ଓଡ଼ିଶା

ଭୁବନେଶ୍ୱର: ନୀତି ଆୟୋଗ ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ରେ ‘ଫ୍ରଣ୍ଟ ରନର’କୁ ଉନ୍ନୀତ ହେଲା ଓଡ଼ିଶା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମିଳିଛି ଏହି ସଫଳତା। ଓଡ଼ିଶାରେ ଚିକିତ୍ସା କ୍ଷେତ୍ରରେ ଆସିଛି ବୈପ୍ଳବିକ ପରିବର୍ତ୍ତନ। କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବାରେ ଆଖିଦୃଶିଆ ଉନ୍ନତି ହୋଇଛି । ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା, ପ୍ରତ୍ୟେକ ଜୀବନ ମୂଲ୍ୟବାନ ଲକ୍ଷ୍ୟ ନେଇ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସର୍ବଭାରତୀୟ ସୁବିଧା ସୁନିଶ୍ଚିତ କରିଆସିଛି ଓଡ଼ିଶା।

ଶିଶୁ ମୃତ୍ୟୁହାର ହ୍ରାସ, ଡାକ୍ତରଖାନାରେ ପ୍ରସବ, ଟିକାକରଣ କ୍ଷେତ୍ରରେ ରାଜ୍ୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ସ୍ବାସ୍ଥ୍ୟସେବାକୁ ସୁବ୍ୟବସ୍ଥିତ ଓ ବ୍ୟାପକ କରାଯାଇଛି । କେନ୍ଦ୍ର ଗୁଣବତ୍ତା ମାନଗୁଡିକୁ ରାଜ୍ୟସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଭାଇରାଲ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ୧୩ ଲକ୍ଷ ଗର୍ଭବତୀ ମହିଳା , ୯ ହଜାର ପାଖାପାଖି ଶିଶୁଙ୍କୁ ଚିକତ୍ସା କରାଯାଇଛି । ସେହିପରି ୧ ଲକ୍ଷ ୫୦ ହଜାରରୁ ଅଧିକ ମେତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି ।

ଦୁଇଗୁଣା ହେବ ଚାଷୀଙ୍କ ଆୟ, କସରତ ଆରମ୍ଭ କରିଛି ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର: ରାଜ୍ୟରେ କୃଷକଙ୍କ ଆୟ ଦୁଇଗୁଣା ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି କସରତ ଆରମ୍ଭ କରିଛି । ସେପ୍ଟେମ୍ବରରେ ଏହି କମିଟି ସରକାରଙ୍କୁ ପ୍ରଥମ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି। ମୁଖ୍ୟତଃ ଚାଷୀଙ୍କ ଦକ୍ଷତା ବିକାଶ, ଚାଷୀ ପାଖରେ ମାର୍କେଟ ପହଞ୍ଚାଇବା ସାଙ୍ଗକୁ ଲାଭକାରୀ ଫସଲ ଚାଷ ଉପରେ ଗୁରୁତ୍ୱ ଦେଇଛି କମିଟି। ନୂଆ ନୂଆ ଟେକ୍ନୋଲୋଜି ଜରିଆରେ ପାରମ୍ପରିକ ଚାଷ ସହିତ ଚାଷୀଟିଏ କିପରି ବହୁବିଧ ଚାଷ କରିପାରିବ, ସେନେଇ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ସୁବାସିତ ଚାଉଳ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଇଛି।

ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଜରିଆରେ ପ୍ରତି ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରେ ସ୍କିଲ ଟ୍ରେନିଂ ଦେବାକୁ ଯୋଜନା ହୋଇଛି । ଚାଷ କ୍ଷେତ୍ରରେ ନୂଆ ଗବେଷଣାକୁ ଚାଷୀମାନେ କିପରି ଜମି ଚାଷରେ କାର୍ଯ୍ୟକାରୀ କରିବେ, ତାହାର ଖସଡ଼ା ପ୍ରସ୍ତୁତ ହୋଇଛି । ଚାଷୀମାନଙ୍କୁ ଏଥିପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବ। ସବୁ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରେ ତାଲିମ ଦିଆଯିବ। ଦୀର୍ଘ ମିଆଦି ବଦଳରେ ସ୍ୱଳ୍ପ ଅବଧି ଟ୍ରେନିଙ୍ଗ ଦୁଇଟି ପର୍ଯ୍ୟାୟରେ ଦିଆଯାଉଛି। ଚାଷ କାମରେ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ସାଙ୍ଗକୁ ସରକାରୀ ସପୋର୍ଟ ଉପରେ ଆଲୋଚନା ହେବ। ମୁଖ୍ୟତଃ ଚାଷୀଙ୍କ ପାଇଁ ଇ-ମାର୍କେଟ, ଦକ୍ଷତା ବିକାଶ ଏବଂ ଅଧିକ ଲାଭକାରୀ ଫସଲ ଉପରେ ଫୋକସ କରାଯାଉଛି।